୨୦୩୦ ସୁଦ୍ଧା କେହି ଭୋକିଲା ରହିବେ ନାହିଁ

Advertisment

ସାମଗ୍ରିକ ବିକାଶ ଲକ୍ଷ୍ୟ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା

ସାମଗ୍ରିକ ବିକାଶ ଲକ୍ଷ୍ୟ ସମ୍ପର୍କିତ ଆଞ୍ଚଳିକ କର୍ମଶାଳା

୨୦୩୦ ସୁଦ୍ଧା କେହି ଭୋକିଲା ରହିବେ ନାହିଁ

ଚନ୍ଦ୍ରଶେଖରପୁର : ସମସ୍ତଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଦ୍ୟ ଯୋଗାଇ ଦିଆଯିବ। ଦାରିଦ୍ର୍ୟ ଦୂରୀକରଣ, ଗୁଣାତ୍ମକ ଶିକ୍ଷା, ଲିଙ୍ଗଗତ ବୈଷମତା ଦୂରୀକରଣ, ଶିଳ୍ପାୟନକୁ ପ୍ରୋତ୍ସାହନ, ଜଳ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ଯୋଜନା ଆଦି ୧୭ଟି କ୍ଷେତ୍ରରେ ୧୬୯ଟି ଲକ୍ଷ୍ୟ ରଖାଯାଇଛି। ମିଳିତ ଜାତିସଂଘ ପକ୍ଷରୁ ୨୦୩୦ ସୁଦ୍ଧା ଏହି ସବୁ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରାଯାଇ ବିଶ୍ୱକୁ ଏକ ନୂଆ ରୂପ ପ୍ରଦାନ କରାଯିବା ନେଇ ନିରନ୍ତର ବିକାଶ ଲକ୍ଷ୍ୟ ବା ସଷ୍ଟେନେବଲ୍‌ ଡେଭଲପ୍‌ମେଣ୍ଟ୍‌ ଗୋଲ୍‌ (ଏସ୍‌ଡିଜି)ର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ଲକ୍ଷ୍ୟ ପୂରଣ କରିବାରେ ରାଷ୍ଟ୍ର ତଥା ରାଜ୍ୟଗୁଡ଼ିକର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସନ୍ଦର୍ଭରେ ଭାରତ ସରକାରଙ୍କ ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ଵୟନ ମନ୍ତ୍ରାଳୟ ପକ୍ଷରୁ ଏସ୍‌ଡିଜି ସମ୍ପର୍କିତ ଦୁଇଦିନିଆ କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୟୁନିସେଫ୍‌ର ଓଡ଼ିଶା ମୁଖ୍ୟ ୟୁମି ବାଇ, ରାଜ୍ୟ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିସନର ଆର୍‌ ବାଲକ୍ରିଷ୍ଣନ୍‌, ପରିସଂଖ୍ୟାନ ଓ ଯୋଜନା କାର୍ଯ୍ୟାନ୍ଵୟନ ମନ୍ତ୍ରାଳୟ ପକ୍ଷରୁ ଦେବେନ୍ଦ୍ର ବର୍ମା, ଟି ସି ଏ ଅନନ୍ତ, ପ୍ରବୀଣ ଶ୍ରୀବାସ୍ତବ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଏସ୍‌ଡିଜି ଅନ୍ତର୍ଗତ ଆଠଟି ବିକାଶ ସୂଚକାଙ୍କକୁ ଓଡ଼ିଶା ସଫଳତାର ସହିତ ପୂର୍ଣ୍ଣ କରିବା ଦିଗରେ ଆଗକୁ ବଢ଼ିଛି। ଏନେଇ ରାଜ୍ୟର ବିକାଶ ନିମନ୍ତେ ଭିଜନ୍‌- ୨୦୩୬ ପ୍ରସ୍ତୁତ କରାଯାଇଛି। ଆମ ଗାଁ ଆମ ଯୋଜନା, ଜିଲ୍ଲାସ୍ତରୀୟ ଯୋଜନା ଓ କାର୍ଯ୍ୟାନ୍ଵୟନ ଶାଖାଗୁଡ଼ିକୁ କ୍ରିୟାଶୀଳ କରିବା, ଖାଦ୍ୟ ସୁରକ୍ଷା ଆଇନ-୨୦୧୫ ଅନ୍ତର୍ଗତ ରାଜ୍ୟ ହାସଲ କରିଥିବା ସଫଳତାକୁ ପାଥେୟ କରି ଓଡ଼ିଶାର ବିକାଶ ନିମନ୍ତେ ଭିଜନ୍‌-୨୦୩୬ ସଫଳ ହେବା ନେଇ ଉନ୍ନୟନ କମିସନର ଆର୍‌ ବାଲ୍‌କ୍ରିଷ୍ଣନ୍‌ ସୂଚନା ଦେଇଥିଲେ। ଏଥିରେ ଧାର୍ଯ୍ୟ କରାଯାଇଥିବା ୧୭ଟି କ୍ଷେତ୍ରରେ ରାଜ୍ୟ ସଫଳତା ହାସଲ ନିମିତ୍ତ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଦାରିଦ୍ର୍ୟ ଓ କ୍ଷୁଧା ଦୂରୀକରଣ, ସମସ୍ତଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ, ଲିଙ୍ଗଗତ ଭେଦଭାବ ଦୂରୀକରଣ ତଥା ନାରୀ ସଶକ୍ତୀକରଣ, ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ କରିବା, ଏଡ୍‌ସ, ମ୍ୟାଲେରିଆ ଏବଂ ଅନ୍ୟାନ୍ୟ ରୋଗର ନିରାକରଣ, ପରିବେଶ ସୁରକ୍ଷା ତଥା ବିକାଶକୁ ନେଇ ଏକ ବିଶ୍ୱସ୍ତରୀୟ ଭାଗୀଦାରି ଗଢ଼ିବା ଆଦି ଏସ୍‌ଡିଜିର ମୂଳ ଲକ୍ଷ୍ୟ ଥିଲା। ବର୍ତ୍ତମାନ ଏସ୍‌ଡିଜି ୨୦୩୦ ସୁଦ୍ଧା ବିକାଶର ନୂତନ ସୂଚକାଙ୍କ ଭାବରେ ଆଉ କିଛି ନୂତନ ବିଷୟ ଯୋଗ କରାଯାଇଛି।

ଆୟୋଜିତ ଏହି ଦୁଇଦିନିଆ ଆଞ୍ଚଳିକ କର୍ମଶାଳାରେ ଆଣ୍ଡାମାନ ନିକୋବର, ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, କେରଳ, ଓଡ଼ିଶା ଓ ପଶ୍ଚିମବଙ୍ଗ ଆଦି ରାଜ୍ୟର ଏସ୍‌ଡିଜି ଭିଜନ୍‌ ଡକ୍ୟୁମେଣ୍ଟ ଓ ରାଜ୍ୟର ନିଜସ୍ୱ ବିକାଶ ଯୋଜନା ସହ ଏହାର ସମନ୍ଵୟ ସମ୍ପର୍କିତ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe