ଭୁବନେଶ୍ୱର: ଶଶାଙ୍କ ପ୍ରତିଦିନ ଅଧୁଆ ମୁହଁରେ ବାହାରେ, କୁଆମାନଙ୍କ ଉଦ୍ଦେଶ୍ୟରେ ମୁଢ଼ି ଗଣ୍ଡାଏ ପକାଇ ଆସେ। କୁଆକୁ ଖାଇବାକୁ ଦେଲେ ଘରେ କଳି ହୁଏନି ବୋଲି ଏହା ପଛର ଲୋକ ବିଶ୍ୱାସ ରହିଛି। ହେଲେ କଳି ହୋଇଥିଲେ ଜଲ୍ଦି ତୁଟେ କି ନାହିଁ ସେ କଥା ସେ ଜାଣେନି। ଦିନେ ରାତିରେ ସ୍ୱାମୀ, ସ୍ତ୍ରୀ ଓ ଶାଶୂ ଭିତରେ କଳି ଲାଗିବା ପରେ ସେ ଏହାର ସମାଧାନର ବାଟ ଖୋଜେ। ଅତୁଟ ନିରବତାକୁ ଭାଙ୍ଗେ ଏବଂ ପରେ ନିଜେ ନିଜ ମୁହଁରେ କଳଙ୍କି ଲଗା ତାଲା ଦେଇ ସେମାନଙ୍କୁ ବିଦ୍ରୂପ କରେ। ଏଭଳି ଏକ ଚର୍ଚ୍ଚିତ ଗପ ‘କୁଆ’ ଆଜି ଶୁଣିବାକୁ ମିଳିଥିଲା ଅଭିଲେଖାଗାର ପ୍ରେକ୍ଷାଳୟରେ। ୧୯୯୬ରେ ଲେଖାଯାଇଥିବା ଏହି ଗପ ଆଜି ୩୯ ମିନିଟ୍ ଧରି ପାଠକଙ୍କୁ ନିରବରେ ଉପଭୋଗ କରିବାର ସୁଯୋଗ ସୃଷ୍ଟି କରିଥିଲା। କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ‘କଥାସନ୍ଧି’ କାର୍ଯ୍ୟକ୍ରମରେ ଏଭଳି ଏକ ନିଚ୍ଛକ ପାରିବାରିକ କାହାଣୀ ଓ ଆତ୍ମୀୟଙ୍କ ମଧ୍ୟରେ ହେଉଥିବା ମିଠା କଳିକୁ ପାଠକଙ୍କ ସାମ୍ନାରେ ପରଷିଥିଲେ କଥାକାର କମଳାକାନ୍ତ ମହାପାତ୍ର। କାର୍ଯ୍ୟକ୍ରମରେ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ବିଜୟାନନ୍ଦ ସିଂହ ଓ ସଦସ୍ୟ ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ମିହିର କୁମାର ସାହୁ ସ୍ୱାଗତ ଭାଷଣ ଦେଇଥବା ବେଳେ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us