କଟକ: କଟକରେ ଅନୁସୂଚିତ ଜାତି ବର୍ଗର କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ବାରଙ୍ଗର ଏକ ଅର୍ଦ୍ଧନିର୍ମିତ କୋଠାରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ ତଥା ପୁରୁଷ ବନ୍ଧୁ ଏହି ପୀଡ଼ିତାଙ୍କୁ ହ୍ବାଟ୍ସଆପରେ ଭିଡିଓ କଲ୍ କରି ନଗ୍ନ ଭିଡିଓ ଭାଇରାଲ୍ କରିଦେବାକୁ ଧମକାଇଥିଲା। ଭୟ ଦେଖାଇ ଭିଡିଓ କଲରେ ଉଲଗ୍ନ ହେବାକୁ ବାଧ୍ୟ କରିବାରୁ ପୀଡ଼ିତା ଉଲଗ୍ନ ବି ହୋଇଥିଲେ। ଏ ସଂକ୍ରାନ୍ତ ପ୍ରମାଣ ପୁଲିସ ହାତରେ ଲାଗିଛି। ଏ ନେଇ ମଧ୍ୟ ତଦନ୍ତ କରାଯାଉଛି। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଆଶୁତୋଷ ବେହେରାର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ସମସ୍ତ ଅଭିଯୁକ୍ତଙ୍କ ସଂପୂର୍ଣ୍ଣ ପରିଚୟ ସାମନାକୁ ଆସିଛି। ଜଣେ ଅଭିଯୁକ୍ତ ଜଗତସିଂହପୁର ଅଞ୍ଚଳରେ ଲୁଚିଥିବା ଚର୍ଚ୍ଚା ହେଉଥିବା ବେଳେ ପୁଲିସ ଏହାକୁ ଖଣ୍ଡନ କରିଛି।
ସାମନାକୁ ଆସିଲା ପୁରୁଷ ବନ୍ଧୁର ଫଟୋ, ସମସ୍ତ ଅଭିଯୁକ୍ତଙ୍କ ଠିକଣା
ସୂଚନା ଅନୁଯାୟୀ, କଟକର ଜଣେ ଯୁକ୍ତ୩ ଦ୍ବିତୀୟ ବର୍ଷ ବାଣିଜ୍ୟ ଛାତ୍ରୀଙ୍କ ଜନ୍ମଦିନ ପୁରୀଘାଟ ଅଞ୍ଚଳରେ ଏକ କାଫେରେ ପାଳନ କରାଯାଇଥିଲା। ଛାତ୍ରୀଙ୍କ ପୁରୁଷ ବନ୍ଧୁ ବାଦାମବାଡ଼ି ଥାନା ଝାଞ୍ଜିରୀମଙ୍ଗଳା ବସ୍ତିଆ ବଗିଚାର ଶଙ୍କର ଓରଫ ଆଶିଷ ଓରଫ ଆଶୁତୋଷ ବେହେରା(୧୮) ପ୍ରଥମେ ପୀଡ଼ିତାଙ୍କୁ ଏଠାରେ ଦୁଷ୍କର୍ମ କରିଥିଲା। ପରେ ମୁଖ୍ୟ ଅଭିଯୁକ୍ତର ଅନ୍ୟ ୫ ଜଣ ସହଯୋଗୀ ବାରଙ୍ଗ ଅଞ୍ଚଳରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ତେବେ ଏହି ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ପରିଚୟ ଆଜି ସାମନାକୁ ଆସିଛି। ସେମାନେ ହେଉଛନ୍ତି ବାଦାମବାଡ଼ି ଥାନା ଝାଞ୍ଜିରୀମଙ୍ଗଳାର ସୁଶୀଲ ପ୍ରସାଦ ଓରଫ ଲକି(୨୪), ଲୁଣିଆ ସାହିର ପପୁନି ଓରଫ ପପୁଲ ବେହେରା(୧୯), ନୟାଗଡ଼ ଜିଲ୍ଲା ସଦର ଥାନା ବାଲୁଗାଁ ତେଲିସାହିର ପୀତବାସ ସାହୁ ଓରଫ କାଳିଆ(୧୯), ବାରଙ୍ଗ ଥାନା ବେଲଗଚ୍ଛିଆର ସୌମ୍ୟରଞ୍ଜନ ସାହୁ ଓରଫ ଚନ୍ଦନ(୨୩) ଏବଂ ଅନ୍ୟ ଜଣେ ନାବାଳକ ଅଭିଯୁକ୍ତ ଅଛନ୍ତି। ବାରଙ୍ଗରେ ସୌମ୍ୟର ଏକ ଅର୍ଦ୍ଧନିର୍ମିତ କୋଠାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ପୀଡ଼ିତା ଅଭିଯୋଗ କରିଥିବା ବେଳେ କଟକ ବଡ଼ ଡାକ୍ତରଖାନା ଏଫ୍ଏମ୍ଟି ବିଭାଗର ରିପୋର୍ଟରୁ ଏ ନେଇ ଖୁବ୍ଶୀଘ୍ର ସ୍ପଷ୍ଟ ଚିତ୍ର ସାମନାକୁ ଆସିବାକୁ ଯାଉଛି। ତାଙ୍କ ସହିତ କେତେ ଜଣ ଗଣଦୁଷ୍କର୍ମ କରିଥିଲେ ସେ ନେଇ ଏଫ୍ଏମ୍ଟି ବିଭାଗ ପ୍ରମାଣ ସଂଗ୍ରହ କରୁଛି।
Follow Us