ମିଳୁନି ମାଟି କୁଡ଼ୁଆ, ବନ୍ଦ ହେବ ଅବଢ଼ା ବିକ୍ରି!

ମିଳୁନି ମାଟି କୁଡ଼ୁଆ, ବନ୍ଦ ହେବ ଅବଢ଼ା ବିକ୍ରି!

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିରରେ ରନ୍ଧା ହେବାକୁ ମିଳୁନି କୁଡ଼ୁଆ। ଅବଢ଼ା ପାଇଁ ଅନେକ ଏହି ମନ୍ଦିରକୁ ଛୁଟି ଆସୁଥିଲେ ହେଁ କୁଡ଼ୁଆ ମିଳୁନଥିବାରୁ ଅବଢ଼ା ରନ୍ଧା ବନ୍ଦ ହେବା ଆଶଙ୍କା ଦେଖା ଦେଇଛି। ଏବେ ଯେତିକି ଆବଶ୍ୟକଳ, ତା’ଠୁ ଯଥେଷ୍ଟ କମ୍‌ କୁଡ଼ୁଆ ଆସୁଥିବାରୁ କିଛି ଦିନ ପରେ ଆଉ ମିଳିନପାରେ ବୋଲି ‌କୁଡ଼ୁଆ ବ୍ୟବସାୟୀମାନେ କହିଛନ୍ତି। ଏହା ଉଭୟ ଶ୍ରଦ୍ଧାଳୁ ଓ ସେବାୟତଙ୍କ ଚିନ୍ତା ବଢ଼ାଇଦେଇଛି। ଶ୍ରୀଜଗନ୍ନାଥଙ୍କ ଅବଢ଼ା ସଦୃଶ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଅନନ୍ତ ବାସୁଦେବଙ୍କ ପ୍ରସାଦର ବେଶ୍ ଚାହିଦା ରହିଛି । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ, ବିବାହ, ବ୍ରତ ଓ ଶ୍ରାଦ୍ଧ କର୍ମରେ ଅନନ୍ତ ବାସୁଦେବ ଓ ଶ୍ରୀଲିଙ୍ଗରାଜଙ୍କ ପ୍ରସାଦ ଉପରେ ଅଞ୍ଚଳବାସୀ ପ୍ରାୟତଃ ନିର୍ଭର କରନ୍ତି।

ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ଓ ଅନନ୍ତ ଚତୁର୍ଦ୍ଦଶୀରେ ଏହି ପୀଠରେ ସ୍ୱତନ୍ତ୍ର ନୀତି ବେଳେ ଅବଢ଼ାର ବେଶ୍‌ ଚାହିଦା ରହିଥାଏ। ମନ୍ଦିରର ରୋଷ ସେବାୟତମାନେ ଅବଢ଼ା ପ୍ରସ୍ତୁତି କରିଥାନ୍ତି। ଏଥିସହ ସବୁଦିନ ମନ୍ଦିରର ଆନନ୍ଦ ବଜାରରେ ଅବଢ଼ା ପାଇଁ ଭିଡ଼ ଦେଖିବାକୁ ମିଳିଥାଏ। ତେବେ ଆଉ ଆଗ ପରି ଅବଢ଼ା ମିଳିବ ନାହିଁ। ଫନି ବାତ୍ୟା ପରେ କୁମ୍ଭାର ଯଥେଷ୍ଟ କୁଡ଼ୁଆ ଯୋଗାଇ ପାରୁନାହାନ୍ତି ବୋଲି ସେବାୟତମାନେ କହିଛନ୍ତି। ଜଣେ ସେବାୟତ କହିଛନ୍ତି, କୁଡ଼ୁଆ ଅଭାବରୁ ଦୁଇଟି ଅବଢ଼ା ବିକ୍ରୟ କେନ୍ଦ୍ର ବନ୍ଦ ହେଲାଣି। ଆଗକୁ ଆହୁରି ବନ୍ଦ ହେବା ଆଶଙ୍କା ପ୍ରକାଶ ପାଇଛି। ପୁରୀର କୁମ୍ଭାରମାନେ ଶ୍ରୀଜଗନ୍ନାଥ ମନ୍ଦିର ସମେତ ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରକୁ କୁଡ଼ୁଆ ଯୋଗାଇଥାନ୍ତି। ତେବେ ବାତ୍ୟା ପରେ କୁମ୍ଭାରମାନଙ୍କ ଭାଟି ଭାଙ୍ଗି ଯାଇଥିବାରୁ ସେମାନେ କୁଡ଼ୁଆ ପ୍ରସ୍ତୁତିରେ ସମସ୍ୟା ଭୋଗୁଛନ୍ତି। କୁଡ଼ୁଆ ମିଳୁ ନଥିବାରୁ ଏପରି ସମସ୍ୟା ଦେଖାଦେଇଛି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି। ଆଗାମୀ ଦିନରେ ଠାକୁରଙ୍କ ସେବା ପାଇଁ ଅବଢ଼ା କୁଡ଼ୁଆ ଯଥେଷ୍ଟ ମିଳିବା ଦିଗରେ ସରକାର ସହଯୋଗ କରନ୍ତୁ ‌ଶ୍ରୀ ପତି କହିଛନ୍ତି। ପୁରୀ ଜିଲ୍ଲାର କୁଡ଼ୁଆ କାରିଗର ହରି କୁମ୍ଭାର କହିଛନ୍ତି ବାତ୍ୟା ପରେ ବହୁ ଭାଟି ନଷ୍ଟ ହୋଇଛି। ଭଲ ମାଟି ମଧ୍ୟ ମିଳୁନାହିଁ। ଯାହା ଫଳରେ କୁଡ଼ୁଆ ଯଥେଷ୍ଟ ତିଆରି ହୋଇପାରୁ ନାହିଁ। ତେଣୁ ଯୋଗାଇବା ସମ୍ଭବ ହେଉନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe