ଛାତ୍ର ଅପହରଣ ଘଟଣା: ସାଙ୍ଗ ସାଜିଲା ସଇତାନ

Advertisment
ଛାତ୍ର ଅପହରଣ ଘଟଣା: ସାଙ୍ଗ ସାଜିଲା ସଇତାନ
ସାଢ଼େ ୩ ବର୍ଷ ତଳେ ଟ୍ରେନରେ ହୋଇଥିଲା ସମ୍ପର୍କ
କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇଲା ପୁଲିସ
ଜେଲ ଗଲେ ୪ ଅପହର୍ତ୍ତା
ଟିଆଇ ପରେଡ୍ ପାଇଁ ପୁଲିସର ଆବେଦନ
ବ୍ରହ୍ମପୁର ପୁଲିସର ଛାନଭିନ୍

ଭୁବନେଶ୍ୱର : ପରୀକ୍ଷା ଦେବାକୁ ଯାଉଥିବା ବେଳେ ଟ୍ରେନ୍‌‌ରେ ବନ୍ଧୁତା ସୃଷ୍ଟି ହୋଇଥିଲା। ବନ୍ଧୁତା ଏତେ ନିବିଡ଼ ହୋଇଗଲା ଯେ ସାଙ୍ଗ ହୋଇ ଖାଉଥିଲେ, ବୁଲୁଥିଲେ। କିନ୍ତୁ ସେହି ସାଙ୍ଗ ଯେ ଦିନେ ସଇତାନ ସାଜିବେ, ତାହା ସ୍ବପ୍ନରେ ବି ଚିନ୍ତା କରିପାରି ନଥିଲେ। ବ୍ୟବସାୟୀ ରାମରୂପ ଅଗ୍ରୱାଲଙ୍କ ପୁଅ ଈଶାନ ଅଗ୍ରୱାଲ ଅପହରଣ ଘଟଣାରେ ଗତକାଲିଠାରୁ ଅଭିଯୁକ୍ତଙ୍କୁ ମାରାଥନ୍ ଜେରା ଚଳାଇଥିବା ପୁଲିସ ଗୁରୁବାର ଏଭଳି ତଥ୍ୟ ପାଇଛି। ଅପହର୍ତ୍ତାମାନେ ଅପହରଣ ପାଇଁ କେମିତି ବ୍ଲୁ-ପ୍ରିଣ୍ଟ ତିଆରି କରିଥିଲେ, ତାହାର ମଧ୍ୟ ପୂରା ସୂଚନା ପୁଲିସ ହାତରେ ଲାଗିଛି।

publive-image

ମିଳିଥିବା ସୂଚନା ଅନୁସାରେ, ଯୁକ୍ତ ୨ ପରେ ଈଶାନ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଓପନ୍ ସ୍କୁଲିଂ(ଏନଆଇଓଏସ)ରେ ପଢ଼ିବା ପାଇଁ ଇଚ୍ଛୁକ ଥିଲେ ବୋଲି ତାଙ୍କ ବାପା ରାମରୂପ କହିଛନ୍ତି। ପ୍ରବେଶିକା ପରୀକ୍ଷା ପାଇଁ ଟ୍ରେନ୍‌ରେ ବ୍ରହ୍ମପୁର ଯାଇଥିଲେ। ତାଙ୍କ ସହ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ନୟାଗଡ଼ର ଧନେଶ୍ବର ମଧ୍ୟ ଯାଉଥିଲା। ଟ୍ରେନ୍ ଭିତରେ ସେମାନଙ୍କ ବନ୍ଧୁତା ସୃଷ୍ଟି ହୋଇଥିଲା। ୪ରୁ ୫ଦିନ ଧରି ପରୀକ୍ଷା ଚାଲିବାରୁ ରାମରୂପ ଆଉ ଯାଇ ନଥିଲେ। ଉଭୟ ଏକାଠି ଯିବା ସହ ଖାଇବା, ପିଇବା କରିଥିଲେ। ସେଠାରୁ ବନ୍ଧୁତା ନିବିଡ଼ ହୋଇଥିଲା। ଫୋନ୍ ନମ୍ବର ମଧ୍ୟ ଦିଆନିଆ ହୋଇଥିଲା। ଈଶାନ ବିବିଏ ପଢ଼ିବା ଲାଗି ବେଙ୍ଗାଲୁରୁ ପଳାଇବା ପରେ ସେମାନଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଥିଲା। ସେତେଟା ସମ୍ପର୍କ ନ ଥିଲା।

publive-image ଅପହର୍ତ୍ତାଙ୍କଠାରୁ ଜବତ ହୋଇଥିବା ବାଲେନୋ କାର୍‌କୁ ଗୋଳନ୍ଥରା ପୁଲିସ ସାଙ୍ଗରେ ନେଇଯାଇଛି

କରୋନା ତୃତୀୟ ଲହର ସମୟରେ ଈଶାନ ଯେତେବେଳେ ବେଙ୍ଗାଲୁରୁରୁ ଫେରିଲେ, ସେମାନଙ୍କ ଭିତରେ ପୁଣି ଯୋଗାଯୋଗ ଆରମ୍ଭ ହୋଇଥିଲା। ରାଜଧାନୀର ଏକାଧିକ ସ୍ଥାନରେ ଦେଖାସାକ୍ଷାତ ମଧ୍ୟ ହେଉଥିଲା। କିନ୍ତୁ ଧନେଶ୍ବର ସେତେବେଳେ ଅପରାଧ ଜଗତରେ ପାଦ ଦେଇ ସାରିଥିଲା। ଈଶାନ ବାଲାଜୀ ଆପାର୍ଟମେଣ୍ଟରେ ରହୁଥିବା ବେଳେ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ଓମଫେଡ୍‌ ବୁଥ୍‌କୁ ଉଭୟ ଚା’ ପିଇବାକୁ ଯାଉଥିଲେ।
ଘଟଣା ଦିନ ଅର୍ଥାତ୍ ଗତ ୩୧ ତାରିଖରେ ପୂର୍ବ ଯୋଜନା ମୁତାବକ, ଧନେଶ୍ବର ଅପରାହ୍‌ଣରେ ପହଞ୍ଚିଥିଲା। ସେଦିନ ବାଇକ୍‌ରେ ନ ଆସି ସ୍ବିଫ୍ଟ କାର୍‌ରେ ସହଯୋଗୀଙ୍କ ସହ ଆସିଥିଲା। ସାଙ୍ଗମାନେ ଆସିଛନ୍ତି ରାଜଧାନୀରେ କାରରେ ବୁଲାବୁଲି କରିବା ପାଇଁ ଈଶାନଙ୍କୁ ଡାକିଥିଲା ଧନେଶ୍ବର। ଈଶାନ କାର୍‌ରେ ବସିବା ପରେ ଭିତରେ ଥିବା ସହଯୋଗୀ ଅଣ୍ଟାରେ ବନ୍ଧୁକ ଲଗାଇ ହାତକୁ ବାନ୍ଧି ଦେବା ସହ ମୁହଁରେ କପଡ଼ା ଗୁଡ଼ାଇ ଅପହରଣ କରି ନେଇଥିଲେ। ପୁଲିସ ପୂରା ଘଟଣା ସମ୍ପର୍କରେ ଆଜି ବିସ୍ତୃତ ତଥ୍ୟ ପାଇଛି।

ଅନ୍ୟପକ୍ଷରେ ଅପହର୍ତ୍ତାଙ୍କୁ ସାଙ୍ଗରେ ଧରି ଆଜି କ୍ରାଇମ୍ ସିନ୍-ରିକ୍ରିଏସନ୍ କରାଇଛି ପୁଲିସ। କେମିତି ଓମଫେଡ୍ ନିକଟରୁ ଅପହରଣ କରାଯାଇଥିଲା, ଅଭିଯୁକ୍ତମାନେ ତାହାର ଡେମୋ ଦେଖାଇଥିଲେ। ଧନେଶ୍ବର କେମିତି ଈଶାନଙ୍କୁ ଡାକିଲା? କେମିତି ଗାଡ଼ିରେ ବସାଇଲା? କେମିତି ନେଇଥିଲେ? ଅଭିଯୁକ୍ତମାନେ ତାହାର ଡେମୋ ଦେଖାଇଥିଲେ। ଅପରାହ୍‌ଣରେ ୪ ଅପହର୍ତ୍ତାଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଜେଲରେ ଟିଆଇ(ଚିହ୍ନଟ) ପରେଡ୍ କରିବା ପାଇଁ ତଦନ୍ତକାରୀ ଅଧିକାରୀ ଏସ୍‌ଡିଜେଏମ୍ କୋର୍ଟରେ ଆବେଦନ କରିଛନ୍ତି। ଅନୁମତି ମିଳିବା ପରେ ଟିଆଇ ପରେଡ୍ କରାଯିବ। ଏହା ପରେ ଅଧିକ ତଦନ୍ତ ଓ ପୂର୍ବରୁ କେଉଁ ଅପରାଧ ମାମଲାରେ ସଂପୃକ୍ତ, ତାହା ଜାଣିବା ଲାଗି ରିମାଣ୍ଡରେ ଅଣାଯିବ ବୋଲି ପୁଲିସ କହିଛି।

ପ୍ରଶଂସା କଲେ ଡିଜିପି, ସମ୍ବର୍ଦ୍ଧନା ଦେଲେ ଡିସିପି

publive-image
ଅପହୃତ ଈଶାନଙ୍କୁ ଉଦ୍ଧାର କରିବା ସହ ଅପହର୍ତ୍ତାଙ୍କୁ ଧରିବା ପାଇଁ ୪ଟି ଟିମ୍ ଗଠନ ହୋଇଥିଲା। ଏଥିରେ ୧୯ଜଣ ସାମିଲ ହୋଇଥିଲେ। ଆଜି ସମସ୍ତ ୧୯ଜଣଙ୍କୁ ଡିସିପି ଉମାଶଙ୍କର ଦାଶ ନିଜ କାର୍ଯ୍ୟା​ଳୟରେ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ଡିଜିପି ସ୍ପେସାଲ ସ୍କ୍ବାଡ୍ ଏସିପି ସଞ୍ଜୀବ ଶତପଥୀ ଓ ସହଦିନଗର ଥାନା ଆଇଆଇସି ହିମାଂଶୁ ସ୍ବାଇଁଙ୍କୁ ଫୋନ୍‌ କରି ପ୍ରଶଂସା କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe