ଓୟୁଏଟି ଫି’କୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ: ଟ୍ୟୁସନ ଫି’ ବୃଦ୍ଧି ହୋଇ ନାହିଁ: କୁଳପତି

Advertisment
୧୧ରୁ ଖୋଲିବ ଓୟୁଏଟି

Collegedunia

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଅଧୀନ କଲେଜର ଫି’ ଆଦାୟକୁ ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କରୋନା ମହାମାରୀ ସମୟରେ କେତେକ କଲେଜ କର୍ତୃପକ୍ଷ ଫି’ ବୃଦ୍ଧି କରିଛନ୍ତି। ହଷ୍ଟେଲରେ ରହୁ ନ ଥିଲେ ମଧ୍ୟ ଫି’ ଆଦାୟ ହେଉଛି। ଏମିତିକି ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ କରୋନା ପାଇଁ ନାମଲେଖା ଫି’ କିଛି ମାତ୍ରାରେ ହ୍ରାସ କରୁଥିବା ବେଳେ ଏଠାରେ କିନ୍ତୁ ପୂର୍ବ ନିର୍ଦ୍ଧାରିତ ଫି’ ଆଦାୟ ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏଦିଗରେ ରାଜ୍ୟ ସରକାର ଧ୍ୟାନ ଦେବାକୁ ଛାତ୍ରଛାତ୍ରୀ ସାମାଜିକ ଗଣମା‌ଧ୍ୟମରେ ଅଭିଯାନ ଆରମ୍ଭ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଓୟୁଏଟି ଅଧୀନ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପୂର୍ବ ସେମିଷ୍ଟରରେ ବିଭିନ୍ନ ଫି’ ଦେଇଛନ୍ତି। ମାତ୍ର କରୋନା ପାଇଁ କଲେଜର କୌଣସି କାର୍ଯ୍ୟକ୍ରମ ଆୟୋଜନ ହୋଇନି। ୮ ମାସ ହେଲା ହଷ୍ଟେଲ ଚାଲୁନି। କଲେଜଗୁଡ଼ିକ ଏହି ସବୁ ବଳକା ଦେୟକୁ ପରବର୍ତ୍ତୀ ସେମିଷ୍ଟରର ପଞ୍ଜୀକରଣ ସମୟରେ ବ୍ୟବହାର କରିବା ପରିବର୍ତ୍ତେ ପୁନର୍ବାର ଅର୍ଥ ଆଦାୟ କରୁଛନ୍ତି। କରୋନା ବେଳେ ହଷ୍ଟେଲକୁ ବିଏମ୍‌ସି ପକ୍ଷରୁ ସଙ୍ଗରୋଧ କେନ୍ଦ୍ର କରାଯାଇଥିଲା। ତେଣୁ ହଷ୍ଟେଲର ପାଣି, ବିଦ୍ୟୁତ୍‌ ବିଲ୍‌ ଓ ଅନ୍ୟାନ୍ୟ ଖର୍ଚ୍ଚ ବିଏମ୍‌ସି ବହନ କରିବା କଥା। ଏଥିପାଇଁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିକଟରୁ ଅର୍ଥ ଆଦାୟ କରିବା ଯଥାର୍ଥ ନୁହେଁ। ଏଥିସହ ପୂର୍ବ ସେମିଷ୍ଟରରେ ମହାମାରୀ ସମୟରେ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢାଯାଇ ଥିବାରୁ ଲ୍ୟାବ୍‌ ବ୍ୟବହାର ହୋଇନି। ତେଣୁ କେଉଁ ଆଧାରରେ ଏତେ ଫି’ ଆଦାୟ କରୁଛନ୍ତି। କରୋନା ଯୋଗୁଁ ଅନେକ ପିଲାଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଯାଇଛି। ସ୍ୱଳ୍ପ ସମୟ ମଧ୍ୟରେ ଏତେ ପରିମାଣର ଅର୍ଥ ଯୋଗାଡ଼ କରିବା ସମ୍ଭବ ନୁହେଁ। ଏହି ସବୁ ସମସ୍ୟା ବିଷୟରେ ଓୟୁଏଟି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ବିଶ୍ବବିଦ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଯେ ହଷ୍ଟେଲ ବନ୍ଦ ରହିଥିଲେ ମଧ୍ୟ ଛାତ୍ରଛତ୍ରୀଙ୍କ ସାମଗ୍ରୀ ରହିଛି। ସୁରକ୍ଷା ପାଇଁ ସୁରକ୍ଷା କର୍ମୀ ନି‌ୟୋଜିତ ହୋଇଛନ୍ତି। ହଷ୍ଟେଲର ଲାଇଟ୍‌ ବି ଜଳୁଛି। ସେ ବାବଦ ଫି’ କିଭଳି ଭରଣା କରାଯିବ। ସଙ୍ଗରୋଧ କେନ୍ଦ୍ର ହୋଇଥିବା ନେଇ ଯେଉଁ କଥା କୁହାଯାଉଛି ସେନେଇ ପରବର୍ତୀ ସମୟରେ ଆଲୋଚନା କରାଯିବ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପୱନ ଅଗ୍ରୱାଲ୍‌ କହିଛନ୍ତି ଯେ ଦେଢ଼ ବର୍ଷ ହେଲା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଟ୍ୟୁସନ ଫି’ରେ କୌଣସି ବୃଦ୍ଧି ହୋଇନାହିଁ। କରୋନା ସମୟରେ ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟି ରଖି ଏଥର ବି ଫି’ ବୃଦ୍ଧି ହୋଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe