ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶ୍ବାସରୁଦ୍ଧ ହେବାରୁ ମୃତ୍ୟୁ

Advertisment

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ପୁଲିସ କମିସନରଙ୍କୁ ଭେଟି ନିରପେକ୍ଷ ତଦନ୍ତ ଦାବି କଲା ବିଜେପି

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ପୁଲିସ କମିସନରଙ୍କୁ ଭେଟି ନିରପେକ୍ଷ ତଦନ୍ତ ଦାବି କଲା ବିଜେପି

ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶ୍ବାସରୁଦ୍ଧ ହେବାରୁ ମୃତ୍ୟୁ

ଭୁବନେଶ୍ବର/ଧଉଳି,: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଧଉଳି ଥାନା ପୁଲିସର ହସ୍ତଗତ ହୋଇଛି। ଶ୍ବାସରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା କ୍ୟାପିଟାଲ ହସ୍ପିଟାଲ ଡାକ୍ତର ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେ ଆତ୍ମହତ୍ୟା କରିଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି। ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିବା ସମୟରେ ଧର୍ମେନ୍ଦ୍ରଙ୍କର ଶ୍ବାସରୁଦ୍ଧ ହୋଇଥିଲା। ତାଙ୍କ ବେକରେ ଯେଉଁ କ୍ଷତ ଚିହ୍ନ ରହିଛି, ତାହା ପୁରୁଣା। ମୃତ୍ୟୁ ସହିତ ଏହାର କୌଣସି ସମ୍ପର୍କ ନାହିଁ। ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟାର କାରଣକୁ ନେଇ ଏବେ ବି ସସପେନ୍ସ୍ ଜାରି ରହିଛି। କେଉଁ କାରଣ ପାଇଁ ଜଣେ ଜିଲ୍ଲା ପରିଷଦ ସଭ୍ୟ ଏଭଳି ଚରମ ନିଷ୍ପତ୍ତି ନେଲେ? ସେହିପରି ତାଙ୍କ ମୋବାଇଲ ଫୋନ୍, ସ୍ମାର୍ଟ ୱାଚ୍ ଓ ଟଙ୍କା ବାହାରେ ଫୋପଡ଼ା ଯିବା ଘଟଣା ମଧ୍ୟ ଅନେକ ସନ୍ଦେହ ସୃଷ୍ଟି କରୁଛି। ପ୍ୟା‌ଣ୍ଟସାର୍ଟ ଗାଡ଼ିରେ ରଖି ରାତିରେ ଘର ଭିତରକୁ ଯାଇଥିଲେ ଧର୍ମେନ୍ଦ୍ର। କେଉଁ ପରିସ୍ଥିତିରେ ସେ ଏସବୁ କଲେ ଓ କାହିଁକି କଲେ ପୁଲିସ ତାର ଉତ୍ତର ଖୋଜୁଛି। ମୋବାଇଲରେ ଦୁଇଟି ଭିଡିଓ ଅଛି, ସେହି ଭିଡିଓ ଦୁଇଟି ଲୋକଲୋଚନକୁ ଆସିବା ଦରକାର ବୋଲି ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯଦି ସେ ଏହା ଚାହୁଥିଲେ, ତେବେ କାହିଁକି ମୋବାଇଲ ଦୁଇଟିକୁ ଘର ପାଖ ବୁଦା ମୂଳ ପାଣିକୁ ଫୋପାଡ଼ିଥିଲେ? ପୁଲିସ ଏ ଦିଗରେ ମଧ୍ୟ ଅନୁସନ୍ଧାନ ଚଳାଇଛି।

ଆଜି ତଦନ୍ତକୁ ଅଧିକ ଶାଣିତ କରିବାକୁ ଯାଇ ଧଉଳି ଥାନା ପୁଲିସ ସାଇବର ଥାନା ପୁଲିସର ସହଯୋଗ ନେଇଛି। ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ତତ୍ତ୍ବାବଧାନରେ ସାଇବର ଥାନାର ମହିଳା ଇନ୍ସପେକ୍ଟର, ଧଉଳି ଥାନା ଅଧିକାରୀ, ଜୋନ-୨ ଏସିପି ଓ ଅନ୍ୟ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ନେଇ ଗଠିତ ଟିମ ତାଙ୍କ ପରିବାର ଏବଂ ସଂପର୍କୀୟ ଲୋକଙ୍କୁ ପଚରାଉଚରା କରିଛନ୍ତି। ଗତକାଲି ତାଙ୍କ ପତ୍ନୀ କସ୍ତୁରିବାଳା ସ୍ବାଇଁ ଏବଂ ୧୫ ବର୍ଷୀୟ ନାବାଳକ ପୁଅକୁ ପଚରାଉଚରା କରିଥିଲା ପୁଲିସ। ପୁଲିସ ମାସକ ତଳର ସିସି କ୍ୟାମେରା ଫୁଟେଜକୁ ତନ୍ନତନ୍ନ କରି ଯାଞ୍ଚ କରୁଛି। ଆଜି ଅପରାହ୍‌ଣରେ ପୁଲିସ ପୁଣିଥରେ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚି ତାଙ୍କ ରୋଷେୟା, କେୟାର ଟେକର, ତାଙ୍କ ସହ ରହୁଥିବା ଅନ୍ୟ ସଂପର୍କୀୟ ଏବଂ କର୍ମଚାରୀଙ୍କୁ ପଚରାଉଚରା କରିଥିଲା।

ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୁଲିସ ମୃତ୍ୟୁର କାରଣ ଜାଣିବା ପାଇଁ ଅଧିକ ତତ୍ପର ହୋଇ ଉଠିଛି। ଫୋରେନସିକ୍ ଲାବରୋଟୋରିକୁ ପଠାଯାଇଥିବା ମୋବାଇଲ ଫୋନର ରିପୋର୍ଟ କିନ୍ତୁ ଏଯାଏ ପୁଲିସକୁ ମିଳିପାରି ନାହିଁ। ତେଣୁ ମୋବାଇଲରେ ଥିବା ଗୁପ୍ତ ରହସ୍ୟ ଜାଣିବା ପାଇଁ ପୁଲିସ ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା କରିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଧର୍ମେନ୍ଦ୍ର ଯେଉଁ ସନ୍ଦେହଜନକ ଭିଡିଓ ସଂପର୍କରେ ସୂଚନା ଦେଇଛନ୍ତି, ତାହା ମୋବାଇଲର ପାସୱାର୍ଡ ଖୋଲିବା ପରେ ଯାଞ୍ଚ କରାଯିବ। ଘରର କୌଣସି ସଦସ୍ୟ ଯଦି ପାସୱାର୍ଡ ଜାଣି ନଥିବେ, ତାହେଲେ ମୋବାଇଲ ବିଶାରଦମାନଙ୍କ ସହାୟତାରେ ମୋବାଇଲ୍ ଫୋନ୍ ଖୋଲାଯିବ। ଆବଶ୍ୟକ ପଡ଼ିଲେ ଅଧିକ ତଥ୍ୟ ହାସଲ ପାଇଁ ପୁଲିସ ରାଜ୍ୟ ବାହାର ଫୋରେନସିକ୍ ଲାବରୋଟୋରିକୁ ମୋବାଇଲ ପଠାଇପାରେ। ମୋବାଇଲରେ ଥିବା ଭିଡିଓରୁ ଧର୍ମେନ୍ଦ୍ରଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ତାହା ସ୍ପଷ୍ଟ ହୋଇଯିବ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ଆଜି ନିରପେକ୍ଷ ତଦନ୍ତ ଦାବିରେ ବିଜେପିର ଉପସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ଏକ ପ୍ରତିନିଧିଦଳ ପୁଲିସ କମିସନରଙ୍କୁ ଭେଟିଛନ୍ତି। ବିଜେପି ପକ୍ଷରୁ ଅଭିଯୋଗ ହୋଇଛି କି ଧର୍ମେନ୍ଦ୍ର ଜଣେ ରାଜନୈତିକ ବ୍ୟକ୍ତିବିଶେଷ ନ ହୋଇ ମଧ୍ୟ ତାଙ୍କୁ କେଉଁ ସ୍ବାର୍ଥରେ ବିଜେଡି ଟିକେ ଦିଆଯାଇଥିଲା। ଏପରିକି ସେ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଓ ପ୍ରଭାରୀ ପଦରେ ମଧ୍ୟ ଥିଲେ। ମନ୍ତ୍ରୀ ସମୀର ଦାଶଙ୍କ ସହିତ ମିଶି ଦଳୀୟ ବୈଠକ ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ। ତେଣୁ ଏଥିରେ ନିଶ୍ଚିତ କିଛି ରହସ୍ୟ ଅଛି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଦଳର ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଦିଲ୍ଲୀପ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe