ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ଜେଲ୍‌ ଗଲା ପୁଲିସ ପୁଅ

Advertisment

ଫେସ୍‌ବୁକ ପୋଷ୍ଟକୁ ନେଇ ପ୍ରତିକ୍ରିୟା

ଫେସ୍‌ବୁକ ପୋଷ୍ଟକୁ ନେଇ ପ୍ରତିକ୍ରିୟା

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା: ଜେଲ୍‌ ଗଲା ପୁଲିସ ପୁଅ

ଭୁବନେଶ୍ବର: ତମାଣ୍ଡୋ ଥାନା ଅଞ୍ଚଳରେ ବିବାହ କରିଥିବା ବନ୍ଦନା ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ମୃତ ମହିଳାଙ୍କ ସ୍ବାମୀ ତଥା ପୁଲିସ ପୁଅ ଯାମିନୀ ଜେନା ଜେଲ୍‌ ଯାଇଛନ୍ତି। ଦୁଇଦିନ ଅଟକ ରଖିବା ପରେ ତମାଣ୍ଡୋ ଥାନା ପୁଲିସ ଆଜି ତାଙ୍କୁ କୋର୍ଟଚାଲାଣ କରିଛି। ସେଠାରୁ ତାଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ମୃତକଙ୍କ ଶ୍ବଶୁର ତଥା ତମାଣ୍ଡୋ ଥାନାର ହାବିଲଦାର ବିଜୟ ଗୋଚ୍ଛାୟତଙ୍କ ନାମରେ ମଧ୍ୟ ହତ୍ୟା ଅଭିଯୋଗ ରହିଛି। କିନ୍ତୁ ତାଙ୍କୁ ଗିରଫ କରାଯାଇନାହିଁ। ଦୁଇ ଦିନ ହେବ ଅସୁସ୍ଥତା କାରଣରୁ ସେ ମେଡିକାଲ୍‌ରେ ଅଛନ୍ତି।
ଅନ୍ୟପଟେ ବନ୍ଦନାଙ୍କ ଏଭଳି ମୃତ୍ୟୁକୁ ନେଇ ଲେଖିକା ମଞ୍ଜୁ ନାୟକଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି। ବନ୍ଦନା ଜଣେ ଉଚ୍ଚାକାଂକ୍ଷୀ ଓ ମେଧାବୀ ଛାତ୍ରୀ ଥିଲେ। ଜୀବନକୁ ଭଲ ପାଉଥିଲେ। ସଫଳ ନାରୀ ହୋଇ ଛିଡ଼ା ହେବାର ସ୍ବପ୍ନ ଦେଖିଥିଲେ। ବିଜେବି କଲେଜ୍‌ରୁ ପାସ୍‌ କରିବା ପରେ ଚାକିରି କରିଥିଲେ। ଗତ ଫେବ୍ରୁଆରି ୧୬ ତାରିଖରେ ବାହା ହୋଇଥିଲେ। ଉଭୟ ବାପଘର ଓ ଶାଶୂଘର ଭୁବନେଶ୍ବରରେ। ଏଣୁ ସେ ବାହାଘରରେ ଖୁସି ଥିଲେ। ହେଲେ ବାହାଘରର ପରଦିନଠାରୁ ଏଟା ଆଣିନି, ସେ’ଟା ଆଣିନି କହି ଶ୍ବଶୁର ଘର ଲୋକ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପ୍ରତ୍ୟେକ ଦିନ ସେ ‌ଘରକୁ ଫୋନ୍‌ କରି କହୁଥିଲେ, ‘ଏଗୁଡ଼ା ଭଲ ଲୋକ ନୁହନ୍ତି, ଟଙ୍କା ଜିନିଷ ମାଗୁଛନ୍ତି। କ’ଣ କରିବି?’ ବୋଉ ବୁଝାଉଥିଲେ, ରହ ବ୍ୟସ୍ତ ହ’ ନା, କ’ଣ ଗୋଟେ ବ୍ୟବସ୍ଥା କରିବା। ହେଲେ ତାଙ୍କର ମୃତ୍ୟୁ ଖବର ଆସିଲା।

ଲେଖିକା ମଞ୍ଜୁ ନାୟକଙ୍କର ଏହି ଫେସ୍‌ବୁକ୍‌ ପୋଷ୍ଟ ପରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ବଶୁର ପୁଲିସ୍‌ ଥିବାରୁ ମାମଲା ଦେବା ଆଶଙ୍କା କରି କମେଣ୍ଟ କରିଛନ୍ତି। କେତେ‌କେ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି। ଅପରାଧୀଙ୍କୁ ସାବାଡ୍‌ କରୁଥିବା ପୁଲିସ୍‌ କର୍ମଚାରୀଙ୍କ ଘରେ ଅପରାଧ ହୋଇଥିବାରୁ ଶ୍ବଶୁରଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ମତ ରଖିଥିଲେ। ଅଭିଯୋଗ ମୁତବାକ, ତମାଣ୍ଡୋ ଥାନାରେ କାର୍ଯ୍ୟରତ ହାବିଲଦାର ବିଜୟ ଗୋଚ୍ଛାୟତଙ୍କ ପୁଅ ଯାମିନୀ ଜେନାଙ୍କ ସହ ଏୟାରଫିଲ୍ଡ ଥାନା ଭିମଟାଙ୍ଗୀର ବନ୍ଦନାଙ୍କ ବିବାହ ହୋଇଥିଲା। ତେବେ ବାହାଘରର ପାଖାପାଖି ୭ ମାସ ପରେ ଗତ ୧୮ ତାରିଖ ଦିନ ବନ୍ଦନାଙ୍କ ଝୁଲନ୍ତା ମୃତଦେହ ଶାଶୂଘରୁ ଉଦ୍ଧାର କରାଯାଇଥିଲା। ବନ୍ଦନାଙ୍କ ମା’ ବାସନ୍ତୀ ଜେନାଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହ ବନ୍ଦନାଙ୍କ ସ୍ବାମୀ ଯାମିନୀକୁ ଅଟକ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe