ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ଦରମା ମିଳିବା ପରେ କାର୍ଯ୍ୟରେ ଯୋଗଦେଲେ କର୍ମଚା‌ରୀ

Advertisment

ଅବ୍ୟବସ୍ଥାରେ ଚାଲିଲା‌ କ୍ୟାପିଟାଲ ହସ୍ପିଟାଲ

ଅବ୍ୟବସ୍ଥାରେ ଚାଲିଲା‌ କ୍ୟାପିଟାଲ ହସ୍ପିଟାଲ

ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ଦରମା ମିଳିବା ପରେ କାର୍ଯ୍ୟରେ ଯୋଗଦେଲେ କର୍ମଚା‌ରୀ

ଭୁବନେଶ୍ବର: ଠିକ୍‌ ସମୟରେ ଦରମା ମିଳୁନଥିବା ଓ ସୁରକ୍ଷାକର୍ମୀଙ୍କୁ ମାଡ଼ ମରାଯାଇଥିବା ପ୍ରତିବ‌ାଦରେ ଆଜି ଆଉଟ୍‌ସୋର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ ରଖିବା ସହିତ ପ୍ରଶାସନିକ ବିଭାଗ ସମ୍ମୁଖରେ ଆନ୍ଦୋଳନରେ ବସିଥିଲେ। ଦିନ ତମାମ ଆନ୍ଦୋଳନ ଚାଲିବା ପରେ ଅପରାହ୍ନରେ ମାଡ଼ ମରାଯିବା ଘଟଣାର ତଦନ୍ତର ପ୍ରତିଶ୍ରୁତି ଓ ଆକାଉଣ୍ଟକୁ ଦରମା ଟଙ୍କା ଆସିବା ପରେ କର୍ମଚାରୀମାନେ ଆନ୍ଦୋଳନରୁ ହଟି କାର୍ଯ୍ୟ‌‌ରେ ଯୋଗଦେଇଥିଲେ। ସୂଚନାନୁସାରେ କ୍ୟାପିଟାଲ ହସ୍ପିଟାଲର ହାଉସ୍‌କିପିଂ ଓ ସୁରକ୍ଷାକର୍ମୀଙ୍କୁ ଠିକ୍‌ ସମୟରେ ଦରମା ମିଳୁନଥିବା ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ଚଳିତ ମାସରେ ଆଉଟ୍‌ସୋର୍ସିଂ କମ୍ପାନିର ଅବ‌ହେଳା ଚରମସୀମାରେ ପହଞ୍ଚିଥିଲା। ପଣାସଂକ୍ରାନ୍ତି ଓ ଝାମୁଯାତ୍ରା ପାଇଁ ବହୁ କର୍ମଚାରୀ ଗାଁକୁ ଯିବେ। କିନ୍ତୁ ୧୩ ତାରିଖ ପର୍ଯ୍ୟନ୍ତ ଦରମା‌ ମିଳି ନଥିଲା। ଏହାସହ ଦରମା କମ ଓ ଠିକ୍‌ ସମୟରେ ମିଳୁନଥିବାରୁ କର୍ମଚାରୀ ଓ ତାଙ୍କ ପରିବାର ହଇରାଣ ହେଉଛନ୍ତି।

publive-image

ଘରଭଡ଼ା, ପି‌ଲାଙ୍କ ଟିଉସନ ଫି’ ଆଦି ଠିକ ସମୟରେ ଦେଇପାରୁ ନଥିବା ଅଭିଯୋଗ କରିଛନ୍ତି। ତେଣୁ ଏହି ଅନିୟମିତତାକୁ ବି‌ରୋଧ କରି ଆଉଟସୋ‌ର୍ସିଂ କର୍ମଚାରୀମାନେ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆଜି ସକାଳୁ ଶହ ଶହ ସଂଖ୍ୟାରେ ହାଉସକିପିଂ ଓ ସୁରକ୍ଷାକର୍ମୀ ପ୍ରଶାସନିକ ବିଭାଗ ସମ୍ମୁଖରେ ବସି ରହିଥିଲେ। ପରେ ହସ୍ପିଟାଲ କର୍ତ୍ତୃପକ୍ଷ ସେମାନଙ୍କ ଦରମା କମ୍ପାନିକୁ ପଠାଇ ଦିଆଯାଇଥିବା ଜଣାଇବା ସହିତ କମ୍ପାନି ବହୁତ ଜଲଦି ଦରମା ଦେବ ବୋଲି ପ୍ରତିଶ୍ରୁତି ଦେବା ସହ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଥିଲେ। କିନ୍ତୁ କର୍ମଚାରୀମାନେ ଆଜି ଦରମା ଦେବାକୁ ଅଡ଼ି ବସିଥିଲେ। ଫଳରେ ଦିନ ତମାମ ଆନ୍ଦୋଳନରେ ବସିବା ପରେ ଅପରାହ୍ନରେ ଆକାଉଣ୍ଟକୁ ଦରମା ଟଙ୍କା ଆସିବା ସହ ସୁରକ୍ଷାକର୍ମୀଙ୍କୁ ମାଡ଼ମରା ଘଟଣା ସଠିକ ତଦନ୍ତ କରାଯିବାକୁ ହସ୍ପିଟାଲ ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେବା ପରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିଲେ।

ଚାରିଆଡ଼େ କୁଢ଼କୁଢ଼ ଅଳିଆ, ଓପିଡିରେ ଉତ୍ତେଜନା
ଆଉଟସୋର୍ସିଂ କମର୍ଚାରୀଙ୍କ ଆନ୍ଦୋଳନ ଫଳରେ କ୍ୟାପିଟାଲ ହସ୍ପିଟାଲରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଗତକାଲି ରାତିରୁ ବିଭିନ୍ନ ୱାର୍ଡରୁ ଅଳିଆ ଉଠିନଥିଲା। ଫଳରେ ଗନ୍ଧ‌ରେ ବିଭିନ୍ନ ୱାର୍ଡ ଫାଟି ପଡ଼ିଥିଲା। ଡଷ୍ଟବିନ‌୍‌ରୁ ମେଡିସିନ ଖୋଳ, ଇଞ୍ଜେକସନ, ଗଜକପଡ଼ା ଆଦି ବାହାରି ବିଛୁରିତ ହୋଇ ପଡ଼ିଥିଲା। ଫଳ ଚୋପା, ଖାଦ୍ୟ ପଦାର୍ଥ ଆଦି ପଡ଼ି ହସ୍ପିଟାଲ ପରିସରରେ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ସୁରକ୍ଷାକର୍ମୀମାନେ କାର୍ଯ୍ୟବନ୍ଦ କରିବାରୁ ବିଭିନ୍ନ ଓପିଡିରେ ରୋଗୀ ଦେଖାଇବା ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟ‌ରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା‌। ପରେ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହିତ ଭିଡ଼ ହେଉଥିବା ୱାର୍ଡମାନଙ୍କରେ ରହି ରୋଗୀମାନଙ୍କୁ ଧାଡ଼ିରେ ଛାଡ଼ିଥି‌‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe