ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଅବଧି ଶେଷ ହେବା ପରେ ସେଲୁନ୍ ଓ ପାର୍ଲର ଖୋଲିବାକୁ ଅନୁମତି ମିଳିଲା। ଦୀର୍ଘ ଦୁଇ ମାସ ବିନା ରୋଜଗାରରେ ହାତ ବାନ୍ଧି ବସିଥିବା ବିୟୁଟିସିଆନ୍ ଓ ସେଲୁନ୍ ମାଲିକମାନେ ଖୁସି ହେଲେ। କିନ୍ତୁ ସେହି ଖୁସି ଅଧିକ ଦିନ ତିଷ୍ଠିଲା ନାହିଁ। ଗ୍ରାହକ ମରୁଡ଼ି ପାଇଁ ଆଶାନୁରୂପ ବେପାର ହେଲା ନାହିଁ। କରୋନା ଭୟରେ ଜଡ଼ସଡ଼ ଲୋକମାନେ ସେଲୁନ୍ ଓ ପାର୍ଲର ଦୁଆର ମାଡ଼ିବାକୁ ଡରୁଛନ୍ତି। ତେଣୁ ପାର୍ଲର ଓ ସେଲୁନ୍ ଖୋଲିବାର ୨୦ଦିନ ପରେ ବି ଗ୍ରାହକଙ୍କ ଦେଖାନାହିଁ। କାଁ ଭାଁ କେତେଜଣ ଅତ୍ୟାବଶ୍ୟକ ସେବା ପାଇଁ ଆସୁଛନ୍ତି। ଏବେ ପୁଣି ଦାଉ ସାଧିଛି ରବିବାରିଆ ସଟ୍ଡାଉନ୍। ଶନିବାର ଓ ରବିବାର ବେପାର ଦିନରେ ଲାଗୁ ହୋଇଛି ସଟ୍ଡାଉନ୍। ତେଣୁ ବେପାର ପୂରା ମାନ୍ଦା। ରୋଜଗାର ଆଶା କେବଳ ଆଶାରେ ରହି ଯାଇଛି। ଏହା ହେଉଛି ସେଲୁନ୍ ଓ ପାର୍ଲର ବେପାର କରୁଥିବା ବ୍ୟବସାୟୀ ଓ କର୍ମଚାରୀମାନଙ୍କ ଦୁର୍ଦ୍ଦିନର କଥା।
କ୍ଷତିରେ ପାର୍ଲର
ଏବେ ଉତ୍ସବ ଓ ସମାବେଶ ନଥିବାବେଳେ ତାଲା ବନ୍ଦ କଟକଣା ପାଇଁ କେହି କୁଆଡ଼େ ବାହାରକୁ ବୁଲି ଯାଉନାହାନ୍ତି। ତେଣୁ ଏବେ ପାର୍ଲର ଏକ ପ୍ରକାର ଅଲୋଡ଼ା ହୋଇପଡ଼ିଛି। ତେଣୁ ରୋଜଗାର ବହୁ ମାତ୍ରାରେ ହ୍ରାସ ପାଇଥିବାରୁ କର୍ମଚାରୀଙ୍କୁ ଦରମା ଦେବା, ପାର୍ଲରର ରକ୍ଷଣାବେକ୍ଷଣ ଓ ବିଭିନ୍ନ ସୌନ୍ଦର୍ଯ୍ୟ ବୃଦ୍ଧି ସାମଗ୍ରୀ କିଣିବା କଷ୍ଟକର ହୋଇପଡ଼ିଛି। ପାର୍ଲର ଜରିଆରେ କିଛି ବିୟୁଟିସିଆନ୍ ଘର ଘର ବୁଲି ସର୍ଭିସ୍ ଯୋଗାଉଥିଲେ। ଏବେ କରୋନା ଭୟରେ ସେ ସବୁ ବି ବନ୍ଦ ହୋଇଯାଇଛି। ଏଣୁ ସମ୍ପୂର୍ଣ୍ଣ କ୍ଷତିରେ ପାର୍ଲର ଚାଲିଛି ବୋଲି ହେୟାର୍ ଷ୍ଟାଇଲିଷ୍ଟ ଦିନେଶ କୁମାର କହିଛନ୍ତି।
କ୍ୟାବିନ୍ ଭଡ଼ାଉଠୁନି
୨ ମାସ ପରେ ସେଲୁନ୍ ଖୋଲିବା ପାଇଁ ଅନୁମତି ମିଳିବାରୁ ଖୁସି ହୋଇଯାଇଥିଲୁ। କିନ୍ତୁ ଏବେ ସେଲୁନ୍ ଆସିବା ପାଇଁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ନାହିଁ। ଅନେକ ଲୋକ ଘରେ ଦାଢ଼ି, ନିଶ ନିଜେ ନିଜେ ଖିଅର ହୋଇଯାଉଛନ୍ତି। କାଁ ଭାଁ କେତେଜଣ କେବଳ ଚୁଟି କାଟିବାକୁ ଆସୁଛନ୍ତି। ଚୁଟି କଟାରେ କମ୍ ରୋଜଗାର। କାରଣ ଥରେ ଜଣେ ଚୁଟି କାଟିଲେ ଆଉ ମାସେ ପର୍ଯ୍ୟନ୍ତ ତାଙ୍କର ସେଲୁନ୍ ଆସିବା ଦରକାର ପଡ଼େନାହିଁ। ସାମାଜିକ ଦୂରତା ରକ୍ଷା କରି ସମସ୍ତଙ୍କୁ ଠିଆ ହେବାକୁ ପଡ଼ୁଛି। ଫଳରେ ଖରାରେ କିଏ ଠିଆ ହୋଇ ଅପେକ୍ଷା କରିବ! ବିରକ୍ତ ହୋଇ ଅନେକ ସେଲୁନ୍ ଆସୁନାହାନ୍ତି। ସଂଧ୍ୟା ୭ରୁ କର୍ଫ୍ୟୁ। ତେଣୁ ସଂଧ୍ୟା ବେପାର ବନ୍ଦ। ଏବେ ପୁଣି ଲାଗୁ ହେଲା ଶନିବାରିଆ ଓ ରବିବାରିଆ ସଟ୍ଡାଉନ୍। ତେଣୁ ସବୁଦିଗରୁ ବେପାରକୁ ଅଙ୍କୁଶ ଲାଗିଛି। ଫଳରେ ରୋଜଗାରର ସ୍ଥିତି ଏମିତି ଯେ, କ୍ୟାବିନ୍ ଭଡ଼ା ଦେବା ପାଇଁ ପଇସା ଉଠୁନାହିଁ ବୋଲି କହିଛନ୍ତି ପଟିଆ ଅଞ୍ଚଳରେ ସେଲୁନ୍ କରିଥିବା ରଞ୍ଜନ ବାରିକ।
ଘୋଡ଼ା ଛ’ ଟଙ୍କାକୁ ଦାନା ନ’ ଟଙ୍କା
ମହାମାରୀ କରୋନା ସଂକ୍ରମଣକୁ ଡରି ଗ୍ରାହକମାନେ ପାର୍ଲର ଆସୁନାହାନ୍ତି। ଖୁବ୍ କମ୍ ଗ୍ରାହକ କେବଳ ଥ୍ରେଡିଂ, ହେୟାର୍ କଟ୍ ପାଇଁ ଆସୁଛନ୍ତି। ଏଥିରୁ କମ୍ ପଇସା ମିଳେ। ଫେସିଆଲ୍, ହେୟାର୍ ଷ୍ଟ୍ରେଟ୍ନିଂ, ସ୍ମୁଥ୍ନିଂ ଓ କେରାଟିନ୍ ଟ୍ରିଟ୍ମେଣ୍ଟ୍ ଆଦି ଦାମୀ ସେବା କେହି ନେଉନାହାନ୍ତି। ବିବାହ ବ୍ରତ ଉତ୍ସବ ଉପରେ କଟକଣା ଥିବାରୁ ବ୍ରାଇଡାଲ୍ ମେକ୍ଅପ୍, ପାର୍ଟି ମେକ୍ଅପ୍ ଆଦି ବନ୍ଦ। ଚଳିତ ବର୍ଷର ଗ୍ରୀଷ୍ମ ୪ ମାସ ବିବାହ ଋତୁ ଏମିତି କଟକଣାରେ କଟିଗଲା। ବେପାର ହେଉ ନ ହେଉ ଘର ଭଡ଼ା ଦେବାକୁ ପଡ଼ୁଥିଲା। ଏବେ କାଉଣ୍ଟର ଖୋଲି ବସିବା ଦ୍ବାରା ବିଦ୍ୟୁତ୍ ବିଲ୍ ପଇଠ କରିବାକୁ ପଡ଼ୁଛି। ସେହିଭଳି ଗ୍ରାହକମାନଙ୍କ ଶରୀର ତାପମାତ୍ରା ପରୀକ୍ଷା କରାଯାଉଛି, ହାତ ସାନିଟାଇଜ୍ କରିବାକୁ ପଡ଼ୁଛି ଓ ଶରୀରରେ ବିଶୋଧକ ସିଞ୍ଚନ କରାଯାଉଛି। ପ୍ରତିଦିନ ପାର୍ଲରକୁ ସାନିଟାଇଜ୍ କରାଯାଉଛି। ଏବାବଦରେ ଯେତିକି ଅର୍ଥ ବ୍ୟୟ ହେଉଛି, ବେପାରରୁ ସେତିକି ବି ଆୟ ହେଉନାହିଁ। ତା ସାଙ୍ଗକୁ ବଳେଇ ଯାଇଛି ଶନିବାର ଓ ରବିବାରିଆ ସଟ୍ଡାଉନ୍। ତେଣୁ ଘୋଡ଼ା ଛ’ ଟଙ୍କାକୁ ଦାନା ନ’ ଟଙ୍କା ପରିସ୍ଥିତି ହୋଇଛି ବୋଲି ହେୟାର୍ ହ୍ୟାକର୍ ଫ୍ୟାମିଲି ସେଲୁନ୍ ମାଲିକ ଜିତେନ୍ଦ୍ର ଠାକୁର କହିଛନ୍ତି।
Follow Us