ସ୍କୁଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍କୁଲରୁ ବିଦା ହେଲେ କ୍ରୀଡ଼ା ଶିକ୍ଷୟିତ୍ରୀ

Advertisment
ସ୍କୁଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ସ୍କୁଲରୁ ବିଦା ହେଲେ କ୍ରୀଡ଼ା ଶିକ୍ଷୟିତ୍ରୀ

ଚନ୍ଦ୍ରଶେଖପୁର: ମଞ୍ଚେଶ୍ବରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ୩ ମହଲା ଛାତ ଉପରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ଦିନକୁ ଦିନ ତେଜିବାରେ ଲାଗିଛି। ଗତକାଲି ଅଭିଭାବକ, ଛାତ୍ର ଓ ପୁରାତନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ଆଜି ସଂପୃକ୍ତ ପିଇଟି ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ବିଦା କରାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କାର୍ଯ୍ୟାଳୟର ଡେପୁଟି କମିସନର୍ ଏସ. କେ ଚୋପ୍ରା ଆଜି ଅଭିଯୁକ୍ତ କ୍ରୀଡ଼ା ଶିକ୍ଷୟିତ୍ରୀ ସୂର୍ଯ୍ୟମଣି ପଟ୍ଟନାୟକଙ୍କୁ ଅନ୍ୟତ୍ର ବଦଳି କରିଛନ୍ତି। ଅପରପକ୍ଷେ ଘଟଣାକୁ ୩ଦିନ ବିତିଯିବା ପରେ କେଭି-୩ ଅଧ୍ୟକ୍ଷା ପ୍ରୀତି ରାୟ ଆଜି ମଧ୍ୟାହ୍ନରେ ଛାତ୍ରୀଜଣକ ଚିକିତ୍ସିତ ହେଉଥିବା ଘରୋଇ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ସେ ଛାତ୍ରୀଙ୍କୁ ଦେଖା କରିବା ପାଇଁ ଯାଇଥିବା ସୂଚନା ପାଇ ଛାତ୍ର ସଂଘ ପକ୍ଷରୁ ଶ୍ରୀମତୀ ରାୟଙ୍କୁ ବିରୋଧ କରାଯାଇଥିଲା। ତାଙ୍କ ବିରୋଧରେ ଛାତ୍ରମାନେ ସ୍ଲୋଗାନ ଦେବା ସହ ତାଙ୍କୁ କାର୍ ବାହାରକୁ ବାହାରିବାକୁ ଦେଇ ନଥିଲେ। ଫଳରେ ସେ ହସ୍ପିଟାଲ୍‌ରୁ ଫେରି ଆସିଥିଲେ। ଛାତ୍ରଛାତ୍ରୀମାନଙ୍କ କହିବା ଅନୁଯାୟୀ, ଅଧ୍ୟକ୍ଷା ଘଟଣା ପରଠାରୁ ଆହତ ଛାତ୍ରୀଙ୍କୁ ଦେଖା କରିବାକୁ ଆସିନଥିଲେ। କିମ୍ବା ‌ଯୋଗାଯୋଗ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିନଥିଲେ। ଆଜି କ୍ରୀଡ଼ା ଶିକ୍ଷୟିତ୍ରୀ କେଭି-୩ରୁ ବିଦା ହୋଇଯିବା ପରେ ଛାତ୍ରୀଙ୍କୁ ସାକ୍ଷାତ କରିବା ପାଇଁ କାହିଁକି ଆସିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

କେନ୍ଦ୍ରୀୟ ବିଦ୍ୟାଳୟ-୩ ଅଭିଭାବକ ସଂଘ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ‌କାର୍ଯ୍ୟାଳୟ ଡେପୁଟି କମିସନର(ଡିସି)ଙ୍କ ସହ ଆଲୋଚନା କରିଥିଲା। ପ୍ରାଥମିକ ସ୍ତରରେ ଅଭିଯୁକ୍ତ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ସ୍କୁଲରୁ ବିଦା କରି ଦିଆଯାଇଛି। ଆଗାମୀ ଅଳ୍ପ ଦିନ ମଧ୍ୟରେ ଅଭିଭାବକ କହିଥିବା ଅନ୍ୟ ଦାବି ଯଥା ତାଙ୍କ ଦରମାରୁ ଆହତ ଛାତ୍ରୀଙ୍କ ଚିକିତ୍ସା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପଦକ୍ଷେପ ନିଆଯିବ ବୋଲି ଡିସି ପ୍ରତିଶ୍ରୁତି ଦେଇଥିବା ଅଭିଭାବକ ସଂଘ ସଭାପତି କୃଷ୍ଣଚନ୍ଦ୍ର ପତି ସୂଚନା ଦେଇଛନ୍ତି। ଏହାଛଡ଼ା ଏପରି ଏକ ଘଟଣା ପାଇଁ ସେ ଦୁଃଖିତ ବୋଲି ପ୍ରକାଶ କରିବା ସହ ବିଦ୍ୟାଳୟ ପରିସରରେ ଶିକ୍ଷାର୍ଥୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଘଟଣା ନେଇ ହୋଇଥିବା ଅଭିଯୋଗର ସ୍ବତନ୍ତ୍ର ଭାବେ ତଦନ୍ତ କରିବେ ବୋଲି ଡିସି ଜଣାଇଛନ୍ତି।

ଆଜି ହସ୍ପିଟାଲ୍ ପରିସରରେ ଗୁରୁତର ଆହତ ଛାତ୍ରୀଙ୍କ ପରିବାରଲୋକ କହିଛନ୍ତି, ତାଙ୍କ ଝିଅକୁ ବିଦ୍ୟାଳୟରେ ଗତ କିଛି ଦିନ ହେଲା ନିର୍ଯାତନା ଦିଆଯାଉଥିଲା। ଏନେଇ ଛାତ୍ରୀଜଣକ ପରିବାରଲୋକଙ୍କୁ ଜଣାଇଥିଲେ। ହେଲେ ପରିବାର ଲୋକ ଘଟଣାକୁ ସାମାନ୍ୟ ବୋଲି ଭାବିଥିଲେ। ସେ ସମୟରେ ସ୍ବର ନ ଉଠାଇବାରୁ ଏପରି ଘଟିଲା। ଅଧ୍ୟକ୍ଷା ସବୁ ଜାଣି ମଧ୍ୟ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ଘଣ୍ଟ ଘୋଡ଼ାଇ ପିଲାଙ୍କୁ ଦୋଷାରୋପ କରୁଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe