Bangalore Mirror
ଭୁବନେଶ୍ବର : ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣେ ଯୁବକଙ୍କ ମୃତଦେହକୁ ସୋମବାର ଭରତପୁର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଜବତ କରିଛି। ମୃତକ ହେଲେ ପିପିଲି ଥାନା ପୁବାଶାସନ ଅଞ୍ଚଳର ଗୁଣନିଧି ଭୋଇ। ଶବ ବ୍ୟବଚ୍ଛେଦ କରାଇ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଓ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଏଣେ ମୃତକ ଗୁଣନିଧିଙ୍କ ଭାଇ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିଛନ୍ତି।
ସୂଚନାନୁସାରେ ଗୁଣନିଧି ଭରତପୁରସ୍ଥିତ ଏକ ଘରୋଇ ସଂସ୍ଥାରେ ବିଟିଏସ୍ ଅପରେଟର ଭାବେ କାମ କରୁଥିଲେ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ତାଙ୍କ ଦେହ ଅସୁସ୍ଥ ଥିବା ନେଇ ଅଫିସରୁ କେହି ଜଣେ ବଡ଼ ଭାଇ ସୁନାକରଙ୍କ ନିକଟକୁ ଫୋନ୍ କରିଥିଲେ ଓ କ୍ୟାପିଟାଲ୍ ହସ୍ପିଟାଲ୍କୁ ଆସିବା ପାଇଁ କହିଥିଲେ। ସେ ହସ୍ପିଟାଲରେ ପହଞ୍ଚିବା ବେଳକୁ ଗୁଣନିଧିଙ୍କ ମୃତ୍ୟୁ ହୋଇସାରିଥିଲା ଓ ଭରତପୁର ଥାନା ପୁଲିସ ବ୍ୟବଚ୍ଛେଦ କରାଇବା ପାଇଁ ତାଙ୍କୁ ଅପେକ୍ଷା କରିଥିଲା। ଗୁଣନିଧିଙ୍କ ମୃତ୍ୟୁ କିଭଳି ହେଲା ବୋଲି କେହି ତାଙ୍କୁ କିଛି କହିନଥିଲେ। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସୁନାକର ସନ୍ଦେହ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ପୁଲିସ କହିଛି।
Follow Us