ବଦଳୁଛନ୍ତି ଇନ୍ସପେକ୍ଟର୍‌: ଗାଦିମଡ଼ା ତଳିଆ କର୍ମଚାରୀ

Advertisment

ଅସାମାଜିକ ତତ୍ତ୍ବଙ୍କୁ ସୁହାଉଛି

ଅସାମାଜିକ ତତ୍ତ୍ବଙ୍କୁ ସୁହାଉଛି

ଆଇଜିରୁ ସିପାହି ଯାଏ ସବୁ ପାହ୍ୟାରେ ପଦବି ଖାଲି: ଦୁର୍ବଳ ଭିତ୍ତିଭୂମିରେ ରାଜ୍ୟ ପୁଲିସ

Odisha-Police

ଭୁବନେଶ୍ବର: କମିସନରେଟ ପୁଲିସର ବଦଳି ନୀତି ବଡ଼ ବିଚିତ୍ର। ଇନ୍ସପେକ୍ଟରମାନେ ବଦଳୁଛନ୍ତି, କିନ୍ତୁ ବଦଳୁନାହାନ୍ତି ତଳିଆ ଅଧିକାରୀ ଓ କର୍ମଚାରୀ। ଏସ୍‌ଆଇରୁ ହୋମଗାର୍ଡ ପର୍ଯ୍ୟନ୍ତ ତଳିଆ ଅଧିକାରୀ ଓ କର୍ମଚାରୀଙ୍କ କ୍ଷେତ୍ରରେ ବଦଳି ନିୟମ କାମ କରୁନାହିଁ। ଫଳରେ ଦୀର୍ଘ ଦିନ ଧରି ଏକାଧିକ ଥାନାରେ ଏସ୍‌ଆଇରୁ ହୋମଗାର୍ଡ ପର୍ଯ୍ୟନ୍ତ କର୍ମଚାରୀମାନେ ଗାଦି ମାଡ଼ି ବସିଛନ୍ତି। ତେଣୁ ସେମା‌ନେ ମନଇଚ୍ଛା ଡ୍ୟୁଟି କରୁଥିବାରୁ କାର୍ଯ୍ୟରେ ସ୍ବଚ୍ଛତା ରହୁନଥିବା ଅଭିଯୋଗ ହୋଇଆସୁଛି। ଏମିତିକି ସେମାନେ ବରିଷ୍ଠ ଅଧିକାରୀମାନଙ୍କୁ ଖାତିର କରୁନଥିବା ଦେଖିବାକୁ ମିଳିଛି। ଏହି ଗାଦିମଡ଼ା ଅଧିକାରୀ ଓ କର୍ମଚାରୀମାନେ ଅନେକ ସମୟରେ ପୁଲିସ ଡ୍ୟୁଟି କମ୍ ନିଜ ବ୍ୟକ୍ତିଗତ କାମରେ ବେଶି ସମୟ ବ୍ୟୟ କରୁଥିବା ଅଭିଯୋଗ ହେଉଛି।

ଭୁବନେଶ୍ବର ସହରାଞ୍ଚଳରେ ଥିବା ୨୮ଟି ଥାନାରେ ଏସ୍‌ଆଇଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ପାଖାପାଖି ୩୦୦ କର୍ମଚାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୨୦୦ରୁ ଅଧିକ କର୍ମଚାରୀ ବିଭିନ୍ନ ଥାନାରେ ନିଜ ଆସ୍ଥାନ ଜମାଇ ରହିଆସୁଛନ୍ତି। ଯିଏ ଯାହାର ସୁବିଧା ପାଇଁ ବରିଷ୍ଠ ଅଧିକାରୀଙ୍କୁ ହାତ କରି ନିଜ ଆସନ ଉପରେ ପ୍ରଭାବ ପକାଇବାକୁ ଦେଉ ନାହାନ୍ତି। ନିୟମ ଅନୁଯାୟୀ ଜଣେ କର୍ମଚାରୀ ଅତି କମରେ ୩ ବର୍ଷ ଗୋଟିଏ ଥାନାରେ ଓ ପୁଲିସ ଜିଲ୍ଲାରେ ୭ ବର୍ଷ ପର୍ଯ୍ୟନ୍ତ ରହିପାରିବେ। କିନ୍ତୁ ଭୁବନେଶ୍ବରରେ ଏମିତି ପୁଲିସ ଅଫିସର ଅଛନ୍ତି ଯେଉଁମାନେ ୩ରୁ ୫ ବର୍ଷ ହେବ ଗୋଟିଏ ଗୋଟିଏ ଥାନାରେ କାର୍ଯ୍ୟରତ। ଯଦି ବା ବଦଳି ହେଉଛି, ସେହି ଭୁବନେଶ୍ବର ଭିତରେ ଏ ଥାନାରୁ ସେ ଥାନାକୁ। ଅଧିକ ହେଲେ ଯଦି କୌଣସି ଅଫିସରଙ୍କୁ ଜିଲ୍ଲା ବାହାରକୁ ବଦଳି କରାହେଉଛି, ପୁଣି କିଛି ମାସ ପରେ ସେ ଧରାଧରି କରି ଭୁବନେଶ୍ବର ଫେରିଆସୁଛନ୍ତି। ସେ କ୍ରାଇମବ୍ରାଞ୍ଚ ହେଉ କିମ୍ବା ଭିଜିଲାନ୍ସ, ଏସ୍‌ଆଇଡବ୍ଲ୍ୟୁକୁ କି କେଉ ସ୍ପେସାଲ ବ୍ରାଞ୍ଚ, ସବୁଠି ସମାନ ଚିତ୍ର ଦେଖିବାକୁ ମିଳୁଛି। ସତେ ଯେମିତି ଏମାନେ କୋଳି ଖାଇ ମଞ୍ଜି ପୋତିଦେଇଛନ୍ତି ରାଜଧାନୀରେ! ଏମାନଙ୍କ ବିନା ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିଯିବ! ସତେ ଯେମିତି ଏମାନଙ୍କ ବିନା ରାଜଧାନୀବାସୀ ଶାନ୍ତିରେ ଶୋଇପାରିବେନାହିଁ! ବାସ୍ତବରେ ରାଜଧାନୀର ମୋହ ସେମାନଙ୍କୁ ଛାଡ଼ୁନଥିବା ବେଳେ ବିଭାଗୀୟ ପଦସ୍ଥ ଅଧିକାରୀମାନେ ସେମାନଙ୍କୁ ଏହି ସୁଯୋଗ ଦେଉଛନ୍ତି।

ଏଥିରେ ପଦସ୍ଥ ଅଧିକାରୀମାନଙ୍କ କି ସ୍ବାର୍ଥ ରହିଛି, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏସ୍‌ଆଇ, ଏଏସ୍‌ଆଇଙ୍କ ଭଳି ହାବିଲଦାର୍‌, କନ୍‌ଷ୍ଟେବଳ ଓ ହୋମଗାର୍ଡମାନେ ମଧ୍ୟ ରାଜଧାନୀର ଏକାଧିକ ଥାନାରେ ଗାଦି ମାଡ଼ିବସିଛନ୍ତି। ଏମାନଙ୍କ କ୍ଷେତ୍ରରେ ମଧ୍ୟ ୩ ବର୍ଷିଆ ବଦଳି ନିୟମ ଲାଗୁ ହେଉନାହିଁ। ବହୁ ହାବିଲଦାର ଓ କନ୍‌ଷ୍ଟେବଳ ଗୋଟିଏ ଗୋଟିଏ ଥାନାରେ ୩ ବର୍ଷରୁ ଅଧିକ ସମୟ ଧରି ଡ୍ୟୁଟି କରୁଛନ୍ତି। କମିସନରେଟ୍‌ ପୁଲିସର ଏହି ନୀତି ସ୍ଥାନୀୟ ଅପରାଧୀ ଓ ବେଆଇନ କାମ କରୁଥିବା ତତ୍ତ୍ବମାନଙ୍କୁ ବେଶ୍ ସୁହାଉଛି ବୋଲି ଅଭିଯୋଗ ହେଉଛି। ବିଶେଷକରି ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ଭଳି ନିଶା କାରବାର କରୁଥିବା ତତ୍ତ୍ବମାନେ ଥାନାର ତଳିଆ ଅଧିକାରୀ ଓ କର୍ମଚାରୀଙ୍କୁ ସହଜରେ ହାତବାରିସି କରିବାରେ ସକ୍ଷମ ହେଉଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା ଏସ୍‌ଆଇଙ୍କ ତଳକୁ ଥିବା ଅଧିକାରୀ ବା କର୍ମଚାରୀମାନେ ବେଶି ଦିନ ଗୋଟିଏ ଥାନାରେ ରହିବା ଦ୍ବାରା ସ୍ଥାନୀୟ ଅସାମାଜିକ ତତ୍ତ୍ବଙ୍କୁ ସୁହାଇଥାଏ। ସେମାନେ ଖୁବ୍‌ ସହଜରେ କିଛି ଅସାଧୁ ପୁଲିସ କର୍ମଚାରୀଙ୍କୁ ହାତ କରିବାକୁ ସୁଯୋଗ ପାଇଯାଆନ୍ତି। ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ବେଶି ପ୍ରଭାବିତ ହୋଇଥାଏ। ତେବେ ଏ ସମ୍ପର୍କରେ କମିସନରେଟ ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ ଦୁର୍ଗାପୂଜା ପ‌ରେ ବଦଳି ପ୍ରକ୍ରିୟା ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe