ଉତ୍କଳରେ ପାଠପଢ଼ା ଦୋଦୁଲ୍ୟମାନ: ୨୪୪ ପ୍ରଫେସରଙ୍କ ସ୍ଥାନରେ ଅଛନ୍ତି ୧୨୯

Advertisment

ଏବର୍ଷ ନିଯୁକ୍ତ ହେବେ ୫୧ ଅତିଥି ପ୍ରଫେସର, ଲାଇବ୍ରେରି ସାଇନ୍ସରେ କେହି ପ୍ରଫେସର ନାହାନ୍ତି

ଏବର୍ଷ ନିଯୁକ୍ତ ହେବେ ୫୧ ଅତିଥି ପ୍ରଫେସର, ଲାଇବ୍ରେରି ସାଇନ୍ସରେ କେହି ପ୍ରଫେସର ନାହାନ୍ତି

ଉତ୍କଳ ବିଶ୍ବବିଦ୍ୟାଳୟ ନାକ୍‌ ଗ୍ରେଡ୍‌ ଖସିବା ପ୍ରସଙ୍ଗ: ପାଣିରେ ପଡ଼ିଲା ୨୦୦ କୋଟି

Alumni Association - Utkal University

ଭୁବନେଶ୍ବର: ରାଜ୍ୟର ସର୍ବପୁରାତନ ବିଶ୍ବବିଦ୍ୟାଳୟରେ ପାଠପଢ଼ା ଦୋଦୂଲ୍ୟମାନ। କେଉଁ ବିଭାଗରେ ଆଦୌ ପ୍ରଫେସର ନାହାନ୍ତି ତ ଆଉ କେଉଁଠି ଜଣେ ଦୁଇ ଜଣରେ ଚାଲିଛି। ମଞ୍ଜୁରିପ୍ରାପ୍ତ ପଦବି ମଧ୍ୟରୁ ଅର୍ଧାଧିକ ଖାଲି ପଡ଼ିଛି। ଆବଶ୍ୟକ ଆସୋସିଏଟ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର ନାହାନ୍ତି। ପ୍ରଫେସରଙ୍କ କଥା ନକହିବା ଭଲ। ୨୭ଟି ନିୟମିତ ବିଭାଗ ରହିଥିଲେ ମଧ୍ୟ ମାତ୍ର ୧୧ଜଣ ପ୍ରଫେସର ଏବେ ରହିଛନ୍ତି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମ ଅନୁଯାୟୀ ପଢ଼ାଇବାକୁ ଶିକ୍ଷକ ନାହାନ୍ତି। ପିଏଚ୍‌ଡି କରିବାକୁ ଛାତ୍ରଛାତ୍ରୀ ଅପେକ୍ଷା କରି ରହିଥିଲେ ମଧ୍ୟ ଆବଶ୍ୟକ ଗାଇଡ୍‌ ନାହାନ୍ତି। ଏଭଳି ଅବ୍ୟବସ୍ଥା ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟ ଗତି କରୁଛି। ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଠାରେ ପ୍ରଫେସରଙ୍କ ଅଭାବ ଏବେ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଯେଉଁଥିପାଇଁ ଆସିଷ୍ଟାଣ୍ଟ ପ୍ରଫେସର ରୢାଙ୍କର ୫୧ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଅବସରପ୍ରାପ୍ତ ପ୍ରଫେସର, ପ୍ରଫେସର ଏମିରିଟସ୍‌, ପ୍ରଫେସର ଅଫ୍‌ ପ୍ରାକ୍ଟିସ୍‌, ଆଡ୍‌ଜକ୍ଟ ପ୍ରଫେସର, ଅବସରପ୍ରାପ୍ତ ଆସୋସିଏଟ୍‌ ପ୍ରଫେସର, ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ।

ଆଗ୍ରହୀ ଅତିଥି ଅଧ୍ୟାପକମାନେ ଆସନ୍ତା ୩୦ ତାରିଖ ମଧ୍ୟରେ ଆବେଦନ କରିପାରିବେ। ବାଣିଜ୍ୟ ଓ ମନୋବିଜ୍ଞାନ ବିଭାଗ ପାଇଁ ସର୍ବାଧିକ ୫ଜଣ ଲେଖାଏଁ ନିଯୁକ୍ତ ହେବାକୁ ଥିବା ବେଳେ ବିଜ୍‌ନେସ୍‌ ଆଡ୍‌ମିନିଷ୍ଟ୍ରେସନ ପାଇଁ ୪, ପ୍ରାଣୀବିଜ୍ଞାନ, ପଦାର୍ଥବିଜ୍ଞାନ, ଉଦ୍ଭିଦବିଜ୍ଞାନ ଓ ରସାୟନବିଜ୍ଞାନ ବିଭାଗ ପକ୍ଷରୁ ୩ଜଣ ଲେଖାଏଁ ନିଯୁକ୍ତ ହେବେ। ବାକି ବିଭାଗଗୁଡ଼ିକ ପାଇଁ ଜଣେ କିମ୍ବା ଦୁଇ ଜଣ ଅତିଥି ଅଧ୍ୟାପକ ନିଯୁକ୍ତ ହେବେ। ୟୁଜିସି ଗାଇଡ୍‌ଲାଇନ୍‌ ୨୦୧୮ ନିୟମ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ଆଧାରରେ ଏହି ଚୟନ ହେବ। ଯେଉଁମାନେ ନିଯୁକ୍ତି ପାଇବେ ‌ସେମାନଙ୍କ କାର୍ଯ୍ୟକାଳ ଗୋଟିଏ ବର୍ଷ କିମ୍ବା ଖାଲିଥିବା ପଦବିରେ ନିୟମିତ ନିଯୁକ୍ତି ପର୍ଯ୍ୟନ୍ତ ରହିବେ। ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଏମାନେ ନିଯୁକ୍ତ ହୋଇ କାମ କରିପାରିବେ। ପ୍ରଫେସରମାନେ ମାସକୁ ୩୫ଟି କ୍ଲାସ ନେବେ। ମାସକୁ ଦରମା ୫୦ ହଜାର ଟଙ୍କା ଲେଖାଏଁ ପାଇବେ। ଆସୋସିଏଟ୍‌ ପ୍ରଫେସର ମାସକୁ ୩୫ଟି କ୍ଲାସ ସହ ମାସିକ ୪୦ ହଜାର ଟଙ୍କା ପାଇବେ। ଆସିଷ୍ଟାଣ୍ଟ ପ୍ରଫେସର(ପିଏଚ୍‌ଡି ଡିଗ୍ରିଧାରୀ)ଙ୍କୁ ପ୍ରତି କ୍ଲାସ ପିଛା ୧୦୦୦ ଟଙ୍କା ଲେଖାଏଁ ମିଳିବ। ମାସକୁ ଅତିବେଶୀରେ ୬୦ଟି କ୍ଲାସ ଓ ୬୦ ହଜାର ଟଙ୍କା ଦରମା ନେଇପାରିବେ। ଆସିଷ୍ଟାଣ୍ଟ ପ୍ରଫେସର(ପିଏଚ୍‌ଡି ଡିଗ୍ରି ନଥିବା)ଙ୍କୁ କ୍ଲାସ ପିଛା ୭୫୦ ଟଙ୍କା ଲେଖାଏ ସର୍ବାଧିକ ୬୦ଟି କ୍ଲାସ ଓ ୪୫ ହଜାର ଟଙ୍କା ଦରମା ପ୍ରଦାନ କରାଯିବ। ଉତ୍କଳ ବିଶ୍ବବିଦ୍ୟାଳୟ ପାଇଁ ୨୪୪ ପଦବି ମଞ୍ଜୁର ହୋଇଛି।

ଯେଉଁଥିରେ ୪୬ ପ୍ରଫେସର, ୭୫ଜଣ ଆସୋସିଏଟ୍‌ ପ୍ରଫେସର, ୧୨୩ଜଣ ଆସିଷ୍ଟାଣ୍ଟ ପ୍ରଫେସର ରହିବା କଥା। ତେବେ ଏବେ ମାତ୍ର ୧୧ଜଣ ପ୍ରଫେସର ରହିଥିବା ବେଳେ ୩୫ଜଣ ଆସୋସିଏଟ୍‌ ପ୍ରଫେସର ଓ ୮୩ଜଣ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ମିଶାଇ ମୋଟ ୧୨୯ଜଣ ଅଛନ୍ତି। ୧୧୫ଟି ପଦବି ଖାଲି ପଡ଼ିଛି। ଲାଇବ୍ରେରି ସାଇନ୍ସ ବିଭାଗରେ ପଢ଼ାଇବାକୁ କେହି ପ୍ରଫେସର ନାହାନ୍ତି। ଗଣିତ, ବାଣିଜ୍ୟ ଓ ପଦାର୍ଥବିଜ୍ଞାନ ପରି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଜଣେ ଲେଖାଏଁ ପ୍ରଫେସର ରହିଛନ୍ତି। ପ୍ରାଣୀବିଜ୍ଞାନ, ଏମ୍‌ବିଏ ବିଭାଗରେ ଦୁଇ ଜଣ ଲେଖାଏଁ, ଉଦ୍ଭିଦବିଜ୍ଞାନ ବିଭାଗରେ ତିନି ଜଣ ପ୍ରଫେସରରେ ଚାଲିଛି। ପ୍ରତି ମାସରେ ଜଣେ ଦୁଇ ଜଣ ପ୍ରଫେସର ଅବସର ଗ୍ରହଣ କରୁଥିବାରୁ ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି। ନୂତନ ନିଯୁକ୍ତି ହୋଇପାରୁ ନଥିବାରୁ ୨୦୨୪-୨୫ ଶିକ୍ଷାବର୍ଷରେ ପୁଣିଥରେ ଅତିଥି ଅଧ୍ୟାପକଙ୍କ ଭରସା କରିଛି ବିଶ୍ବବିଦ୍ୟାଳୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe