ରାସ୍ତା ମଝିରେ ପଥର ପକାଇ ଅବରୋଧ

ବିଲଡର୍‌ଙ୍କ ଦାଦାଗିର

ରାସ୍ତା ମଝିରେ ପଥର ପକାଇ ଅବରୋଧ

Jamaica Star

ଭୁବନେଶ୍ୱର: ରାଜଧାନୀରେ ବିଲଡର୍‌ଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଲଡରଙ୍କ ଉତ୍ପାତ, ଆତଙ୍କ ଓ ଠକାମିର ଶିକାର ହୋଇ ଅନେକ  ଏବେ ତ୍ରାହିତ୍ରାହି ଡାକିବା ଆରମ୍ଭ କଲେଣି। ଏଭଳି ଏକ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଧୀନ ସପ୍ତଶତୀନଗର ଅଞ୍ଚଳରେ। ବିଲଡର ୍‌ସଂସ୍ଥାଠାରୁ ଜମି କିଣି ୭ ବର୍ଷ ତଳୁ ୩ ମହଲା ଘର କରି ରହିଛନ୍ତି। ରାସ୍ତା ପାଇଁ କେବଳ ନଗଦ ୨.୫ ଲକ୍ଷ ଟଙ୍କା ଦେଇଛନ୍ତି। କିନ୍ତୁ ସେତିକିରେ ବିଲଡର୍‌ ସଂସ୍ଥାର ମନ ଭରୁନାହିଁ। ଆଉ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରି ଜଣକ ଘର ଆଗରେ ଗତ ଏକ ସପ୍ତାହ ହେବ ପଥର ଜମା କରି ରଖିଛନ୍ତି। ଫଳରେ ସେହି ଘରେ ରହୁଥିବା ପରିବାର ବାହାରକୁ ବାହାରିବା କଷ୍ଟକର ହୋଇ ପଡ଼ିଛି। ଏ ନେଇ ପରିବାର ଲୋକ ଦୁଇ ଦୁଇ ଥର ମଞ୍ଚେଶ୍ୱର ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ କିଛି ଶୁଣୁ ନାହିଁ। ଶେଷରେ ସେହି ପରିବାର ଲୋକ ଆଜି ସଂଧ୍ୟାରେ ଡିସିପି ଅନୁପ ସାହୁଙ୍କୁ ମଧ୍ୟ ଭେଟିଥିଲେ।  ଡିସିପିଙ୍କୁ ଭେଟିବା ପରେ ପରିସ୍ଥିତି ଆହୁରି ଜଟିଳ ହୋଇ ପଡ଼ିଛି। ବିଲଡର୍‌ଙ୍କ କିଛି ଗୁଣ୍ଡା ସେହି ରାସ୍ତାକୁ ଖୋଳି ପକାଇବା ସହିତ ଦୁଇ ଟ୍ରିପ ପଥର ଜମା କରି ଦେଇଛନ୍ତି। ସୀମାଞ୍ଚଳ ପାତ୍ର ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଏକ ବିଲଡର୍‌ ସଂସ୍ଥାରୁ ଜମି କିଣିଥିଲେ। ୭ ବର୍ଷ ତଳେ ସେଠାରେ ଘର ନିର୍ମାଣ କରି ପରିବାର ସହିତ ରହି ଆସୁଛନ୍ତି। କିନ୍ତୁ କିଛି ଦିନ ହେବ ରାସ୍ତା ପାଇଁ ଆଉ ଅଧିକ ଟଙ୍କା ଦାବି କରି ବିଲଡର୍‌ ସଂସ୍ଥାର କେତେକ ଗୁଣ୍ଡା ସେହି ରାସ୍ତାକୁ ଖୋଳି ପକାଇବା ସହିତ ପଥର ଗଦା କରି ଦେଉଛନ୍ତି। ଏ ନେଇ ବିଭିନ୍ନ ସମୟରେ ସୀମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଏପରିକି ବିଲଡର୍‌ ସଂସ୍ଥା ଥାନାରେ ଆପୋସ ସମାଧାନ କରି ଆଉ ଏଭଳି କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଗତ ଏକ ସପ୍ତାହ ତଳୁ ପୁଣି ଥରେ ଏଭଳି କାଣ୍ଡ କରିଛନ୍ତି।

ଏ ନେଇ ସୀମାଞ୍ଚଳ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଶେଷରେ ସୀମାଞ୍ଚଳ ତାଙ୍କ ପରିବାର ନେଇ ରାଜ୍ୟ ମାନବାଧିକାର କମିସନ୍‌କୁ ଯିବେ ବୋଲି କହିଛନ୍ତି। ତେବେ ସୀମାଞ୍ଚଳଙ୍କ ଅଭିଯୋଗ ସମ୍ପର୍କରେ ଉକ୍ତ ବିଲଡର୍‌ ସଂସ୍ଥାର କୌଣସି ମତାମତ ମିଳି ପାରିନାହିଁ। ଏ ସମ୍ପର୍କରେ ମଞ୍ଚେଶ୍ୱର ଥାନା ଇନ୍ସପେକ୍ଟର କେପି ମିଶ୍ର କହିଛନ୍ତି ମାମଲା ବର୍ତମାନ ହାଇକୋର୍ଟରେ ଅଛି। ତେଣୁ ଆମେ କିଛି ବି କରୁ ପାରିବୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe