Telegraph India
ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରି ୪ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ଅନୁଷ୍ଠିତ ହେବ। ଏନେଇ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେଣୁ ସାରା ଦେଶରେ ବିଭିନ୍ନ ପୌରସଂସ୍ଥା ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସ୍ୱଚ୍ଛ ସର୍ବେକ୍ଷଣ-୨୦୨୦ରେ ୧୦ ଲକ୍ଷ ଜନବସତି ସହର ତାଲିକାରେ ୨୩୩ତମ ର୍ୟାଙ୍କ, ଓଡ଼ିଶାରେ ୫ମ ସ୍ଥାନ ହାସଲ କରିଥିବା ଭୁବନେଶ୍ବର ଯେପରି ତାଲିକାରେ ଉପରେ ରହିବ, ଦେଶର ଶ୍ରେଷ୍ଠ ୧୦ ସ୍ୱଚ୍ଛ ସହର ମଧ୍ୟରେ ସ୍ଥାନ ପାଇବ, ସେଥିପାଇଁ ବିଏମ୍ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପରିମଳ ଭିତ୍ତିଭୂମି ସଜାଡ଼ିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ଆଜିଠାରୁ ପ୍ରଚାର ଆରମ୍ଭ ହୋଇଛି।
ଭୁବନେଶ୍ବର ବିଗତ ବର୍ଷଗୁଡ଼ିକରେ ଯେଉଁ ସବୁ କାରଣ ପାଇଁ ପଛରେ ପଡ଼ିଥିଲା, ସେଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଏବେ ନିର୍ମାଣ କରାଯାଉଛି। ଏହାସହ ସ୍ୱଚ୍ଛ ସର୍ବେକ୍ଷଣ ଗାଇଡଲାଇନ୍ ଅନୁଯାୟୀ ଯେଉଁ ସବୁ କ୍ଷେତ୍ରରେ ଉନ୍ନତି କରିବାକୁ କୁହାଯାଇଛି, ତାହାକୁ ଫୋକସ୍ କରାଯାଇଛି।
Twitterସର୍ବେକ୍ଷଣ ଗାଇଡଲାଇନ୍ ଅନୁଯାୟୀ, ଆର୍ବଜନାକୁ ତିନି ପ୍ରକାରରେ ବିଭକ୍ତ କରାଯାଉଥିବା ଦରକାର। ଯେପରି ଓଦା ବର୍ଜ୍ୟ, ଶୁଖିଲା ବର୍ଜ୍ୟ ଏବଂ ବିଷାକ୍ତ ବର୍ଜ୍ୟ। ବିଏମ୍ସି କର୍ତ୍ତୃପକ୍ଷ ଏବେ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍ ନିକଟରେ କେବଳ ଶୁଖିଲା ଓ ବର୍ଜ୍ୟ ଆବର୍ଜନା ପୃଥକ୍ କରୁଛନ୍ତି। ତେଣୁ ବିଷାକ୍ତ ବର୍ଜ୍ୟ ପୃଥକ୍ କରିବା ଦରକାର। ଏହାସହ ଲୋକଙ୍କ ଘରୁ ଶୁଖିଲା ଓ ବର୍ଜ୍ୟ ଆବର୍ଜନା ପୃଥକ ପୃଥକ ଭାବେ ସଂଗ୍ରହ କରିବାକୁ ହେବ।
ସେହିପରି ସମସ୍ତ ଓଦା ବର୍ଜ୍ୟ ବିଶୋଧନ ହେବା ଦରକାର। ଏଥିପାଇଁ ଆବଶ୍ୟକ କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ ହୋଇଥିବା ଦରକାର। ଯାହା ଏବେ ବିଏମ୍ସିର ତିନିଟି କମ୍ପୋଷ୍ଟ ପ୍ଲାଣ୍ଟରେ ହେଉଛି। ଡିସେମ୍ବର ଶେଷ ସୁଦ୍ଧା ୩୬ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରି କର୍ତ୍ତୃପକ୍ଷ ଏହି କ୍ଷେତ୍ରରେ ଅଧିକ ଉନ୍ନତି କରିବାକୁ ଲକ୍ଷ୍ୟ ରଖିଛନ୍ତି। କେବଳ ଓଦା ବର୍ଜ୍ୟ ନୁହେଁ ଶୁଖିଲା ବର୍ଜ୍ୟର ବି ପ୍ରକ୍ରିୟାକରଣ ବ୍ୟବସ୍ଥା ହୋଇଥିବ। ଯେଉଁଥିପାଇଁ ବିଏମ୍ସି ଏବେ ୧୦ଟି ଏମ୍ଆର୍ଏଫ୍ ନିର୍ମାଣ କରୁଛି।
ନିର୍ମାଣ ଓ ଭଗ୍ନ ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ପ୍ଲାଣ୍ଟ ଥିବା ଦରକାର। ଯାହା ଏବେ ଭୁବନେଶ୍ବରରେ ନାହିଁ। ଯଦି ଏବେ ବିଏମ୍ସି କର୍ତ୍ତୃପକ୍ଷ ଏହି ପ୍ଲାଣ୍ଟ ନିର୍ମାଣ ନକରିବେ ତେବେ ସ୍ୱଚ୍ଛ ସର୍ବେକ୍ଷଣରେ ଭଲ ମାର୍କ ମିଳିପାରେ।
Telegraph Indiaକେତେ ବର୍ଜ୍ୟ ଡମ୍ପିଂୟାର୍ଡକୁ ଯାଉଛି ତାହା ଉପରେ ବି ମାର୍କ ଦିଆଯିବ। ଯଦି ପୌର ସଂସ୍ଥାର ସବୁ ବର୍ଜ୍ୟ କମ୍ପୋଷ୍ଟ ପ୍ଲାଷ୍ଟରେ ବିଶୋଧନ ହେଉଥିବ ତେବେ ଭଲ ମାର୍କ ମିଳିବ। ମୋଟ୍ ବର୍ଜ୍ୟର ଯେତେ ପ୍ରତିଶତ ଡମ୍ପିଂୟାର୍ଡକୁ ଯାଉଥିବ ସେହି ଅନୁଯାୟୀ ମାର୍କ କଟିବ। ଭୁବନେଶ୍ବରରେ ଏବେ ପ୍ରାୟ ସବୁ ବର୍ଜ୍ୟ ଭୁଆସୁଣି ଡମ୍ପିଂୟାର୍ଡକୁ ଯାଉଛି। ଡିସେମ୍ବର ଶେଷ ସୁଦ୍ଧା ୬୦% ବର୍ଜ୍ୟକୁ କମ୍ପୋଷ୍ଟ ପ୍ଲାଣ୍ଟରେ ବିଶୋଧନ କରିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ବିଏମ୍ସି କର୍ତ୍ତୃପକ୍ଷ ଏବେଠୁ ତତ୍ପରତା ଦେଖାଇ ସବୁ ବର୍ଜ୍ୟ କମ୍ପୋଷ୍ଟ ପ୍ଲାଣ୍ଟରେ ବିଶୋଧନ ନକଲେ ସେଥିରେ ମାର୍କ କଟିବ।
ଏସବୁ ବାଦ୍ ସହରରେ ତରଳ ବର୍ଜ୍ୟ ବିଶୋଧନ ବ୍ୟବସ୍ଥା ହୋଇଛି କି ନାହିଁ, ସର୍ବସାଧାରଣ ସ୍ଥାନରେ ଆବଶ୍ୟକ ଶୌଚାଳୟ ଅଛି କି ନାହିଁ, ସହର ସ୍ବଚ୍ଛ ଦେଖାଯାଉଛି କି ନାହିଁ, ଲୋକଙ୍କୁ ସଚେତନ କରାଯାଉଛି କି ନାହିଁ, ଓଡିଏଫ୍++ ସହର ହୋଇଛି କି ନାହିଁ ତାହା ଉପରେ ବି ମାର୍କ ଦିଆଯିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ନାଗରିକ ମତାମତ। ଏଥିରେ ପ୍ରାୟ ଏକ ଚତୁର୍ଥାଂଶ ମାର୍କ ମିଳିବ। ବିଏମ୍ସି କର୍ତ୍ତୃପକ୍ଷ ଯେମିତି ସହରକୁ ସଫା ରଖିବେ, ରାଜଧାନୀବାସୀ ସେମିତି ମତାମତ ଦେବେ।
ସୂଚନାଯୋଗ୍ୟ ଯେ, ସ୍ୱଚ୍ଛ ସର୍ବେକ୍ଷଣ ୨୦୧୭ରେ ଭୁବନେଶ୍ବରକୁ ୯୪ତମ ରୢାଙ୍କ, ୨୦୧୮ରେ ୨୪୩ତମ ରୢାଙ୍କ, ୨୦୧୯ରେ ୨୮୮ତମ ର୍ୟାଙ୍କ, ୨୦୨୦ରେ ୨୩୩ତମ ର୍ୟାଙ୍କ ମିଳିଥିଲା। ତେଣୁ ଭୁବନେଶ୍ବରର ସମ୍ମାନ ରଖିବାକୁ ହେଲେ ବିଏମ୍ସିକୁ ଏବେ ଠାରୁ ପରିମଳ ଭିତ୍ତିଭୂମି ସଜାଡ଼ିବାକୁ ହେବ। କରୋନା ମହାମାରୀ ସମୟରେ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବାରୁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚ୍ଛ ସର୍ବେକ୍ଷଣ ପ୍ରତିଯୋଗିତା ପାଇଁ କିଛି ନୂଆ ଗାଇଡଲାଇନ୍ ଆସିପାରେ। ତେଣୁ ଏସବୁକୁ ନଜରରେ ରଖି ବିଏମ୍ସିକୁ ବହୁତ କିଛି ପଦକ୍ଷେପ ନେବାକୁ ହେବ।
Follow Us