କଟକ: ସାଧାରଣ ନିର୍ବାଚନ ଶେଷ ହେବା ପରେ ଏବେ ପ୍ରତ୍ୟେକ ଦଳ ସେମାନଙ୍କ ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତୃଣମୂଳ ସ୍ତରରେ ଦଳର ସ୍ଥିତି ଅଧିକ ମଜଭୁତ୍ କରିବା ପାଇଁ ବିଜେଡି ପକ୍ଷରୁ ଆଗାମୀ ଦିନରେ ଛାତ୍ର, ଯୁବ ଓ ମହିଳା ସଂଗଠନରେ ଏକାଧିକ ପରିବର୍ତ୍ତନ ଅଣାଯିବା ପାଇଁ ଯୋଜନା ଆରମ୍ଭ ହୋଇଯାଇଛି। ବିଶେଷକରି ଦଳର ଦୁଇ ଛାମୁଆ ସଂଗଠନ ଛାତ୍ର ଓ ଯୁବ ଶାଖାର ସଭାପତି ପଦ ପାଇଁ ଆଶାୟୀ ଏବଂ ଯୋଗ୍ୟତା ରଖୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ଛାତ୍ର ବିଜେଡିର ରାଜ୍ୟ ସଭାପତି କିଏ ହେବ, ତାହାକୁ ନେଇ ଦୌଡ଼ ଆରମ୍ଭ ହୋଇଗଲାଣି। କଟକର ଏକାଧିକ ସକ୍ରିୟ ଛାତ୍ର ନେତା ଏହି ଦୌଡ଼ରେ ଆଗରେ ରହିଛନ୍ତି। ବର୍ତ୍ତମାନ ହରିଶଙ୍କର ରାଉତ ଛାତ୍ର ବିଜେଡି ମହାସଚିବ ପଦରେ କାର୍ଯ୍ୟ କରି ଆସୁଥିବା ବେଳେ ଛାତ୍ର ସଂଗଠନରେ ଥିବା ସୌଭିକ ବିଶ୍ବାଳ ଓ ଦେବୀରଂଜନ ତ୍ରିପାଠୀ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତେଣୁ ଦୁଇ ଯୁବ ବିଧାୟକଙ୍କୁ ଛାତ୍ର ବିଜେଡିରୁ ଯୁବ ବିଜେଡିକୁ ପଦୋନ୍ନତି ମିଳିବ ନା ଛାତ୍ର ବିଜେଡି ସଭାପତି ପଦରେ ଏମାନଙ୍କୁ ରଖାଯିବ, ତାହାକୁ ନେଇ ଆକଳନ ଚାଲିଥିବା ବେଳେ ଅନ୍ୟପଟେ ଛାତ୍ର ବିଜେଡିର ସାଧାରଣ ସଂପାଦକ ଥିବା ଚିନ୍ମୟ ଦାସ ନିଜର ସାଂଗଠନିକ ଦକ୍ଷତା ଯୋଗୁଁ ସଭାପତି ଦୌଡ଼ରେ ଚର୍ଚ୍ଚାରେ ଅଛନ୍ତି। ସଭାପତି ଦୌଡ଼ରେ ଏହି ୪ଜଣଙ୍କ ନାମକୁ ନେଇ ଏବେ କଟକର ଛାତ୍ର ରାଜନୀତି ମଧ୍ୟ ସରଗରମ ରହିଛି। ତଥାପି ଦଳ ସୁପ୍ରିମୋଙ୍କ ନିଷ୍ପତ୍ତି ପରେ ସବୁ କିଛି ନିର୍ଭର କରୁଥିବା କୁହାଯାଉଛି।
ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ତଥା ଛାତ୍ର ବିଜେଡିର କାର୍ଯ୍ୟକାରୀ ସଭାପତି ଦେବୀରଂଜନ ସହରର ପଶ୍ଚିମ ଭାଗରେ ରହୁଥିବା କଲେଜଗୁଡ଼ିକୁ ନିୟନ୍ତ୍ରଣ କରୁଥିଲେ। ତାଙ୍କ ଦ୍ବାରା ଚୟନ ହେଉଥିବା ପ୍ରାର୍ଥୀମାନେ ଅଧିକାଂଶ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟୀ ହେଉଥିଲେ। ଅନ୍ୟପକ୍ଷରେ ପୂର୍ବାଞ୍ଚଳର ପ୍ରମୁଖ ଶିକ୍ଷାନୁଷ୍ଠାନ ରେଭେନ୍ସାରେ ଶିଶିର ପରିଜା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ଛିଡ଼ା ହେଉଥିବାରୁ ତାଙ୍କୁ ଟକ୍କର୍ ଦେବାକୁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ପୁଅ ସୌଭିକଙ୍କୁ ବଛା ଯାଇଥିଲା। ଏହାସତ୍ତ୍ବେ ଶିଶିର ତାଙ୍କ ବାଟରେ କଣ୍ଟା ହେଉଥିବାରୁ ଶିଶିରଙ୍କୁ ସନ୍ତୁଷ୍ଟ କରିବା ପାଇଁ ତାଙ୍କୁ ଯୁବ ବିଜେଡି ମହାସଚିବ କରିଦିଆଗଲା ଏବଂ ସୌଭିକଙ୍କ ରାସ୍ତା ଫିଟାଇ ଦିଆଯାଇ ସାଧାରଣ ସଂପାଦକରୁ ଉପସଭାପତିକୁ ପଦୋନ୍ନତି ଦିଆଯାଇଥିଲା। ଅନ୍ୟପକ୍ଷରେ ଗତ ୩ ବର୍ଷ ଧରି ଛାତ୍ର ବିଜେଡିର ସଭାପତି ପାଇଁ ଆଶାୟୀ ତିବା ରେଭେନ୍ସା ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ହରିଶଙ୍କର ଅନେକ ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହୁଛନ୍ତି। ଛାତ୍ର ବିଜେଡିର ମହାସଚିବ କରାଯିବା ପରେ ବିଜେପୁର ସମେତ ବିଭିନ୍ନ ନିର୍ବାଚନମଣ୍ଡଳୀର ପର୍ଯ୍ୟବେକ୍ଷକ ଦାୟିତ୍ବ ନିର୍ବାହ କରିଛନ୍ତି। କିନ୍ତୁ ଅନ୍ୟପଟେ ଚିନ୍ମୟ ମଧ୍ୟ ନିଜର ସାଂଗଠନିକ ଦକ୍ଷତା ପ୍ରମାଣିତ କରିଚାଲିଛନ୍ତି। ଏକାଧିକ ରକ୍ତଦାନ ଶିବିର ଆୟୋଜନ ବିଭିନ୍ନ କଲେଜରେ ଛାତ୍ର ବିଜେଡି ସଂଗଠନକୁ ସକ୍ରିୟ କରି ଆସିଥିବା ଚିନ୍ମୟ ରାଜ୍ୟ ସଭାପତି ଦୌଡ଼ରେ ରହିଛନ୍ତି। ସହରରେ କୌଣସି ଦଳୀୟ କାର୍ଯ୍ୟକ୍ରମ ବେଳେ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରାଇ ତାଙ୍କର ସ୍ଥିତି ଜାହିର କରି ଆସିଛନ୍ତି। କେବଳ କଟକ ନୁହେଁ, ଭୁବନେଶ୍ୱରର ମଧ୍ୟ ଅନେକ କାର୍ଯ୍ୟକ୍ରମରେ ତାଙ୍କ ସାଂଗଠନିକ ଦକ୍ଷତାର ପ୍ରମାଣ ଦେଇଛନ୍ତି। କଟକର ଏହି ଚାରି ଯୁବ ନେତାଙ୍କୁ ଦଳର ସୁପ୍ରିମୋ କେଉଁ ଦାୟିତ୍ବ ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।
Follow Us