ଫୋକସ୍‌ରେ ବସ୍ତିବାସିନ୍ଦା, ବସ୍ତିରେ ଟିକାକରଣ ତ୍ବରାନ୍ବିତ କରିବାକୁ ରଣନୀତି ପ୍ରସ୍ତୁତ

ଭିନ୍ନକ୍ଷମଙ୍କ ପାଇଁ ଆରମ୍ଭ ହେବ ସ୍ବତନ୍ତ୍ର ଅଭିଯାନ

ଫୋକସ୍‌ରେ ବସ୍ତିବାସିନ୍ଦା, ବସ୍ତିରେ ଟିକାକରଣ ତ୍ବରାନ୍ବିତ କରିବାକୁ ରଣନୀତି ପ୍ରସ୍ତୁତ

Photo by : pinimg.com

ଭୁବନେଶ୍ବର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ’ ହୁ’ ବଢ଼ୁଥିବାରୁ ଏବେ ଟିକା ନେବାକୁ ଲୋକେ ବ୍ୟସ୍ତ ହୋଇଗଲେଣି। ହେଲେ ଅନଲାଇନ୍‌ରେ ବୁକିଂ କରି ସ୍ଲଟ୍ ମିଳିବା ପରେ ଯାଇ ଟିକା ନେବାର ସୁବିଧା ଥିବାରୁ ବହୁ ବସ୍ତିବାସିନ୍ଦା ଟିକା ନେଇପାରୁନାହାନ୍ତି। ତେଣୁ ବିଏମ୍‌ସି ପକ୍ଷରୁ ବସ୍ତିରେ ଟିକାକରଣ ଜୋରଦାର୍ କରିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ବିଏମ୍‌ସି କମିସନର ଭାବେ ନୂଆ କରି ଦାୟିତ୍ବ ନେଇଥିବା ସଞ୍ଜୟ ସିଂହ ଆଜି ରାଜଧାନୀର ବିଭିନ୍ନ ଟିକାଦାନ କେନ୍ଦ୍ର ବୁଲିବା ପରେ ବିଏମ୍‌ସି ଫୋକସ୍‌ରେ ବସ୍ତି ରହିଛି ବୋଲି କହିଛନ୍ତି।

କମିସନର ଶ୍ରୀ ସିଂହ କହିଛନ୍ତି ଯେ ବସ୍ତିରେ ଲୋକଙ୍କୁ ଯେପରି ସୁବିଧାରେ ଟିକା ମିଳିବ, ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଠାରେ ସ୍ଲଟ୍ ବୁକିଂ ବାଧ୍ୟତାମୂଳକ କରାଯାଇନି। ସେମାନଙ୍କ ପାଇଁ ସ୍ବତନ୍ତ୍ର କେନ୍ଦ୍ରର ଆୟୋଜନ କରି ଟୋକନ୍ ମାଧ୍ୟମରେ ଟିକା ଦିଆଯାଉଛି। ସବୁ ବସ୍ତିବାସିନ୍ଦାଙ୍କୁ ଠିକ୍ ସମୟରେ ଟିକା ମିଳିବ। ସହରବାସୀଙ୍କ ଉଦ୍ଦେଶ୍ୟରେ କମିସନର କହିଛନ୍ତି ଯେ ଯେଉଁମାନେ ଟିକାଦାନ କେନ୍ଦ୍ରକୁ ଆସୁଛନ୍ତି, ସେମାନେ ତାଙ୍କର ସ୍ଲଟ୍ ବୁକିଂ ସମୟରେ ଆସନ୍ତୁ। ଅଯଥା ଆଗରୁ ଆସି ଭିଡ଼ ନ କରନ୍ତୁ। ଯେଉଁ ସମୟରେ ‌ସ୍ଲଟ୍ ମିଳୁଛି, ସେହି ସମୟରେ ହିଁ ଆସନ୍ତୁ। ସେହିପରି ବହୁ ଭିନ୍ନକ୍ଷମଙ୍କୁ ଟିକାକରଣ ନେଇ ସମସ୍ୟା ହେଉଥିବା ଜଣାପଡ଼ିଛି। ତେଣୁ ସେମାନଙ୍କ ସୁବିଧା ନିମନ୍ତେ ବିଏମ୍‌ସି ପକ୍ଷରୁ ଖୁବ୍‌ ଶୀଘ୍ର ସ୍ବତନ୍ତ୍ର ଡ୍ରାଇଭ୍ କରାଯିବ। ଏବେ ଡ୍ରାଇଭ୍-ଇନ୍‌-ଟିକା କାର୍ଯ୍ୟକ୍ରମରେ ବହୁ ଲୋକ ସୁବିଧାରେ ଟିକା ନେଇପାରୁଛନ୍ତି। ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ରାଜଧାନୀର ବିଭିନ୍ନ ବସ୍ତିରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଭିନ୍ନ ବସ୍ତିରେ ଏବେ ପ୍ରାୟ ୧୦୦ରୁ ଅଧିକ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ତେଣୁ ବସ୍ତିରେ ଯେପରି କରୋନା ପୂରା ନିୟନ୍ତ୍ରଣ ବାହାରକୁ ନ ଯିବ, ସେଥିପାଇଁ ବିଏମ୍‌ସି ତତ୍ପରତା ଦେଖାଇଛି। ବିଏମ୍‌ସି କମିସନର୍‌ ଆଜି ୟୁନଟ୍‌-୨, ୟୁନିଟ୍‌-୩, ୟୁନିଟ୍‌-୯ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଲୟୋଲା ସ୍କୁଲ ଓ ଜୟଦେବବିହାରସ୍ଥିତ ଟିକାକରଣ କେନ୍ଦ୍ର ବୁଲିଥିଲେ। କମିସନରଙ୍କ ପରିଦର୍ଶନ ସମୟରେ ବିଏମ୍‌ସିର ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦ, ଅଂଶୁମାନ ରଥ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ‌ଯେ ବସ୍ତିବାସିନ୍ଦା, ଆବାସିକ କଲ୍ୟାଣ ସଂଘ, ବରିଷ୍ଠ ନାଗରିକମାନଙ୍କୁ ସୁବିଧାରେ ଟିକା ଦେବା ପାଇଁ ବିଏମ୍‌ସି ପକ୍ଷରୁ ପ୍ରାୟ ୧୫ଟି କେନ୍ଦ୍ରରେ ଦୈନିକ ୧୬୦୦ ଟିକା ଦିଆଯାଉଛି। କୋଭିଡ୍‌ ସଚେତକ ଓ ୱାର୍ଡ ଅଫିସର୍‌ଙ୍କ ମାଧ୍ୟମରେ ଏହି ଅଭିଯାନ ଚାଲିଛି।

ଲକ୍‌ଡାଉନ୍, ସଟ୍‌ଡାଉନ୍ ନିଷ୍ପତ୍ତି ରାଜ୍ୟ ସରକାର ନେବେ: କମିସନର
ରାଜ୍ୟରେ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ହିଁ ଏକମାତ୍ର ମାଧ୍ୟମ। ଏବେ କରୋନା ସଂକ୍ରମଣ ଶୀର୍ଷରେ ଥିବା ବେଳେ ବିଏମ୍‌ସି ଓ କମିସନରେଟ୍ ପୁଲିସ ମିଳିତ ଭାବେ କାମ କରୁଛନ୍ତି। ହେଲେ ଆଗକୁ ଲକ୍‌ଡାଉନ୍, ସଟ୍‌ଡାଉନ୍ ବଢ଼ିବ କି ନାହିଁ, ସେ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ବିଏମ୍‌ସି କମିସନର କହିଛନ୍ତି। ଏହାବାଦ୍ ସେ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି ଯେ ‌ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ପାଳନ କରନ୍ତୁ।

ଲକ୍ଷଣ ଥିଲେ ୧୯୨୯ ନମ୍ବରରେ ଫୋନ୍‌ କର
ରାଜଧାନୀରେ ପ୍ରାୟ ୨୦ରୁ ଅଧିକ ସ୍ଥାନ‌ରେ ମାଗଣାରେ କୋଭିଡ ଟେଷ୍ଟିଂ ହେଉଛି। ବିଭିନ୍ନ ବେସରକାରୀ ଅନୁଷ୍ଠାନ ବି କୋଭିଡ୍‌ ପରୀକ୍ଷା କରୁଛନ୍ତି। ତେଣୁ ଅଧିକରୁ ଅଧିକ ଲୋକ ପରୀକ୍ଷା କରିବା ଦରକାର। ଯେଉଁମାନଙ୍କର କୌଣସି କରୋନା ଲକ୍ଷଣ ଦେଖାଯାଉଛି, ସେମାନେ ଆବଶ୍ୟକ ପରାମର୍ଶ ଓ ଟେଷ୍ଟିଂ ପାଇଁ ୧୯୨୯କୁ ଫୋନ୍‌ କରନ୍ତୁ। କରୋନାକୁ କେହି ନ ଲୁଚାଇ ଏହାର ଚିକିତ୍ସା କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe