୭୮ତମ ପ୍ରକଟ ଉତ୍ସବ ପାଳିତ ‘ରାଷ୍ଟ୍ରୀୟ ଏକତା କ୍ଷେତ୍ରରେ ସ୍ୱାମୀ ନିଶ୍ଚଳାନନ୍ଦ ଜଣେ ଅଗ୍ରଗଣ୍ୟ ସନ୍ଥ’

Advertisment
୭୮ତମ ପ୍ରକଟ ଉତ୍ସବ ପାଳିତ ‘ରାଷ୍ଟ୍ରୀୟ ଏକତା କ୍ଷେତ୍ରରେ ସ୍ୱାମୀ ନିଶ୍ଚଳାନନ୍ଦ ଜଣେ ଅଗ୍ରଗଣ୍ୟ ସନ୍ଥ’

ଭୁବନେଶ୍ୱର: ରାମରାଜ୍ୟ ପରିଷଦ ପକ୍ଷରୁ ବୁଧବାର ଆଦିଶଙ୍କରଙ୍କ ପ୍ରତିଷ୍ଠିତ ଗୋବର୍ଦ୍ଧନ ପୀଠର ୧୪୫ତମ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ୭୮ତମ ପ୍ରକଟ ଉତ୍ସବ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରୋହିତ୍ୟରେ ଅନ୍‌ଲାଇନ୍‌‌‌ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ନିଗମ କଳ୍ପତରୁ ଆଶ୍ରମର ପ୍ରତିଷ୍ଠାତା ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ କହିଲେ, ୧୯୯୨ ମସିହାରେ ପୂଜ୍ୟପାଦ ଗୁରୁଜୀ ଗୋବର୍ଦ୍ଧନ ପୀଠର ୧୪୫ତମ ଶଙ୍କରାଚାର୍ଯ୍ୟ ଭାବେ ଅଧିଷ୍ଠିତ ହେବା ଦିନଠାରୁ ହିନ୍ଦୁଧର୍ମ ଓ ଗୋ-ମାତାର ସୁରକ୍ଷା ପାଇଁ ତଥା ବିଶେଷଭାବେ ତଥା ଭାରତବର୍ଷର ଏକତା, ଅଖଣ୍ଡତା ପାଇଁ ବର୍ଷକୁ ୨୫୦ଦିନ ଭାରତ ଭ୍ରମଣ କରିଥା’ନ୍ତି। ଗୁରୁଜୀଙ୍କ ଦୀର୍ଘଜୀବନ କାମନା କରି ଦିବ୍ୟଜୀବନ ସଂଘର ସନ୍ଥ ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ କହିଲେ ଯେ ଗୁରୁଜୀ ଜଣେ ପ୍ରଚଣ୍ଡ ବିଦ୍ବାନ। ବୈଦିକ ଗଣିତରେ ସାରା ବିଶ୍ୱରେ ସେ ହିଁ ଏକମାତ୍ର ବ୍ୟକ୍ତି। ଗଣିତର ସମସ୍ତ ସୂତ୍ରକୁ ବେଦର ସୂତ୍ର ଅନୁସାରେ ସମାଧାନ କରିବାରେ ସେ ସକ୍ଷମ।

ଗୁରୁଜୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପୂର୍ବତନ କୁଳପତି ପ୍ରଫେସର୍‌ ହରେକୃଷ୍ଣ ଶତପଥୀ କହିଲେ, ବଂଶ ପରମ୍ପରାକ୍ରମେ ଗୁରୁଜୀଙ୍କ ପରିବାର ଏକ ସଂସ୍କୃତ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ଶାଣ୍ଡିଲ୍ୟ ଗୋତ୍ରିୟ ବ୍ରାହ୍ମଣ ପରିବାର। ପରିବାରର ଛାପରେ ଗୁରୁଜୀ ସମ୍ପୂର୍ଣ୍ଣ ଭାବେ ମହିମାମଣ୍ଡିତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ବୈଦିକ ସ୍ୱସ୍ତିବାଚନ ଓ କାର୍ଯ୍ୟକ୍ରମର ସଂଯୋଜକ ଶିକ୍ଷାବିତ୍‌ ଡ. ବଦ୍ରିନାଥ ପଟ୍ଟନାୟକ ଗୁରୁଜୀଙ୍କ ଅଧ୍ୟାତ୍ମସତ୍ତା ବିଷୟରେ ଆଲୋଚନା କରିଥିଲେ। ବୁଦ୍ଧ ମନ୍ଦିରର ସମ୍ପାଦକ ତଥା ଟ୍ରଷ୍ଟି ଡ. ସୌରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଦେଇଥିଲେ।

ଗୁରୁଜୀଙ୍କ ଦୀର୍ଘଜୀବନ କାମନା କରି ଏକ ବୈଦିକ ଯଜ୍ଞ ସ୍ୱାମୀ ସ୍ୱର୍ଣ୍ଣଭବନଠାରେ ପଣ୍ଡିତ ଡ. ନିରଞ୍ଜନ ବ୍ରହ୍ମା ଓ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌ‌ରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ତିରୁପତିର ପ୍ରଫେସର୍‌ ସତ୍ୟନାରାୟଣ ଆଚାର୍ଯ୍ୟ, ଡ. ଜ୍ଞାନରଞ୍ଜନ ପଣ୍ଡା, ପ୍ରଫେସର୍‌ ବୁଦ୍ଧଦେବ ମିଶ୍ର, ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍‌ର ଅଧ୍ୟକ୍ଷ ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର, ପୂର୍ବତନ ଆଇ.ଜି ଅରୁଣ ଉପାଧ୍ୟାୟ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଡ. ଆର୍ତ୍ତତ୍ରାଣ ମିଶ୍ର ପ୍ରମୁଖ ଗୁରୁଜୀଙ୍କ ରାଷ୍ଟ୍ର ନିର୍ମାଣରେ ଯୁବକମାନଙ୍କୁ ଗୁରତ୍ୱ ଦେବା ପାଇଁ କରୁଥିବା ଦାବିକୁ ସରକାର ଗ୍ରହଣ କରିବା ଉଚିତ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଆୟକର ମୁଖ୍ୟ କମିସନର୍‌ ଶରତ ଚନ୍ଦ୍ର ଦାସ, ପ୍ରଫେସର୍ ସୁରେନ୍ଦ୍ର କୁମାର ଦାସ, ସମାଜସେବୀ ଶୁଚିସ୍ମିତା ପୃଷ୍ଟି ଓ ଡ. ନିବେଦିତା ପଟ୍ଟନାୟକ ପ୍ରମୁଖ ଶ୍ରୀଜଗନ୍ନାଥଙ୍କ ପ୍ରତି ଗୁରୁଜୀ ଏକ ସମର୍ପିତ ପ୍ରାଣ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe