Times Now
ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ସହକାରୀ ପ୍ରଫେସର ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କର ଚକେଇସିଆଣିସ୍ଥିତ ବାସଭବନରରେ ଦୁର୍ବୃତ୍ତମାନେ ପଶି କଳାକନା ବୁଲାଇ ଦେଇଛନ୍ତି। ଘରେ କେହି ନଥିବା ବେଳେ ତାଲା ଭାଙ୍ଗି ୫୦ ହଜାର ଟଙ୍କା, ୮ଭରି ସୁନା ଅଳଙ୍କାର, ୨୫୦ଗ୍ରାମ ରୁପା, ଏଲଇଡି ଟିଭି, ଘରର ଏକ ପୁରାତନ କାଠ ସିନ୍ଦୁକ ସହ ସମସ୍ତ ମୂଲ୍ୟବାନ ଜିନିଷ ନେଇଯାଇଛନ୍ତି। ଚୋରି ସାମଗ୍ରୀର ମୂଲ୍ୟ ୪ ଲକ୍ଷ ଟଙ୍କାରୁ ଊର୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଶୁକ୍ରବାର ରଜ ଛୁଟି କଟାଇବାକୁ ଶ୍ରୀ ଆଚାର୍ଯ୍ୟ ଗାଁକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ସେ ଆଜି ଗାଁରୁ ଫେରି ଚୋରି ହୋଇଥିବା ଦେଖି ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଚୋରଙ୍କ ଟେର୍ ପାଇନି। ଗତ ୧୦ ତାରିଖରେ ଜଣେ ଔଷଧ ବ୍ୟବସାୟୀଙ୍କ ଘରୁ ଅନୁରୂପ ଢଙ୍ଗରେ ଚୋରି ହୋଇଥିଲା। ପ୍ରାଚୀ ବିହାର ବାସିନ୍ଦା ସରୋଜ କୁମାର ପଣ୍ଡା ନିଜ ଗାଁ ବାଙ୍କୀକୁ ଯାଇଥିବା ବେଳେ ଦୁର୍ବୃତ୍ତ ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଚୋରାଇ ନେଇଥିଲେ। ଘଟଣାର ୭ ଦିନ ନପୂରୁଣୁ ସମାନ ଢଙ୍ଗରେ ଚୋରି ହେବା ପୁଲିସର ପାରିବା ପଣିଆକୁ ପଦାରେ ପକାଇଛି। ପୂର୍ବ ମାମଲା ଭଳି ପୁଲିସ ଆଖପାଖରେ ଲାଗିଥିବା ସିସିଟିଭି କ୍ୟାମେରା ଅଣ୍ଡାଳୁଛି। ପାଖ ପଡ଼ୋଶୀଙ୍କୁ ପଚରା ଉଚରା କରୁଛି। ‘ନିଜ ସୁରକ୍ଷା ନିଜେ କର’ ବୋଲି ପରାମର୍ଶ ଦେଉଛି। ସିସିଟିଭି କ୍ୟାମେରା ଖଞ୍ଜିବା ସହ ଘରେ ତାଲା ପକାଇ ଦୀର୍ଘ ସମୟ ବାହାରେ ନରହିବା ପାଇଁ କହିଛି। ଉଭୟ ଚୋରି ଗୋଟିଏ ଗ୍ୟାଙ୍ଗ୍ ଦ୍ବାରା ହୋଇଥିବା ପୁଲିସ ଅନୁମାନ କରୁଛି। ତେବେ ଏହି ଦୁଇଟି ଘଟଣା ନୁହେଁ, ୭ ଦିନରେ ଏହି ଦୁଇଟି ବଡ଼ ବଡ଼ ଚୋରି ସହ ଦୁଇଟି ଡକାୟତି ଘଟଣା ଘଟିଛି। ମଞ୍ଚେଶ୍ବର ଥାନା ପୁଲିସ କୌଣସି ମାମଲାରେ ସୁରାକ୍ ପାଇନି।
Follow Us