ଚନ୍ଦ୍ରଶେଖରପୁରରେ ଆରମ୍ଭ ହେଲା ଷ୍ଟ୍ରିଟ୍ ମଜା, ଆରମ୍ଭରୁ ଉତ୍ସାହ, ୬ ସପ୍ତାହ ଚାଲିବ

ଚନ୍ଦ୍ରଶେଖରପୁରରେ ଆରମ୍ଭ ହେଲା ଷ୍ଟ୍ରିଟ୍ ମଜା, ଆରମ୍ଭରୁ ଉତ୍ସାହ, ୬ ସପ୍ତାହ ଚାଲିବ

ଚନ୍ଦ୍ରଶେଖରପୁର: ସକାଳୁ ସକାଳୁ ଲୋକାରଣ୍ୟ ହୋଇଉଠିଥିଲା ନନ୍ଦନକାନନ ରାସ୍ତା। ନୀଳାଦ୍ରିବିହାର ପେଟ୍ରୋଲ୍ ପମ୍ପଠାରୁ ଡମଣା ଛକ ପର୍ଯ୍ୟନ୍ତ ପ୍ରାୟ ଅଧ କିଲୋମିଟର ରାସ୍ତାରେ ଲୋକଙ୍କ ଭିଡ଼ ଜମିଥିଲା। ଅବସର ଥିଲା ‘ଷ୍ଟ୍ରିଟ୍‌ ମଜା’ର।

ଆଜିଠାରୁ ଆରମ୍ଭ ହୋଇଥିବା ଚନ୍ଦ୍ରଶେଖରପୁର ଷ୍ଟ୍ରିଟ୍ ମଜାକୁ ଭୁବନେଶ୍ବର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ପଥ ଉତ୍ସବ ଭଳି ଏହି ଷ୍ଟ୍ରିଟ୍ ମଜା ଉତ୍ସବ ପ୍ରତି ରବିବାର ଆୟୋଜିତ ହେବ। ନୀଳାଦ୍ରିବିହାର ପେଟ୍ରୋଲ୍ ପମ୍ପଠାରୁ ଆରମ୍ଭ କରି ଡମଣା ଛକ ପର୍ଯ୍ୟନ୍ତ ପ୍ରାୟ ଅଧକିଲୋମିଟର ରାସ୍ତାର ଗୋଟିଏ ପାର୍ଶ୍ବରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା। ପୂର୍ବ ସୂଚନା ନଥିବାରୁ ପ୍ରଥମ ଦିନରେ ଜନଗହଳି ଏତେଟା ଆଖିଦୃଶିଆ ହୋଇନଥିଲେ ମଧ୍ୟ ଆଗାମୀ ଦିନରେ ଗହଳି ବଢ଼ିବ ବୋଲି ଆଶା କରାଯାଉଛି। ସକାଳ ପ୍ରାୟ ସାଢ଼େ ୬ଟାରୁ ସାଢ଼େ ସାତଟା; ମାତ୍ର ଘଣ୍ଟାକ ପାଇଁ ସ୍ଥାନୀୟ ଅଞ୍ଚଳର ବରିଷ୍ଠଙ୍କଠାରୁ କନିଷ୍ଠ ପର୍ଯ୍ୟନ୍ତ: ରାସ୍ତା ଉପରେ ମର୍ଣ୍ଣିଂୱାକ୍ ସହ ଚାଲିଲା ନାଚଗୀତ, ଯୋଗ, ଧ୍ୟାନ, ଖେଳକୁଦ ଓ ବିଭିନ୍ନ କଳାକୌଶଳ ପ୍ରଦର୍ଶନ କରିଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା।

ଚନ୍ଦ୍ରଶେଖରପୁର ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନୃତ୍ୟ ଓ ସଂଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ନୃତ୍ୟ, ଗୀତ ପରିବେଷଣ କରିଥିଲେ। ମହିଳାମାନେ ଝୋଟି ପକାଇଥିଲେ। ଆଗାମୀ ଦିନରେ ବିଭିନ୍ନ ସ୍କୁଲ୍, କଲେଜ୍ ଓ ହଷ୍ଟେଲ୍ ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସାମିଲ୍ କରାଯିବ ବୋଲି କମିଟିର ସଭାପତି ଆଇନଜୀବୀ ମଧୁମାଧବ ଜେନା କହିଛନ୍ତି। କମିଟି ମାତ୍ର ୬ଟି ରବିବାର ପାଇଁ ସକାଳୁ ମାତ୍ର ଏକ ଘଣ୍ଟା ଲାଗି ଅନୁମତି ପାଇଥିବା ବେଳେ ଯଦି ଏହା ସାଧାରଣ ଲୋକଙ୍କ ଆଦର ଓ ପ୍ରୋତ୍ସାହନ ପାଏ, ତେବେ ବର୍ଷା ଋୁତ ଆସିବା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି।

କାର୍ଯ୍ୟକ୍ରମରେ ଏଲ୍‌ପି ଟିମ୍ ପକ୍ଷରୁ ପଥପ୍ରାନ୍ତ ନାଟକ, ପଟିଆ କବାଡ଼ି ଟିମ୍ ପକ୍ଷରୁ କବାଡ଼ି ଖେଳ, ସୁରକ୍ଷା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଏବଂ ଏନୱାଇସିଏ ପକ୍ଷରୁ ପରସ୍ପର ମଧ୍ୟରେ ଭାଇଚାରା ସୃଷ୍ଟି କରିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମକୁ କମିଟିର ସମ୍ପାଦକ ବିଜୟ ପାତ୍ର, ଆଇନଜୀବୀ ସମରେନ୍ଦ୍ର ସାହୁ, ଇଂ ଦିଲ୍ଲୀପ ସାହୁ, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ମନୋଜ ସାହୁ, ଶିକ୍ଷାବିତ୍ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରସନ୍ନ ପାଣି ପ୍ରମୁଖ ସହଯୋଗ କରିଥିଲେ। ଶୈଳଶ୍ରୀ ବିହାରର ସଂକଳ୍ପ ବରିଷ୍ଠ ନାଗରିକ ସଂଘ, ଶିରିଡ଼ି ସାଇ ସନ୍ଥ ଆଶ୍ରମ ଓ ଜରାନିବାସର ସଭ୍ୟ ଓ ଅନ୍ୟାନ୍ୟ ସଂଗଠନ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe