ଦୁଇଦିନରେ ୩ ସନ୍ଦେହଜନକ କୋଭିଡ୍‌ ମୃତ୍ୟୁ

୮ ଦିନରେ କରୋନା ନେଲାଣି ୩୩୨ ମୁଣ୍ଡ

Representative image

କ୍ୟାପିଟାଲ ହସ୍ପିଟାଲରେ ବଢ଼ୁଛି ‘ରିସିଭ୍‌ଡ ଡେଡ୍‌’ ରୋଗୀଙ୍କ ସଂଖ୍ୟା
କୋଭିଡ୍‌ ପ୍ରୋଟୋକଲ୍ ଅନୁସାରେ ହେଉଛି ଶବ ସତ୍କାର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ସନ୍ଦେହଜନକ କରୋନା ମୃତ୍ୟୁ ରୋଗୀ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ଦୁଇ ଦିନରେ ଏଭଳି ୩ଟି ମାମଲା ହସ୍ପିଟାଲକୁ ଆସିଛି। ହସ୍ପିଟାଲକୁ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଓ କରୋନା ଲକ୍ଷଣ ରହିଥିବା କୁହାଯାଉଛି। ମାତ୍ର ‘ରିସିଭ୍‌ଡ ଡେଡ୍’ ବା ହସ୍ପିଟାଲ ପହଞ୍ଚିବା ପୂର୍ବରୁ ମୃତ ରୋଗୀଙ୍କ କୋଭିଡ୍‌ ପରୀକ୍ଷା ନ କରିବା ଲାଗି ଗତବର୍ଷ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ତେଣୁ ଏସବୁ ମୃତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ୍‌ ପରୀକ୍ଷା ହେଉନାହିଁ। ଏ ଦୃଷ୍ଟିରୁ ସେମାନେ ପ୍ରକୃତରେ କୋଭିଡ୍‌ରେ ପ୍ରାଣ ହରାଇଛନ୍ତି କି ଅନ୍ୟ କୌଣସି ରୋଗରେ ତାହା ସ୍ପଷ୍ଟ ହୋଇପାରୁ ନାହିଁ।

ମିଳିଥିବା ସୂଚନା ଅନୁସାରେ, ଗତକାଲି ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ମହିଳାଙ୍କ କ୍ୟାପିଟାଲ ହସ୍ପିଟାଲକୁ ଆସଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ତାଙ୍କଠାରେ କରୋନା ଲକ୍ଷଣ ରହିଥିଲା। ମାତ୍ର ପରୀକ୍ଷା ପାଇଁ ଅନୁମତି ନ ଥିବାରୁ ତାଙ୍କୁ ହସ୍ପିଟାଲର ମର୍ଗରେ ରଖାଯାଇଥିଲା। ଆଜି ବିଏମ୍‌ସି ପକ୍ଷରୁ ତାଙ୍କର କୋଭିଡ୍‌ ପ୍ରୋଟୋକଲ ଅନୁସାରେ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି। ସେହିପରି ଆଜି ୨ଜଣ ଏଭଳି ‘ରିସିଭ୍‌ଡ ଡେଡ୍‌’ ରୋଗୀ ହସ୍ପିଟାଲର ମର୍ଗରେ ରହିଥିବା ଖବର ମିଳିଛି। ସେମାନଙ୍କୁ ମଧ୍ୟ ବିନା ପରୀକ୍ଷାରେ କରୋନା ସନ୍ଦେହରେ ରଖାଯାଇଛି। ଏ ଦୁଇ ଜଣ କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ରାଜ୍ୟରେ କରୋନା ଯୋଗୁଁ କେତେ ଲୋକ ପ୍ରକୃତରେ ପ୍ରାଣ ହରାଉଛନ୍ତି ତାହା ଜାଣିବା ମୁସ୍କିଲ୍‌। ଗତବର୍ଷ ମଧ୍ୟ ରାଜ୍ୟ ସରକାରଙ୍କ ଏଭଳି ନିର୍ଦେଶନାମାକୁ ନେଇ ବିଶେଷଜ୍ଞମାନେ ନାପସନ୍ଦ କରିଥିଲେ। ଯାହାଫଳରେ ରାଜ୍ୟରେ କୋଭିଡ୍‌ ମୃତ୍ୟୁର ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe