ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ, ମୁଣ୍ଡ ଜାମିନ୍ ରଖି ୩୦ ଲକ୍ଷ ଦାବି

Advertisment

୩ ଅଟକ, କାର୍, ମାରଣାସ୍ତ୍ର ଜବତ, ଓମ୍‌ଫେଡ୍ ବୁଥ୍‌ରୁ ମାରଣାସ୍ତ୍ର ଦେଖାଇ ଟେକି ନେଇଥିଲେ

୩ ଅଟକ, କାର୍, ମାରଣାସ୍ତ୍ର ଜବତ, ଓମ୍‌ଫେଡ୍ ବୁଥ୍‌ରୁ ମାରଣାସ୍ତ୍ର ଦେଖାଇ ଟେକି ନେଇଥିଲେ

ବନ୍ଧୁକ ମୁନରେ ଛାତ୍ରଙ୍କୁ ଅପହରଣ, ମୁଣ୍ଡ ଜାମିନ୍ ରଖି ୩୦ ଲକ୍ଷ ଦାବି

Chandigarh Metro

ଭୁବନେଶ୍ବର : ବନ୍ଧୁକ ମୁନରେ ଜଣେ ବିବିଏ ଛାତ୍ରଙ୍କୁ ଅପହରଣ କରିବା ପରେ ମୁଣ୍ଡ ଜାମିନ୍‌ ରଖି ୩୦ ଲକ୍ଷ ଟଙ୍କା‌ ଦାବି କରିବ‌ା ଘଟଣା ରାଜଧାନୀରେ ଆଲୋଡନ ସୃଷ୍ଟି କରିଛି। ଅପହୃତ ଛାତ୍ର ହେଲେ ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପୁଅ। ତେବେ ପୁଲିସ ଠିକଣା ସମୟରେ ୩ ଅପହରଣକାରୀଙ୍କୁ କାବୁ କରିବା ସହ ଅପହୃତ ଛାତ୍ରଙ୍କୁ ଉଦ୍ଧାର କରିଛି। ଦୁର୍ବୃତ୍ତମାନଙ୍କଠାରୁ ଏକ କାର୍, ମାରଣାସ୍ତ୍ର, ମୋବାଇଲ ଫୋନ୍ ଜବତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଛାତ୍ରଙ୍କ ଘର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ। ତାଙ୍କ ବାପା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। ଛାତ୍ରଜଣକ ବେଙ୍ଗାଲୁରୁରେ ବିବିଏ ପଢ଼ୁଛନ୍ତି। କୋଭିଡ୍ ପାଇଁ ଏବେ ଅନ୍‌ଲାଇନ୍ କ୍ଲାସ୍ ଚାଲୁଥିବାରୁ ସେ ଘରକୁ ଆସିଥିଲେ। ସବୁଦିନ ସନ୍ଧ୍ୟାରେ ସେ ଝାରପଡ଼ା ନିକଟ ଏକ ଓମ୍‌ଫେଡ ବୁଥ୍‌କୁ ଚା’ ପିଇବାକୁ ଯାଆନ୍ତି। ଗତକାଲି ସେ ସେଠାରେ ଚା’ ପିଉଥିବା ବେଳେ ୩ଜଣ ଯୁବକ ଏକ କାର୍‌ରେ ଆସି ସେଠାରେ ଚା ପିଇଥିଲେ। ସେମାନେ ଛାତ୍ରଙ୍କ ସହ କଥାବାର୍ତ୍ତା ହେବା ଛଳରେ ସିନେମା ଷ୍ଟାଇଲ୍‌ରେ ତାଙ୍କ ଅଣ୍ଟାରେ ବନ୍ଧୁକ ଲଗାଇ କାର୍‌ରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ ଓ ତାଙ୍କୁ ଅପହରଣ କରି ନେଇ ଯାଇଥିଲେ। କିଛି ଘଣ୍ଟା ପରେ ସେମାନେ ଛାତ୍ରଙ୍କ ବାପାଙ୍କୁ ଫୋନ୍ କରି ୩୦ ଲକ୍ଷ ଟଙ୍କା ମାଗିଥିଲେ। ଏନେଇ ଛାତ୍ରଙ୍କ ବାପା ତୁରନ୍ତ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଛାତ୍ରଙ୍କୁ ଉଦ୍ଧାର କରିବାକୁ ସ୍ପେସାଲ ସ୍କ୍ବାଡ୍ ସମେତ ୩ଟି ସ୍ବତନ୍ତ୍ର ଟିମ୍ ଛାନ୍‌ଭିନ୍ ଆରମ୍ଭ କରିଥିଲେ।

ପୁଲିସ ପ୍ରଥମେ ଓମ୍‌ଫେଡ୍ ଷ୍ଟଲ୍‌କୁ ଯାଇ ଛାତ୍ରଙ୍କ ସ୍କୁଟି ଜବତ କରିବା ସହ ଘଟଣାସ୍ଥଳରେ ପଚରାଉଚରା କରିଥିଲା। ଏହା ପରେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଖୋଳତାଡ଼ କରିଥିଲା। ଅପହର୍ତ୍ତାମାନେ କଲ୍ କରିଥିବା ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ସେମାନଙ୍କ ନିକଟରେ ପହଞ୍ଚି ଯାଇଥିଲେ। ଓମ୍‌ଫେଡ୍ ବୁଥ୍‌ ନିକଟରୁ ଛାତ୍ରଙ୍କୁ ଅପହରଣ କରିବାକୁ ସେମାନେ ବେଶ୍ କିଛି ଦିନ ହେଲା ଯୋଜନା କରିଥିଲେ ବୋଲି ଜଣାପଡ଼ିଛି। ଅପହର୍ତ୍ତାମାନେ ମଧ୍ୟ ଉକ୍ତ ଓମ୍‌ଫେଡ୍‌ ବୁଥ୍‌କୁ ନିୟମିତ ଆସୁଥିବା ଜଣାପଡ଼ିଛି। ତେଣୁ ଛାତ୍ରଙ୍କ ଉପରେ ନଜର ରଖି ତାଙ୍କୁ ଟାର୍ଗେଟ୍‌ କରିଥିଲେ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୁଲିସ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରିନାହିଁ। ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀ‌ରେ ଅଧିକ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe