ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ : ଭୁବନେଶ୍ୱର ପଛରେ, ଦାୟୀ କିଏ?

Advertisment

ଆସନ୍ତାବର୍ଷ ଭଲ ର‍୍ୟାଙ୍କ ପାଇବୁ: ବିଏମ୍‌ସି କମିସନର

ଆସନ୍ତାବର୍ଷ ଭଲ ର‍୍ୟାଙ୍କ ପାଇବୁ: ବିଏମ୍‌ସି କମିସନର

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୦ : ଭୁବନେଶ୍ୱର ପଛରେ, ଦାୟୀ କିଏ?

Telegraph India

ଭୁବନେଶ୍ୱର, (ବିଶ୍ୱଜିତ୍‌ ଦାଶ) : ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ସର୍ବଭାରତୀୟସ୍ତରରେ ୨୩୩ ର‍୍ୟାଙ୍କ ମିଳିଥିବା ବେଳେ ରାଜ୍ୟରେ ୫ମ ସ୍ଥାନରେ ଅଛି। ରାଜ୍ୟର ସବୁଠୁ ସ୍ବଚ୍ଛ ସହର ଭଳି ଭୁବନେଶ୍ବର ଦେଖାଯାଉଛି, ସହରକୁ ସ୍ୱଚ୍ଛ ରଖିବା ପାଇଁ ବର୍ଷକୁ ପ୍ରାୟ ୭୦ କୋଟି ଖର୍ଚ୍ଚ ହେଉଛି, ସବୁଠୁ ଅଧିକ ସଫେଇ କର୍ମଚାରୀ ଏଠାରେ କାମ କରୁଛନ୍ତି, ଯାନ୍ତ୍ରିକ ସଫେଇ ବି ହେଉଛି। ରାଜ୍ୟର ଅନ୍ୟ କୌଣସି ସହରର ସଫେଇ ବ୍ୟବସ୍ଥା ଦେଖିଲେ, ସେମାନେ ଭୁବନେଶ୍ବରର ପାଖ ଛୁଇଁବେନି। ଅଥଚ ଭୁବନେଶ୍ୱର ସେମାନଙ୍କଠାରୁ ପଛରେ। ସ୍ୱଚ୍ଛ ଭୁବନେଶ୍ୱର ନାରା ନେଇ ବିଏମ୍‌ସି ଗତ ୧୦ ବର୍ଷରୁ ଅଧିକ ଦିନ ହେଲା କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଛି, ହେଲେ ର‍୍ୟାଙ୍କ ତାଲିକାରେ ବହୁ ପଛରେ।

ଏମିତି କ’ଣ ହେଲା ଯେ ଭୁବନେଶ୍ବର ବ୍ରହ୍ମପୁର, ରାଉରକେଲା, ବାରିପଦା, କଟକଠାରୁ ପଛରେ ପଡ଼ିଗଲା। ସତରେ କ’ଣ ଭୁବନେଶ୍ବର ଏହି ୪ ସହରଠାରୁ ଅପରିଷ୍କାର। ନା ସେଠାରେ ପୌରସଂସ୍ଥା କର୍ତ୍ତୃପକ୍ଷ ଏମିତି କିଛି କରୁଛନ୍ତି, ଯାହା ବିଏମ୍‌ସି କର୍ତ୍ତୃପକ୍ଷ କରିପାରୁ ନାହାନ୍ତି। ରାସ୍ତାରେ ଅଳିଆ ପକାଇଲେ, ବାଲି ଗୋଡ଼ି ଗଦାଇଲେ, ବିଏମ୍‌ସି ମୋଟା ଅଙ୍କର ଜରିମାନା ଆଦାୟ କରୁଛି। କିନ୍ତୁ ଭୁବନେଶ୍ବରକୁ ସ୍ବଚ୍ଛ ସହର ତାଲିକାରେ ଉପରେ ରଖି ପାରୁ ନାହାନ୍ତି। ଏହି ପ୍ରଶ୍ନ ଏବେ ୧୦ ଲକ୍ଷ ରାଜଧାନୀବାସୀ ପଚାରିଲେଣି। ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ବିଏମ୍‌ସି ପଛରେ ପଡ଼ିଯିବା ପରେ ଏବେ ବିଏମ୍‌ସିର ପାରିବାପଣିଆ ଉପରେ ପ୍ରଶ୍ନ ଉଠିଲାଣି। ଭୁବନେଶ୍ବର ସ୍ବଚ୍ଛତା ସର୍ଭେ ପଡ଼ିବା ପଛରେ ଦାୟୀ କିଏ? ଏ ଜବାବ୍‌ ରାଜଧାନୀବାସୀ ମାଗିଲେଣି।

publive-image Telegraph India

ବିଏମ୍‌ସିରେ ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ଜଣେ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ‌ଯାନ୍ତ୍ରିକ ସଫେଇ କଥା ଇଞ୍ଜିନିୟରିଂ ବିଭାଗ ବୁଝୁଛି, ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅଧୀନରେ ଏକ ବଡ଼ ଟିମ୍‌ ପରିମଳ ବ୍ୟବସ୍ଥା ବୁଝୁଛି, ୱାର୍ଡସ୍ତରରେ ସାନିଟାରି ଇନସ୍ପେକ୍ଟରଙ୍କଠାରୁ ଆରମ୍ଭ କରି ସ୍ୱଚ୍ଛ ସାଥୀ ପର୍ଯ୍ୟନ୍ତ ସମସ୍ତେ କାମ କରୁଛନ୍ତି। ସବୁ ଉପରେ ନଜର ରଖୁଛି ସ୍ୱଚ୍ଛ ଭାରତ ଅଭିଯାନ(ଏସ୍‌ବିଏ) ସେଲ୍‌। ସବୁର ତଦାରଖ କରୁଛନ୍ତି ବିଏମ୍‌ସି କମିସନର୍‌। ତଥାପି ଭୁବନେଶ୍ବରକୁ ମିଳିଲା ରାଜ୍ୟରେ ପଞ୍ଚମ ସ୍ଥାନ। ଯଦି ଏମିତି ଭିତ୍ତିଭୂମି ଆଉ କେଉଁ ସହରକୁ ଯୋଗାଇ ଦିଆଯିବ, ସେ ସହର ନିଶ୍ଚିତ ଦେଶର ସବୁଠୁ ସ୍ୱଚ୍ଛ ସହର ହୋଇପାରିବ।

ଆଜି ଭୁବନେଶ୍ବରକୁ ୨୩୩ ର‍୍ୟାଙ୍କ ମିଳିବା ପରେ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଆମେ ଗତଥରଠାରୁ ଭଲ ର‍୍ୟାଙ୍କ ପାଇଛୁ। ଆମର କମ୍ପୋଷ୍ଟ ପ୍ଲାଣ୍ଟ କାମ ଚାଲିଛି, ନୂଆ ବ୍ୟବସ୍ଥାରେ ଆବର୍ଜନା ସଂଗ୍ରହ ହେଉଛି, ବା‌ୟୋମାଇନିଂ କାମ ଆରମ୍ଭ କରିବୁ। ତେଣୁ ଆସନ୍ତା ବର୍ଷ ଆମେ ନିଶ୍ଚିତ ଭଲ ର‍୍ୟାଙ୍କ ପାଇବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe