ସ୍ବଚ୍ଛ ସର୍ବେକ୍ଷଣ ଆରମ୍ଭ, ଏଥର କେତେ ରାଙ୍କ୍‌ ପାଇବ ବିଏମ୍‌ସି?

ସ୍ବଚ୍ଛ ସର୍ବେକ୍ଷଣ ଆରମ୍ଭ, ଏଥର କେତେ ରାଙ୍କ୍‌ ପାଇବ ବିଏମ୍‌ସି?

Odisha Bytes

ଭୁବନେଶ୍ୱର: ଆରମ୍ଭ ହୋଇଛି ସ୍ବଚ୍ଛ ସର୍ବେକ୍ଷଣ। ଅଗଷ୍ଟ ୭ ତାରିଖ ସୁଦ୍ଧା ଭୁବନେଶ୍ବର ବାସିନ୍ଦା ସ୍ବଚ୍ଛ ସର୍ବେକ୍ଷଣ ପୋର୍ଟାଲ୍‌ରେ ଭୋଟିଂ କରିବକୁ କୁହାଯାଇଛି। ଜନସାଧାରଣଙ୍କ ଭୋଟିଂ ଆଧାରରେ ସର୍ବଭାରତୀୟ ସ୍ତରରେ ପୌରସଂସ୍ଥାଗୁଡ଼ିକୁ କେନ୍ଦ୍ର ସରକାର ରୢାଙ୍କିଙ୍ଗ୍‌ କରିବେ। ଏହି ରୢାଙ୍କିଙ୍ଗ କେନ୍ଦ୍ରୀୟ ଅନୁଦାନକୁ ପ୍ରଭାବିତ କରିବାକୁ ଥିବାରୁ ଏଥିରେ ଭଲ ରୢାଙ୍କ୍‌ ପାଇବା ପାଇଁ ବିଏମ୍‌ସି ଆପ୍ରାଣ ଉଦ୍ୟମ କରୁଛି। ୧୪୪ ରୢାଙ୍କ୍‌ରେ ଥିବା ବିଏମ୍‌ସି ଗତବର୍ଷ ଉଦ୍ୟମ କରି ଶହେ ଭିତର(୮୦ ତମ ସ୍ଥାନ)କୁ ଆସିଥିଲା। କ୍ୟାପିଟାଲ ସିଟିଗୁଡ଼ିକ ମଧ୍ୟରେ ‘ସିଟିଜେନ୍‌ ଫିଡ୍‌ବ୍ୟାକ୍‌’ ବିଭାଗରେ ବିଏମ୍‌ସି ସର୍ବାଧିକ ନମ୍ବର ରଖି ପୁରସ୍କୃତ ହୋଇଥିଲା। କିନ୍ତୁ ଏଥର କେତେ ରୢାଙ୍କ୍‌ ପାଇବ ବିଏମ୍‌ସି? ଆଧୁନିକ ତଥା ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ସହ ଉଲ୍ଲଂଘନକାରୀଙ୍କ ଉପରେ ହେଉଥିବା କଡ଼ା କାର୍ଯ୍ୟାନୁଷ୍ଠାନ ଏଥର ବିଏମ୍‌ସିକୁ ଭଲ ରୢାଙ୍କ୍‌ ଦେବ ତ?

ଏଥର ସାଧାରଣଲୋକଙ୍କ ପାଇଁ ରହିଥିବା ପ୍ରଶ୍ନରେ ଆବର୍ଜନା ପୃଥକୀକରଣ, ନଳା ସଫେଇ, ‘ରିଡ୍ୟୁସ୍‌, ରିୟୁଜ୍‌ ଓ ରିସାଇକେଲ୍‌’ ବ୍ୟବସ୍ଥା, ସର୍ବସାଧାରଣ ଟଏଲେଟ୍‌ ଓ ସାମଗ୍ରିକ ସଫେଇ ଉପରେ ଗୁରୁତ୍ବ ଦିଆଯାଇଛି। ସାଧାରଣ ଲୋକଙ୍କର ମାନସିକତାରେ ପରିବର୍ତ୍ତନ ହୋଇନଥିବାରୁ ଏହି ସବୁ ବ୍ୟବସ୍ଥାରେ ବିଏମ୍‌ସି ରୢାଙ୍କ୍‌ କମ୍‌ ପାଇବା ଆଶଙ୍କା ସୃଷ୍ଟି ‌ହୋଇଛି। ଏବେ ବି ଶତପ୍ରତିଶତ ପୃଥକ୍‌ ଆବର୍ଜନା ସଂଗ୍ରହ ହୋଇ ପାରୁ ନାହିଁ। ପୃଥକ୍‌ ଆବର୍ଜନା ନ ଦେଲେ ଯଦି ବିଏମ୍‌ସି ଆବର୍ଜନା ସଂଗ୍ରହ କରୁନି ତେବେ ରାତିଅଧିଆ ସେ ସବୁକୁ ରାସ୍ତା କଡ଼ରେ ଫିଙ୍ଗି ଦିଆଯାଉଛି। ଠିକ୍‌ ସେହିଭଳି ନଳା ସଫେଇରେ ବିଏମ୍‌ସି ପଛରେ ରହିଛି। ଅଧିକାଂଶ ବଡ଼ବଡ଼ ନାଳ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଏଯାବତ୍‌ ପୂର୍ତ୍ତ ବିଭାଗ ନଳା ସଫା କରିନାହିଁ।

ଏନେଇ ବିଏମ୍‌ସି ମାସିକ ବୈଠକରେ ଏକାଧିକବାର ଉଦ୍‌ବେଗ ପ୍ରକାଶ ପାଇବା ସହ ବିଏମ୍‌ସି ହତାଶ ହୋଇ ପୂର୍ତ୍ତ ବିଭାଗ ନଳାକୁ ସଫା କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଏଯାବତ୍‌ ତାହା ସଫା ହୋଇପାରିନାହିଁ। ଏଣେ ଆଭ୍ୟନ୍ତରୀଣ ନାଳଗୁଡ଼ିକ ଘରୋଇ ଠିକା ସଂସ୍ଥାମାନେ ସଫା କରୁଛନ୍ତି। କିନ୍ତୁ ଶତପ୍ରତିଶତ ସଫା କରୁନାହାନ୍ତି। ଏମାନଙ୍କୁ ଜଗିବା ପାଇଁ ଯଦିଓ ବିଏମ୍‌ସି ଯାବତୀୟ ଉଦ୍ୟମ କରିଛି ତଥାପି ସେଥିରେ ସଫଳ ହୋଇନାହିଁ। ସେହିଭଳି ନିଷିଦ୍ଧ ପଲିଥିନ୍‌ ସାମଗ୍ରୀ ବ୍ୟବହାରକୁ ନେଇ ଚଢ଼ଉ ଜାରି ରହିଥିଲେ ମଧ୍ୟ ଏବେ ବି ପର୍ଯ୍ୟାପ୍ତ ପରିମାଣରେ ଏହି ନିଷିଦ୍ଧ ସାମଗ୍ରୀ ଉପଲବ୍ଧ ହେଉଛି। ସେହିଭଳି ଅଣଓସାରିଆ ଗଳିରେ ସଫେଇ ଗାଡ଼ି ପଶି ପାରୁନଥିବାରୁ ବାଇକ୍‌ରେ ଆବର୍ଜନା ସଂଗ୍ରହ କରିବା ପାଇଁ ଯୋଜନା ହୋଇଥିଲା। ହେଲେ ତାହା ଫେଲ୍‌ ମାରିଛି। ସଫେଇ ଟେଣ୍ଡରରେ ତ୍ରୁଟି ଥିବାରୁ ଏକାଧିକ ୱାର୍ଡର ଶତ ପ୍ରତିଶତ ରାସ୍ତା ସଫା ହୋଇ ପାରୁ ନାହିଁ କିମ୍ବା ଆବର୍ଜନା ସଂଗ୍ରହ ହୋଇ ପାରୁ ନାହିଁ। ଏଣୁ ଏ ସବୁ ସ୍ବଚ୍ଛ ସର୍ବେକ୍ଷଣରେ ବିଏମ୍‌ସିର ଗୋଡ଼ ଟାଣିବା ଆଶଙ୍କା ସୃଷ୍ଟି ହୋଇଛି।

ବିଏମ୍‌ସିର କହିବା କଥା ହେଉଛି, ପରିମଳ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିଛି। ସଫା ଆପ୍‌ ଜରିଆରେ ପରିମଳକୁ ନେଇ ‘ସିଟିଜେନ୍‌ ଫିଡ୍‌ବ୍ୟାକ୍‌’କୁ ଗୁରୁତ୍ବ ଦିଆଯାଇଛି। ଘରେ ଘରେ କ୍ୟୁଆର କୋଡ୍‌ ଲଗାଯାଇଥିବାରୁ ଏହି ଆପ୍‌ ଜରିଆରେ ଅଧିକ ଅଭିଯୋଗ ଗ୍ରହଣ ଓ ସମାଧାନ କରାଯାଇଛି। ପ୍ରଥମ ଥର ପାଇଁ ପରିମଳ ବ୍ୟବସ୍ଥାରେ ‘ୱାକି-ଟକି’ ବ୍ୟବହାର ଏଥିରେ ସୁଧାର ଆଣିଛି। ସୂଚନା, ଅଭିଯୋଗ ଓ ନିର୍ଦ୍ଦେଶ ଜାରି କରିବା ବ୍ୟବସ୍ଥା ତ୍ବରିତ ହୋଇଛି। ରାତିକାଳୀନ ସଫେଇ ମଧ୍ୟ ଏହି ବ୍ୟବସ୍ଥାରେ ଉନ୍ନତି ଆଣିଥିବା ବେଳେ ଦିନରେ ଦୁଇଥର ଆବର୍ଜନା ସଂଗ୍ରହ କରାଯାଉଥିବାରୁ ବଜାର ଅଞ୍ଚଳରେ ପରିମଳ ବ୍ୟବସ୍ଥା‌ରେ ଉନ୍ନତି ଆସିଛି। ଏଣୁ ଏଥର ୧୦ରୁ ୨୦ ରୢାଙ୍କ୍‌ ଭିତ‌ରେ ବିଏମ୍‌ସି ଆସିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe