Superstition in the capital: ରାଜଧାନୀରେ ଅନ୍ଧବିଶ୍ବାସ: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଜବତ ମାମଲାରେ ୨ ଗିରଫ, ‘ଭାଲୁହୋଇ ବାପାଙ୍କ ରକ୍ତ ଶୋଷିଥିଲା, ମାରିଦେଲୁ’

ଶୁକ୍ରବାର ଚନ୍ଦକା ଅଭୟାରଣ୍ୟ ଭିତରେ ଥିବା ପିତାଗାଡ଼ିଆ ଗାଁ ପାଖରୁ ଜବତ ହୋଇଥିବା ନରକଙ୍କାଳ ମାମଲା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ପୁଲିସକୁ ପ୍ରମାଣ ମିଳିଛି। ହତ୍ୟାର ଶିକାର ହୋଇଥିବା ବଳରାମ ଦେଓଗାମ୍‌(୭୨) ଗୁଣିଗାରେଡ଼ି କରୁଥିବା....

shfhfshxbvbv

ଭୁବନେଶ୍ବର: ଶୁକ୍ରବାର ଚନ୍ଦକା ଅଭୟାରଣ୍ୟ ଭିତରେ ଥିବା ପିତାଗାଡ଼ିଆ ଗାଁ ପାଖରୁ ଜବତ ହୋଇଥିବା ନରକଙ୍କାଳ ମାମଲା ଏକ ଜଘନ୍ୟ ହତ୍ୟାକାଣ୍ଡ ବୋଲି ପୁଲିସକୁ ପ୍ରମାଣ ମିଳିଛି। ହତ୍ୟାର ଶିକାର ହୋଇଥିବା ବଳରାମ ଦେଓଗାମ୍‌(୭୨) ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ତାଙ୍କ ସାହିର ଦୁଇ ଯୁବକ ତଣ୍ଟି ଚିପି ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ସେମାନେ ହେଲେ ପିତାଗାଡ଼ିଆର କହ୍ନେଇ ହେମ୍ବ୍ରମ୍(୨୭) ଓ ରାମ ସାମଦା(୨୫)। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ବଳରାମ ଜଣେ ଗୁଣିଆ ଥିଲା ଏବଂ ରାତିରେ ଭାଲୁ ହୋଇ ମଣିଷର ରକ୍ତ ଶୋଷି ମାରୁଥିଲା। ଅଭିଯୁକ୍ତ କହ୍ନେଇ ଓ ରାମର ବାପା ଏମିତି ବଳରାମର ଶିକାର ହୋଇଥିଲେ ବୋଲି ସେମାନେ ସନ୍ଦେହ କରି ସେମାନେ ତାଙ୍କୁ ହତ୍ୟା କରିଥିଲେ ‌ ଖୋଲାଖୋଲି ଭାବେ କହିଛନ୍ତି। କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ଗଜପତି, ମୋହନା ଆଦି ଆଦିବାସୀ ଅଧ୍ୟୁ‌ଷିତ ଅଞ୍ଚଳରେ ଏଭଳି ଅନ୍ଧବିଶ୍ବାସ ଆଜି ବି ରହିଛି ଏବଂ ଗୁଣିଗାରେଡ଼ି ସନ୍ଦେହରେ ମହିଳା ଓ ପୁରୁଷଙ୍କୁ ହତ୍ୟା କରାଯାଉଛି। କିନ୍ତୁ ରାଜଧାନୀ ଉପକଣ୍ଠରେ ଘଟିଥିବା ଅନୁରୂପ ହତ୍ୟାକାଣ୍ଡ ସମସ୍ତଙ୍କୁ ବିସ୍ମିତ କରିଛି। ହତ୍ୟା ଅଭିଯୁକ୍ତମାନେ ମୟୂରଭଞ୍ଜର ମୂଳବାସିନ୍ଦା। କିନ୍ତୁ ବହୁ ବର୍ଷ ହେଲା ଏଠାରେ ରହୁଥିଲେ ହେଁ ଅନ୍ଧାରୀମୂଲକର ମାନସିକତାରୁ ମୁକୁଳିପାରିନାହାନ୍ତି ବୋଲି ପ୍ରମାଣିତ ହୋଇଛି।  

କେମିତି ହେଲା ପର୍ଦ୍ଦାଫାସ୍‌

ମୃତଦେହ ନିକଟରୁ ଏକ ଲୁଙ୍ଗି ଓ ବେକରେ ପକାଯାଉଥିବା ମାଳି ଜବତ କରାଯାଇଥିଲା। ମୃତଦେହରେ ସାମାନ୍ୟତମ ଗଳିତ ମାଂସ ନଥିଲା। ପୂରା କଙ୍କାଳ ବି ମିଳିନଥିଲା। କିନ୍ତୁ ଲୁଙ୍ଗି ଓ ମାଳିରୁ ଜଣାପଡ଼ିଥିଲା ଯେ ତାହା ବଳରାମର କଙ୍କାଳ। ମୃତ ବଳରାମର ପୁଅ ରାମଚନ୍ଦ୍ର ‌ଲୁଙ୍ଗି ଓ ମାଳି ଚିହ୍ନଟ କରିଥିଲେ। ତାଙ୍କ କହିବା କଥା ସେପ୍ଟେମ୍ବର ୩୦ ତାରିଖରୁ ବଳରାମ ନିଖୋଜ ଥିଲେ। ପୂର୍ବରୁ ମଧ୍ୟ ବଳରାମ ଦିନଦିନ ଧରି କେଉଁ ଆାଡ଼େ ଚାଲିଯାଇ ପୁଣି ଫେରନ୍ତି। ତେଣୁ ବଳରାମ ପୁଣି କେବେ ଫେରି ଆସିବେ ଭାବି ତାଙ୍କ ପରିବାର ଲୋକେ ଥାନାରେ ଜଣାଇ ନଥିଲେ। କିନ୍ତୁ ବାପାଙ୍କ ମୃତଦେହ ବୋଲି ପୁଅ ରାମଚନ୍ଦ୍ର ନିଶ୍ଚିତ ହେବା ପରେ ପୁଲିସକୁ ପୂର୍ବ ଶତ୍ରୁତା କଥା ଜଣାଇଥିଲେ। ଅଭିଯୁକ୍ତ କହ୍ନେଇ ଓ ରାମ ପୂର୍ବରୁ ଏମିତି ଧମକ ଦେଇଥିଲେ ବୋଲି ସେ ପୁଲିସକୁ ଜଣାଇଥିଲେ। କିନ୍ତୁ ପୁଲିସ ଗାଁ ଲୋକଙ୍କୁ ପଚରାଉଚରା କରିଥିଲା। ବଳରାମ ଗୁଣିଗାରେଡ଼ି କରୁଥିଲେ ବୋଲି କିଛି ଲୋକ ପୁଲିସକୁ କହିଥିଲେ। ଏଥିରୁ ପୁଲିସକୁ କିଛି ସୁରାକ ମିଳିଥିଲା ଏବଂ ପଚରାଉଚରା କରିବାକୁ ପୁଲିସ ଟିମ୍‌ କହ୍ନେଇ ଓ ରାମକୁ ଉଠାଇ ଥାନାକୁ ନେଇଥିଲା। ପୁଲିସ ଆଗରେ ସେମାନେ ସବୁ ସତ ମାନି ଯାଇଥିଲେ ଏବଂ ପୁଲିସକୁ ଘଟଣାସ୍ଥଳକୁ ନେଇ ଦେଖାଇ‌ଥିଲେ। ଘଟଣାସ୍ଥଳରୁ ପୁଲିସ ଜରି ବ୍ୟାଗ, ଟର୍ଚ୍ଚ, ହାଣ୍ଡିଆ ବୋତଲ ଓ ଗୋଟିଏ ଠେଙ୍ଗା ଜବତ କରିଥିଲା।

କାହିଁକି ହତ୍ୟା କଲା କହ୍ନେଇ

ପୁଲିସକୁ କହ୍ନେଇ ଦେଇଥିବା ବୟାନ ଅନୁସାରେ କିଛି ମାସ ପୂର୍ବେ ମୃତ ବଳରାମ ତା’ ନାତିର ଜନ୍ମଦିନ ଭୋଜି କରିଥିଲା। ସାହିର ସବୁ ଲୋକ ଭୋଜିରେ ହାଣ୍ଡିଆ ପିଇ ନାଚିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନାଚଗୀତ ଚାଲିଥିଲା। ହଠାତ୍ କହ୍ନେଇ ବାପା ପର୍ଶୁରାମ ତଳେ ପଡ଼ିଗଲେ ଏବଂ ତାଙ୍କର ମୃତ୍ୟୁ ହୋଇଗଲା। ଠିକ୍‌ ସେମିତି ଅନ୍ୟ ଏକ ଘଟଣାରେ ଦିନେ ରାତିରେ ରାମର ବାପା ବି ହଠାତ୍ ମରିଥିଲେ। କିଛି ରୋଗ ନଥାଇ ଦୁଇ ଦୁଇ ଜଣଙ୍କ ମୃତ୍ୟୁ ହେବାରୁ ସମସ୍ତଙ୍କର ସନ୍ଦେହ ବଳରାମ ଉପରେ ଥିଲା। କଥା କାନରୁ କାନ ଡେଇଁ ପ୍ରଚାର ହୋଇଗଲା ଯେ ବଳରାମ ଗୁଣି ବଳରେ ଭାଲୁ ହୋଇଯାଉଛି ଏବଂ ରକ୍ତ ଶୋଷି ମଣିଷ ମାରୁଛି। କ‌ହ୍ନେଇ ପ୍ରତିଶୋଧପରାୟଣ ହୋଇଉଠିଲା ଏବଂ ସାହିରୁ ଆଉ ଯେମିତି କେହି ବଳରାମର ଶିକାର ନ ହେବେ, ସେଥିପାଇଁ ହତ୍ୟା ଯୋଜନା କଲା। ରାମ ମଧ୍ୟ ତା ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ କହ୍ନେଇ ସହ ହାତ ମିଳାଇଲା। ସେମାନେ ଜାଣିବାକୁ ପାଇଲେ ଯେ ଦୁର୍ଗାଷ୍ଟମୀ ତଥା ସେ‌ପ୍ଟେମ୍ବର ୩୦ ରାତିରେ ବଳରାମ ପୁଣି ଭାଲି ହେବ ଏବଂ କାହାକୁ ନା କାହାକୁ ରକ୍ତ ଶୋଷି ମାରିବ। ତେଣୁ ସେମାନେ ପୋଖରୀ ନିକଟରେ ଛକି ରହିଲେ। ବିଳମ୍ବିତ ରାତିରେ ବଳରାମ ପୋଖରୀ ପାଖକୁ ଆସିଲେ। କହ୍ନେଇ କହିବା କଥା ପୋଖରୀ ତୁଠରେ ପହଞ୍ଚିବା ପରେ ସତକୁ ସତ ବଳରାମର ହାତ ଓ ଗୋଡ଼ର ନଖ ଭାଲୁ ନଖ ଭଳି ବଢ଼ିବାକୁ ଲାଗିଲା। ତା ଦେହ ସାରା ବଡ଼ବଡ଼ ଲୋମ ହୋଇଗଲା। ତେଣୁ ସେମାନେ କାଳବିଳମ୍ବ ନକରି ପରିସ୍ରା କରି ତା’ ଉପରକୁ ଫୋପାଡ଼ିଲେ। ଫଳରେ ‌ବଳରାମ ପୁଣି ମଣିଷ ରୂପ ହୋଇଗଲା। କିନ୍ତୁ ସେମାନେ ତା’ ତଣ୍ଟି ଚିପି ମାରିଦେଲେ ଏବଂ ଶବକୁ ଟେକି ନେଇ ନିକଟସ୍ଥ ଏକ ନାଳରେ ପୋତି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe