ଝଲସିଲେ ମହାବାହୁ, ଇସ୍କନରେ ରତ୍ନବେଦି ବିଜେ

Advertisment

ଓୟୁଏଟିରେ ଶନିବାର ସକାଳେ ନୀଳାଦ୍ରି ବିଜେ

ଓୟୁଏଟିରେ ଶନିବାର ସକାଳେ ନୀଳାଦ୍ରି ବିଜେ

ଝଲସିଲେ ମହାବାହୁ, ଇସ୍କନରେ ରତ୍ନବେଦି ବିଜେ

ଭୁବନେଶ୍ବର: ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ରସିକ ଠାକୁର। ରଥଯାତ୍ରାରୁ ବଞ୍ଚିତ ଭକ୍ତବୃନ୍ଦ ଆଜି ଚତୁର୍ଦ୍ଧା ମୂର୍ତିଙ୍କ ଏହି ମନୋହର ବେଶ ଦେଖିବାକୁ ମନ୍ଦିର ନିକଟକୁ ଛୁଟି ଆସିଥିଲେ। ରଥ ପରିବ‌ର୍ତ୍ତେ ଏଥର ମନ୍ଦିର ବେଢ଼ାରେ ପ୍ରଭୁଙ୍କ ସୁନାବେଶ/ରାଜାଧିରାଜ/ରାଜାରାଜେଶ୍ବର ବେଶ ଅନୁଷ୍ଠିତ ହୋଇଥିଲା। କିଛି ମନ୍ଦିର ପରିଚାଳନା କମିଟି ଭକ୍ତଙ୍କ ଦର୍ଶନ ସୁବିଧା ପାଇଁ ବାହାର ପାର୍ଶ୍ବକୁ ପ୍ରଭୁଙ୍କୁ ମୁହଁ କରି ରଖିଥିଲେ। ଦୈନନ୍ଦିନ ରୀତିନୀତି ସମ୍ପାଦନ ପରେ ଅପରାହ୍‌ଣରୁ ସାଜସଜା ଆରମ୍ଭ ହୋଇଥିଲା। କିଛି ସ୍ଥାନରେ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ମନ୍ଦିରକୁ ଭକ୍ତମାନେ ଛୁଟି ଆସିଥିଲେ। ମହାପ୍ରଭୁଙ୍କ ସୁନାବେଶ ବର୍ଷକୁ ୫ ଥର ଅନୁଷ୍ଠିତ ହେଉଥିଲେ ମଧ୍ୟ ରଥ ଉପରେ ଏହି ବେଶ ଦର୍ଶନର ସୁଯୋଗ ନେବାକୁ ଭକ୍ତବୃନ୍ଦ ଆଜିର ଦିନକୁ ଅପେକ୍ଷା କରି ରହିଥିଲେ। ଦର୍ଶନ ମାତ୍ରେ ଭକ୍ତମାନେ ଭାବବିହ୍ବଳ ହୋଇପଡ଼ୁଥିବା ଦେଖିବାକୁ ମିଳିଥିଲା।

କାରୋନା ଯୋଗୁଁ ଇସ୍କନରେ ଏଥର ନୀତିକାନ୍ତିରେ ପରିବର୍ତନ ହୋଇଛି। ଗତକାଲିଠାରୁ ମହାପ୍ରଭୁ ମନ୍ଦିର ମଧ୍ୟକୁ ପ୍ରବେଶ କରି ସାରିଥିବା ବେଳେ ରତ୍ନବେଦି ନିକଟରେ ଏକ ଅସ୍ଥାୟୀ ମଣ୍ଡପରେ ରହିଥିଲେ। ସେଠାରେ ଆଜି ପ୍ରଭୁଙ୍କ ସୁନାବେଶ ହୋଇଥିଲା। ଆଜି ଅପରାହ୍‌ଣ ସାଢ଼େ ୪ଟାରୁ ବେଶ ଆରମ୍ଭ ହୋଇ ୫ଟା ୪୫ ପର୍ଯ୍ୟନ୍ତ ଚାଲିଥିଲା। ରାତି ୯ଟା ପର୍ଯ୍ୟନ୍ତ ଏହି ବେଶ ‌ରହିଥିଲା। ତେବେ ପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ଭକ୍ତଙ୍କ ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରି ନଥିଲା। ଉପେନ୍ଦ୍ର ମିଶ୍ରଙ୍କ ସୂଚନା ମୁତାବକ, ଆଜି ପ୍ରଭୁଙ୍କ ସୁନାବେଶ ଶେଷ ପରେ ରତ୍ନବେଦିକୁ ବିଜେ କରାଯାଇଥିଲା।publive-image

ଜାଗମରା ଧର୍ମବିହାରରେ ମହାପ୍ରଭୁ ରାସ୍ତା ସାମ୍ନାକୁ ମୁହଁ କରି ବସିଥିବାରୁ ଭକ୍ତଙ୍କ ଦର୍ଶନ ପାଇଁ ସୁନ୍ଦର ସୁଯୋଗ ଥିଲା। ଏହାର ଲାଭ ଉଠାଇବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ମନ୍ଦିରରେ ଅବକାଶ ଓ ମଧ୍ୟାହ୍ନ ନୀତି ପରେ ମହାସ୍ନାନ ଓ ମଙ୍ଗଳ ଆଳତି କରାଯାଇ ୪ଟାରୁ ସୁନାବେଶ ‌ଆରମ୍ଭ ହୋଇଥିଲା। ରାତି ୧୦ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନର ସୁଯୋଗ ମିଳିଥିଲା। ଶୁକ୍ରବାର ଏଠାରେ ଅଧରପଣା ନୀତି ସମ୍ପାଦନ ହେବ। ଶନିବାର ନୀଳାଦ୍ରିବିଜେ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସମ୍ପାଦକ ଅଜୟ ପଟ୍ଟନାୟକ କହିଛନ୍ତି।

ଓୟୁଏଟି ୮ନମ୍ବରସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ବାହାରପଟୁ ଭକ୍ତମାନେ ମହାପ୍ରଭୁଙ୍କ ସୁନାବେଶ ଦେଖିବାର ସୁଯୋଗ ପାଇଥିଲେ। ଅପରାହ୍‌ଣ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଦର୍ଶନର ସୁବିଧା ମିଳିଥିଲା। ପୁଲିସ ଓ ସ୍ବେଚ୍ଛାସେବୀଙ୍କ ସହଯୋଗ‌ରେ କଟକଣାକୁ ଦୃଷ୍ଟିରେ ରଖି ଦର୍ଶନର ସୁବିଧା କରାଯାଇଥିଲା। ମନ୍ଦିର ପରିଚାଳନା ଟ୍ରଷ୍ଟର ପ୍ରଫେସର୍‌ ବାମନ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, ଶୁକ୍ରବାର ସକାଳେ ଅଧରପଣା ନୀତି କରାଯିବ। ଶନିବାର ସଟ୍‌ଡାଉନ୍ ରହୁଥିବାରୁ ସକାଳ ୮ଟାରେ ନୀଳାଦ୍ରିବିଜେ ନୀତି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଚନ୍ଦ୍ରଶେଖରପୁର, ପଟିଆ ଓ ମଞ୍ଚେଶ୍ବର ଅଞ୍ଚଳର ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିରମାନଙ୍କରେ ନିରାଡ଼ମ୍ବର ଭାବେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ମହାମାରୀ କରୋନା କଟକଣାକୁ ଦୃଷ୍ଟିରେ ରଖି ହାତଗଣତି ଭକ୍ତ ସାମାଜିକ ଦୂରତା ରକ୍ଷା କରି ଜଣକ ପରେ ଜଣେ ଠାକୁରଙ୍କ ସୁନାବେଶକୁ ‌ଦର୍ଶନ କରିଥିଲେ। ସକାଳେ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା କରାଯାଇଥିବା ବେଳେ ଅପରାହଣ୍‌ରେ ମନ୍ଦିର ଭଣ୍ଡାର ଘରୁ ଠାକୁରଙ୍କ ଅଳଙ୍କାର ଅଣାଯାଇ ସୁନାବେଶ ହୋଇଥିଲା। କିସ୍ ଶ୍ରୀବାଣୀ କ୍ଷେତ୍ର, ପଟିଆ, ଶୈଳଶ୍ରୀ ବିହାର, ଆର୍‌ସିଏମ୍, ମଞ୍ଚେଶ୍ବର, ବିଡିଏ, ଭିଏସ୍ଏସ୍ ନଗର, ରଙ୍ଗମାଟିଆ, ଗାଡ଼କଣ ଓ ଶିଖରଚଣ୍ଡୀ ନଗର ଶ୍ରୀଜଗନ୍ନାଥ ମନ୍ଦିରରେ ସୁନାବେଶ ଦର୍ଶନର ସୁବିଧା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe