‘ଅଣଚାଶ ପବନ’ ଗଳ୍ପ ସଂକଳନ ଲୋକାର୍ପିତ: ‘ଗଳ୍ପରେ ନାହିଁ ହୃଦୟଛୁଆଁ ଆବେଗ’

‘ଅଣଚାଶ ପବନ’ ଗଳ୍ପ ସଂକଳନ ଲୋକାର୍ପିତ: ‘ଗଳ୍ପରେ ନାହିଁ ହୃଦୟଛୁଆଁ ଆବେଗ’

ଭୁବନେଶ୍ବର,୧୬।୩(ଇମିସ): ବର୍ତ୍ତମାନ କେବଳ ଓଡ଼ିଆ ଗଳ୍ପ ସାହିତ୍ୟ ନୁହେଁ ବରଂ ଲାଟିନ ଆମେରିକା ସାହିତ୍ୟରୁ ଆରମ୍ଭ କରି ୟୁରୋପୀୟ ସାହିତ୍ୟ ମଧ୍ୟ ଅନ୍ୟ ଦିଗକୁ ଚାଲିଗଲାଣି। ଆଗରୁ ଆକସ୍ମିକ ଆରମ୍ଭ, ଉତ୍କଣ୍ଠିତ ମଧ୍ୟଭାଗ ଏବଂ ନାଟକୀୟ ପରିସମାପ୍ତିର ନିୟମକୁ ଅନୁସରଣ କରି ବିଗତ ୧୦୦ ବର୍ଷ ଭିତରେ ଓଡ଼ିଆ ସାହିତ୍ୟରେ ଅଜସ୍ର ଗଳ୍ପ ଲେଖାଯାଉଥିଲା। ମାତ୍ର ଏବେ ଏହି ସବୁ ଗଳ୍ପ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ। କିନ୍ତୁ ହୃଦୟକୁ ଗଭୀର ଭାବେ ସ୍ପର୍ଶ କଲାଭଳି କୌଣିସ ଆବେଗ ନାହିଁ। ଆଜିକାଲି ସୋସିଆଲ ମିଡିଆରେ ଭଲ ଗପ ଲେଖାଯାଉଛି। ଏହାର ବୈଶିଷ୍ଟ୍ୟ ହେଲା, ଏହା ଆକାରରେ ସଂକ୍ଷିପ୍ତ କିନ୍ତୁ ଆବେଗରେ ଗଭୀର। ପକ୍ଷୀଘର ପ୍ରକାଶନୀ ପକ୍ଷରୁ ଆୟୋଜିତ ଡ. ଲଲାଟେନ୍ଦୁ ସାହୁଙ୍କ ଗଳ୍ପ ସଂକଳନ ‘ଅଣଚାଶ ପବନ’ ପୁସ୍ତକ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଡ. ବିଭୂତି ପଟ୍ଟନାୟକ ଏପରି ମତ ରଖିଛନ୍ତି। ‘ଅଣଚାଶ ପବନ’ ଗଳ୍ପ ସଂକଳନ କୁହାଯାଉଥିଲେ ମଧ୍ୟ ଏଥିରେ କୌଣସି ପୂର୍ଣ୍ଣାଙ୍ଗ ନାହିଁ। ଏଥିରେ ସମସ୍ତ ଗଳ୍ପରେ କିଛି କିଛି ଚିନ୍ତାଧାରା ରହିଛି, ତାକୁ ବିସ୍ତାରିତ କରି ଆଉ ଗୋଟିଏ ପୂର୍ଣ୍ଣାଙ୍ଗ ଗଳ୍ପ ଲେଖାଯାଇ ପାରିବ ବୋଲି ଡ. ପଟ୍ଟନାୟକ କହିଛନ୍ତି।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କଥାକାର ଗୌରହରି ଦାସ କହିଛନ୍ତି, ଗପିବା ଓ ଗପ ଲେଖିବା ଅଲଗା କଥା। ଆମେ ଗପିବା ଆରମ୍ଭ କଲେ ଗପ ମରିଯିବ, ଯଦି ଆମେ ଗପ ଲେଖିବା ଆରମ୍ଭ କରିବା ତେବେ ଗପ ବଞ୍ଚିପାରିବ। ଯେତେବେଳେ ପାହାଡ଼ ଉପରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡୁଛି ତାକୁ ଦାର୍ଶନିକ ଓ ବୈଜ୍ଞାନିକ ଭିନ୍ନ ଭିନ୍ନ ଅର୍ଥରେ ଦେଖୁଛନ୍ତି। ମାତ୍ର ତାହାକୁ ସାହିତ୍ୟିକ ଦେଖି ଉଲ୍ଲସିତ ହୁଏ। ସେଥିରୁ ସାହିତ୍ୟ ଜନ୍ମ ନିଏ। ଦିନ ଆସିବ ଗା​ଳ୍ପିକମାନଙ୍କ ନାଁରେ ସମୟ ପରିଚିତ ହେବ। ଯେତେବେଳେ ସାଧାରଣ ଲୋକ ବିପର୍ଯ୍ୟୟ, ପବନ, ମଶାଣି ଦେଖେ ସେତେବେଳେ କବି ଅନ୍ଧାରରେ ଜିଇଁବାର ଆଶାର ରେଖା ଦେଖେ ବୋଲି ଶ୍ରୀ ଦାସ କହିଛନ୍ତି।

ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଲେ, ‘ଅଣଚାଶ ପବନ’ ଗଳ୍ପ ସଂକଳନ ପାଠକାଦୃତ ହେବ। ଏଥିରେ କିଛି ଗଳ୍ପ ଅତି କ୍ଷୁଦ୍ରତର ରହିଛି, ଯେଉଁଥିରେ ଅଧିକ ଶକ୍ତି ରହିଛି। ସେହିପରି ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକ ଅଜୟ ସ୍ବାଇଁ କହିଛନ୍ତି, ଆଜିର ଯୁବ ପାଠକଙ୍କୁ ସନ୍ତୁଷ୍ଟ କରିବା ପାଇଁ ହେଲେ, ଗଳ୍ପ ଭିତରକୁ ପଶି ଲେଖିବାକୁ ପଡ଼ିବ। ନଚେତ୍ ଲେଖାଯାଉଥିବା ଗପ ପାଠକାଦୃତ ହେବନାହିଁ। ଯୁବ ଲେଖକ ଅଜୟ ମହାପାତ୍ର କହିଲେ, ‘ଅଣଚାଶ ପବନ’ ଗଳ୍ପ ସଂକଳନରେ ୪୯ଟି ଗପ ରହିଛି, ପ୍ରତ୍ୟେକ ଗପ ପାଠକଙ୍କ ହୃଦୟସ୍ପର୍ଶୀ ହେବ।

କାର୍ଯ୍ୟକ୍ରମକୁ ପକ୍ଷୀଘର ପ୍ରକାଶନୀର ସଂପାଦକ ବନୋଜ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ଲେଖକ ଡ. ଲଲାଟେନ୍ଦୁ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe