ସୋସିଆଲ୍‌ ମିଡିଆରେ ଝଡ଼; ମନ୍ତ୍ରୀ-ସାଂସଦ ମୁହାଁମୁହିଁ, ଅପରାଜିତାଙ୍କୁ ଘେରିଲେ ବିଜେଡି ନେତା, ସମର୍ଥକ

ସୋସିଆଲ୍‌ ମିଡିଆରେ ଝଡ଼; ମନ୍ତ୍ରୀ-ସାଂସଦ ମୁହାଁମୁହିଁ, ଅପରାଜିତାଙ୍କୁ ଘେରିଲେ ବିଜେଡି ନେତା, ସମର୍ଥକ

ଭୁବନେଶ୍ବର: ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନ୍‌ଏମ୍‌ଏ) ପ୍ରସ୍ତୁତ କରିଥିବା ଚିଠା ବାଇ ଲ’କୁ ବିରୋଧ ହେବା ପରେ ଏହାକୁ ପ୍ରତ୍ୟାହାର କରାଯାଇଛି। ହେଲେ ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ପ୍ରସ୍ତୁତ ବାଇ ଲ’ ପ୍ରତ୍ୟାହାର ହୋଇନଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। ଶ୍ରୀକ୍ଷେତ୍ର ପାଇଁ ଯେପରି ତୁରନ୍ତ ପଦକ୍ଷେପ ନିଆଗଲା ସେହିପରି ଏକାମ୍ର କ୍ଷେତ୍ର ପାଇଁ ନିଆଯାଉ ବୋଲି ବିଜେଡି ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ଅନ୍ୟପକ୍ଷରେ ଚିଠା ବାଇ ଲ’କୁ ବିରୋଧ କରି ବିଜେଡି ନେତାମାନେ ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସାମାଜିକ ଗଣମାଧ୍ୟମରେ ଟାର୍ଗେଟ୍‌ କରିଛନ୍ତି। ଭୁବନେଶ୍ବର ଏକାମ୍ର ବିଧାୟକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଟୁଇଟ୍‌ କରିଛନ୍ତି ଯେ, ଏକାମ୍ର କ୍ଷେତ୍ର ପ୍ରକଳ୍ପକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉଥିବାବେଳେ ଭୁବନେଶ୍ବର ସାଂସଦଙ୍କ ନିରବତା ଓ ଭୁବନେଶ୍ବରର ଉନ୍ନତୀକରଣ ନେଇ ତାଙ୍କର ଲୋକଦେଖାଣିଆ ପ୍ରତିଶ୍ରୁତିବଦ୍ଧତା ପଦାରେ ପଡ଼ିଛି। ଏକାମ୍ର କ୍ଷେତ୍ର ପ୍ରକଳ୍ପରେ ବାଧା ଆଣିବା ପାଇଁ ଯେଉଁମାନେ ଉଦ୍ୟମ କରୁଛନ୍ତି, ଭୁବନେଶ୍ୱରବାସୀ ତାଙ୍କୁ କେବେ କ୍ଷମା ଦେବେ ନାହିଁ। ଅଶୋକ ପଣ୍ଡାଙ୍କ ଏହି ଟୁଇଟ୍‌ ପରେ ବିଜେଡିର କିଛି ନେତା ସାଂସଦ ଅପରାଜିତାଙ୍କ ବିରୋଧରେ ଟୁଇଟ୍‌ କରିବା ଆରମ୍ଭ କରିଛନ୍ତି। ଟ୍ୱିଟରରେ ‘ଅପରାଜିତା ମିସିଂ’ ନାଁରେ ହ୍ୟାସଟ୍ୟାଗ୍ ଅଭିଯାନ ଚଳାଇଛନ୍ତି। ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଟୁଇଟ୍‌ କରିଛନ୍ତି ଯେ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ପାରିପାର୍ଶ୍ବିକ ଭିତ୍ତିଭୂମି ବିକାଶ ଓ ସୌନ୍ଦର୍ଯ୍ୟୀକରଣ ଚାଲିଥିବାବେଳେ ଏଥିରେ କିଏ ଷଡ଼୍‌ଯନ୍ତ୍ର କରି ବାଧକ ସାଜିଛି? ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଉଭାନ। ବିକାଶର ଏଭଳି ଦୋମୁହାଁ ପରିଭାଷା କାହିଁକି? ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରତି ଇଏ କ’ଣ ଅନ୍ୟାୟ, ଉପେକ୍ଷା ନୁହେଁ କି?

ଆଉ ଏକ ଟୁଇଟ୍‌ରେ ଶ୍ରୀମତୀ ମିଶ୍ର ଲେଖିଛନ୍ତି ଯେ, # ଅପରାଜିତା ମିସିଂ; ଓଡ଼ିଆ ସ୍ବାଭିମାନ ପ୍ରତି ଆଉ କେତେ କୁଠାରଘାତ ହେବ? ଏହା ବ୍ୟତୀତ ଟୁଇଟର୍‌ରେ ଅପରାଜିତା‌ଙ୍କୁ ଆହୁରି ଅନେକ ବିଜେଡି ସମର୍ଥକ ଘେରି ପ୍ରବଳ ଟ୍ରୋଲ୍ କରିଛନ୍ତି। ଟୁଇଟରରେ ଅପରାଜିତାଙ୍କୁ ଟ୍ରୋଲ୍ କରି ବହୁ ଟୁଇଟ୍ ହେବା ପରେ ସେ ଏହାର ଜବାବ୍ ରଖିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, ସବୁପ୍ରକାରର ବିରୋଧ ଓ ସମାଲୋଚନାକୁ ସେ ସବୁବେଳେ ସ୍ୱାଗତ କରନ୍ତି। ଏବେ ସଂସଦ ଅଧିବେଶନ ଥିବାରୁ ସେ ଦିଲ୍ଲୀରେ ଅଛନ୍ତି। ଆସନ୍ତା ୧୫ତାରିଖରେ ଭୁବନେଶ୍ୱର ଯିବେ ଓ ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟ ପ୍ରସଙ୍ଗରେ ନିଜେ ଅନୁସନ୍ଧାନ କରି ସମସ୍ତଙ୍କ ସହ ଆଲୋଚନା କରିବେ। ସେ ବିନା ତର୍କ ଓ ତଥ୍ୟରେ କିଛି କାର୍ଯ୍ୟ କରନ୍ତି ନାହିଁ କି କୁହନ୍ତି ନାହିଁ। ବିଜେପି ସର୍ବଦା ବିକାଶର ରାଜନୀତି କରେ ଓ ଏହାକୁ ଉତ୍ସାହିତ ମଧ୍ୟ କରେ। ମାତ୍ର ବିକାଶ କାର୍ଯ୍ୟ ବି ଆଇନର ଗଣ୍ଡି ମଧ୍ୟରେ ହେବା ଦରକାର। ପ୍ରଶାସନିକ କଳ କିଛିଟା ପାଠପଢ଼ି କାମ କରିବା କଥା। ଶାସନର ଅପରିପକ୍ୱତା ଯୋଗୁଁ ଏଭଳି ସମସ୍ୟା ହୋଇଛି ବୋଲି ସେ ଅନୁଭବ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe