ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ : ପୁଲିସ-ଛାତ୍ର କଂଗ୍ରେସ ଧସ୍ତାଧସ୍ତି

ଦାବି ପୂରଣ ନ ହେଲେ ନବୀନ ନିବାସ ଘେରାଉ ଧମକ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ : ପୁଲିସ-ଛାତ୍ର କଂଗ୍ରେସ ଧସ୍ତାଧସ୍ତି

ଭୁବନେଶ୍ୱର : ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ପ୍ରତିବାଦରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରାଯାଇଥିଲା। ଛାତ୍ର କଂଗ୍ରେସ ନେତା ଇତିଶ୍‌ ପ୍ରଧାନଙ୍କ ନେତୃତ୍ୱରେ ୩ ଟି ମେଡିକାଲ କଲେଜର ଶତାଧିକ ଡିଏମ୍‌ଏଲ୍‌ଟି, ଡିଏମ୍‌ଆର୍‌ଟି ଛାତ୍ରଛାତ୍ରୀ ଏବଂ ଛାତ୍ର କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ବାସଭବନ ଘେରାଉ କରିବାକୁ ଯାଉଥିଲେ। ରାଜମହଲ ଛକ ନିକଟରେ ପୁଲିସ ବାଧା ଦେବାରୁ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୁଲିସ ବହୁ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ସାତ ଦିନ ମଧ୍ୟରେ ଛାତ୍ର କଂଗ୍ରେସର ଦାବିଗୁଡ଼ିକ ପୂରଣ କରା ନଗଲେ ନବୀନ ନିବାସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଛାତ୍ର କଂଗ୍ରେସ ଅଭିଯୋଗ କରିଛି ଯେ, ରାଜ୍ୟ ସରକାରଙ୍କ ନିଦାନ ସେବା ସହ ଟେକ୍‌ମେଡ୍‌ ହେଲ୍‌ଥ କେୟାର ଓ ଡାଇଗ୍ନୋଷ୍ଟିକ୍‌ ଚୁକ୍ତିନାମା କରି ସରକାରୀ-ଘରୋଇ ଭାଗୀଦାରିରେ ଚଳାଇଛି। ସରକାରୀ ଡାକ୍ତରଖାନାଗୁଡିକରେ ବହୁ ପଦବି ଖାଲି ଥିଲେ ମଧ୍ୟ ଶିକ୍ଷିତ ଓ ଯୋଗ୍ୟ ଯୁବକ ଯୁବତୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ଡାକ୍ତରଖାନାଗୁଡ଼ିକରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ୨୦୧୮-୧୯ରେ ଡିଏମ୍‌ଏଲ୍‌ଟି ଓ ଡିଏମ୍‌ଆରଟିର ବାର୍ଷିକ କୋର୍ସକୁ ବାତିଲ କରିବା ପାଇଁ ଛାତ୍ର କଂଗ୍ରେସ ଦାବି କରିଛି।

ଏହି ବିକ୍ଷୋଭରେ ଛାତ୍ର କଂଗ୍ରେସ ନେତା ନିରଞ୍ଜନ ନାୟକ, ଆଦିତ୍ୟ ପ୍ରୀତମ୍‌ ଦାସ, ଅଭିଷେକ ପରିଡ଼ା, ଅମରେନ୍ଦ୍ର ଶ୍ରୀଚନ୍ଦନ, ସତ୍ୟଜିତ୍‌ ମହାନ୍ତି, ଅକ୍ଷୟ ମଲ୍ଲଙ୍କ ସମେତ ବହୁ ଡିଏମ୍‌ଏଲ୍‌ଟି ଓ ଡିଏମ୍‌ଆରଟିର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶେଷରେ ଡିଏମ୍‌ଏଲ୍‌ଟି ଓ ଡିଏମ୍‌ଆର୍‌ଟି ଛାତ୍ରଛାତ୍ରୀମାନେ ସେମାନଙ୍କର ସମସ୍ୟା ଉପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe