ସୁଇମିଂ ପୁଲ୍‌ରେ ବୁଡ଼ି ମୃତ୍ୟୁ ମାମଲା : କ୍ଲବ୍‌ କର୍ତ୍ତୃପକ୍ଷ ଓ ପ୍ରଶିକ୍ଷକଙ୍କୁ ଜେରା

Advertisment
ସୁଇମିଂ ପୁଲ୍‌ରେ ବୁଡ଼ି ମୃତ୍ୟୁ ମାମଲା : କ୍ଲବ୍‌ କର୍ତ୍ତୃପକ୍ଷ ଓ ପ୍ରଶିକ୍ଷକଙ୍କୁ ଜେରା

HomeAway

ଭୁବନେଶ୍ୱର : ଭୁବନେଶ୍ବର କ୍ଲବ୍‌ ସୁଇମିଂ ପୁଲ୍‌ରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ମାମଲାରେ ତନାଘନା ହୋଇଛି। ଏ ନେଇ ବିଭିନ୍ନ ମହଲରୁ ସମବେଦନାର ସୁଅ ଛୁଟିଛି। ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ ଜୋରଦାର କରିଛି। ଗତକାଲି ବିଳମ୍ବିତ ରାତିରେ ପ୍ରଶିକ୍ଷକଙ୍କୁ ଡାକି ପୁଲିସ ଜେରା କରିଥିବା ବେଳେ ଆଜି ଆୟୋଜକଙ୍କୁ ଜେରା କରାଯାଇଛି। ତା’ସହ ଏଠାରେ କେତେ ଜଣ ପ୍ରଶିକ୍ଷଣ ନେଉଛନ୍ତି, ସେମାନଙ୍କର ବୟସ କେତେ, କେତେଜଣ ପିଲାଙ୍କ ପାଇଁ କେତେଜଣ ପ୍ରଶିକ୍ଷକ ରହିଛନ୍ତି, ସୁରକ୍ଷା ପାଇଁ କ’ଣ ବ୍ୟବସ୍ଥା କରାଯାଇଛି ତାହାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇଛି। ଅନ୍ୟପଟେ କ୍ଲବର ମ୍ୟାନେଜ୍‌ମେଣ୍ଟ ମୁହଁ ଖୋଲିଛି। ଏଠାରେ ଗ୍ରୀଷ୍ମକାଳୀନ ଶିବିର ଆୟୋଜନ ହୁଏ ନାହିଁ ବୋଲି ସ୍ପଷ୍ଟ କରିଛି। ଏନେଇ କ୍ଲବର ଅବୈତନିକ ସମ୍ପାଦକ ଅଶୋକ ଚିଞ୍ଚେଲା ସୂଚନା ଦେଇଛନ୍ତି, କ୍ଲବରେ ଥିବା ସୁଇମିଂ ପୁଲ କେବଳ କ୍ଲବ ମେମ୍ବର ଓ ମେମ୍ବରଙ୍କ ଦ୍ବାରା ଆବେଦନ କରିଥିବା ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ। ପ୍ରାଣ ହରାଇଥିବା ଅଣମେମ୍ବର କେଉଁ ପରିସ୍ଥିତିରେ କ୍ଲବ୍‌ ଭିତରେ ପ୍ରବେଶ କଲେ ଓ କିଭଳି ସୁଇମିଂ ପୁଲ ପର୍ଯ୍ୟନ୍ତ ଗଲେ, ତାହାର ଅନୁସନ୍ଧାନ ଆରମ୍ଭ ହୋଇଛି। କ୍ଲବ ନିଜ ଆଡ଼ୁ ତଦନ୍ତ କରିବା ସହ ପୁଲିସ ମଧ୍ୟ କରୁଛି। ତଦନ୍ତ ପରେ ଦୋଷୀ ବିରୋଧରେ କ୍ଲବ୍‌ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏଭଳି ଏକ ଜୀବନ ଚାଲି ଯାଇଥିବାରୁ କ୍ଲବ୍‌ର କର୍ମଚାରୀ ତଥା ସମସ୍ତ ସଦସ୍ୟ ଦୁଃଖ ପ୍ରକାଶ କରିବା ସହ ମୃତକର ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ସେ କହିଛନ୍ତି। କିନ୍ତୁ ମୃତକଙ୍କ ମା’ଙ୍କ କହିବା ଅନୁଯାୟୀ ସେ ସେଠାରେ ନାମ ଲେଖାଇବା ପାଇଁ ୩ ହଜାର ଟଙ୍କା ଦେଇଥିଲା। କିନ୍ତୁ ତାର ନାମ ରେଜିଷ୍ଟରରେ ଚଢ଼ା ଯାଇନାହିଁ। ଅନ୍ୟପଟେ କ୍ୟାପିଟାଲ ଥାନା ଆଇଆଇସି ଗିରିଜା ଚକ୍ରବର୍ତ୍ତୀ କହିଛନ୍ତି, ପ୍ରଶିକ୍ଷଣ ପାଉଥିବା ଛାତ୍ରଙ୍କ ତାଲିକାରେ ମୃତକଙ୍କର ନାମ ଚଢ଼ି ନଥିଲେ ମଧ୍ୟ ସମ୍ପୃକ୍ତ ଛାତ୍ର ଏଠାରେ ଶିଖିବା ପାଇଁ ଯୋଗାଯୋଗ କରିଥିଲା। ତାଙ୍କଠାରୁ ପ୍ରବେଶିକା ଦେୟ ବାବଦକୁ ଅର୍ଥ ମଧ୍ୟ ଆଦାୟ ହୋଇଥିଲା। ଘଟଣା ଦିନ ମୃତକ ଏଠାକୁ ଆସିଥିବା ପ୍ରମାଣ ସିସିଟିଭିରେ ରହିଛି। ମୃତକଙ୍କ ଗାଡ଼ି ଭୁବନେଶ୍ବର କ୍ଲବ ପରିସରରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ମୋବାଇଲ ମଧ୍ୟ ଏଠାରୁ ଠାବ କରାଯାଇଛି। ଏଣୁ କେହି କିଛି ଜାଣିପାରିନାହାନ୍ତି, ତାହା ଗ୍ରହଣୀୟ ନୁହେଁ। ତଦନ୍ତ ଚାଲିଛି। ତଦନ୍ତରେ ଯେଭଳି କୌଣସି ତ୍ରୁଟି ରହି ନଯାଏ, ସେଥିପାଇଁ ଡାକ୍ତର ମଧ୍ୟ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି। ଯାହାର ଅବହେଳା ପାଇଁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ପ୍ରମାଣ ମିଳିବ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବେଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନା ମୁତବକ, ଗତକାଲି ଭୁବନେଶ୍ବର କ୍ଲବ ପରିସରରେ ଥିବା ସୁଇମିଂ ପୁଲ୍‌ରେ ଡୁମୁଡୁମାର ସନ୍ଦୀପ ସାହୁ ବୁଡ଼ି ପ୍ରାଣ ହରାଇଥିଲେ। ଗତକାଲି ସକାଳ ୯ଟା ବେଳେ ତାଙ୍କର ଶବ ସୁଇମିଂ ପୁଲ୍‌ରୁ ଉଦ୍ଧାର କରାଯାଇଥିଲା। ପ୍ରଶିକ୍ଷଣ ପାଇବାକୁ ଆସି କିଭଳି ବୁଡ଼ି ଗଲେ, ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ଆଜି କର୍ତ୍ତୃପକ୍ଷଙ୍କ ଏଭଳି ଉତ୍ତର ପ୍ରସଙ୍ଗକୁ ରହସ୍ୟମୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe