୩୫ ବର୍ଷ ପରେ ସ୍ବ ମନ୍ଦିରକୁ ବାହୁଡ଼ିଲେ ସ୍ବପ୍ନେଶ୍ବର ଦେବ

୩୫ ବର୍ଷ ପରେ ସ୍ବ ମନ୍ଦିରକୁ ବାହୁଡ଼ିଲେ ସ୍ବପ୍ନେଶ୍ବର ଦେବ

ବାଲିଅନ୍ତା: ଦୀର୍ଘ ୩୫ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ବାଳକାଟି ଅଞ୍ଚଳର ଆରାଧ୍ୟ ଦେବତା ଥାନପତି ସ୍ବପ୍ନେଶ୍ବର ଦେବଙ୍କ ଚଳନ୍ତି ବିଗ୍ରହ ପ୍ରଭୁ ଚନ୍ଦ୍ରଶେଖର ଓ ମା’ ପାର୍ବତୀଙ୍କ ଚଳନ୍ତି ବିଗ୍ରହ ଆଜି ସ୍ବ ମନ୍ଦିରକୁ ବାହୁଡ଼ିଛନ୍ତି। ଫଳରେ ବର୍ଷ ବର୍ଷ ଧରି ସଂପୃକ୍ତ ଦେବଦେବୀଙ୍କ ଅଷ୍ଟଧାତୁ ବିଗ୍ରହ ଦ୍ବୟ ମନ୍ଦିରକୁ ଆସିବା ନେଇ ଚାଲଥିବା ସବୁ ପ୍ରକାର କଳ୍ପନାଜଳ୍ପନାର ଅବସାନ ଘଟିଛି। ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଭାପତି ପଣ୍ଡିତ ବିଶ୍ବନାଥ ମିଶ୍ରଙ୍କ ସମେତ ୫ ଜଣିଆ ପଣ୍ଡିତମଣ୍ଡଳୀଙ୍କ ଦ୍ବାରା ସମଗ୍ର ଦେବକାର୍ଯ୍ୟ ଓ ନୀତିକାନ୍ତି ସଂପନ୍ନ ହୋଇଥିଲା। ଠାକୁରଙ୍କ ଏହି ପ୍ରତ୍ୟାବର୍ତ୍ତନ ଉତ୍ସବ ଅବସରରେ ପଣ୍ଡିତମଣ୍ଡଳୀଙ୍କ ଦ୍ବାରା ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁଯାୟୀ ଉଭୟ ଦୁଲ୍ଲା ଦେବୀ ମନ୍ଦିର ଓ ସ୍ବପ୍ନେଶ୍ବର ଦେବଙ୍କ ମନ୍ଦିରରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା ହୋଇଥିଲା। କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍‌ଣ ୨ଟାରେ ଦୁଲ୍ଲା ଦେବୀ ମନ୍ଦିରରେ ହୋମଯଜ୍ଞର ପୂର୍ଣ୍ଣାହୁତି ବିଧି ସରିବା ପରେ ଏକ ସୁସଜ୍ଜିତ ବିମାନରେ ବସି ବିଗ୍ରହମାନେ ସ୍ବ ମନ୍ଦିରକୁ ଯାତ୍ରା ଆରମ୍ଭ କରିଥିଲେ। ଆକର୍ଷଣୀୟ ଶୋଭାଯାତ୍ରାରେ ବାଜା, ବାଣ, ଘୋଡ଼ା, ଷଣ୍ଢ ଓ ଘଣ୍ଟ, କୀର୍ତ୍ତନ ଓ ହରିବୋଲ ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା। ସ୍ବପ୍ନେଶ୍ବର ମନ୍ଦିର ପରିସରରେ ବିମାନ ପହଞ୍ଚିବା ପରେ ସ୍ନାନମଣ୍ଡପରେ ସୁବାସିତ ଜଳରେ ମହାସ୍ନାନ ବିଧି ଅନୁଷ୍ଠିତ ହୋଇଥିଲା। ଏହାପରେ ନବବସ୍ତ୍ର ପରିଧାନ କରାଇ ଆଲଟ ଚାମର କରି ବିଗ୍ରହଙ୍କୁ ମନ୍ଦିର ଭିତରକୁ ନିଆଯାଇଥିଲା। ପ୍ରାୟ ୪୦ ଫୁଟ ଉଚ୍ଚତା ୬୦ ଫୁଟ ପରିଧି ମଧ୍ୟରେ ଥିବା ମନ୍ଦିରର ଦକ୍ଷିଣ ପାର୍ଶ୍ବ ବିଜେସ୍ଥଳୀର ଅଗ୍ନିକୋଣରେ ପୂର୍ବାମୁହାଁ କରି ସେବେଠାରୁ ଶୂନ୍ୟପଡ଼ିଥିବା ୩ ଫୁଟ ଉଚ୍ଚତା ଓ ଦୁଇଫୁଟ ଚଉଡାର ସିଂହାସନ ଉପରେ ଅବସ୍ଥାନ କରାଯାଇଥିଲା। ଆସ୍ଥାନରେ ବିଜେ ହେବା ପରେ ବିଗ୍ରହଙ୍କୁ ବିଭିନ୍ନ ରୁପା ଅଳଙ୍କାର ଯଥା ରୁପା ଚନ୍ଦ୍ର, କିରୀଟ, ମୁକୁଟ, ହରଡ଼ ସର୍ପ ଓ ରୁପା ଚାମରରେ ଆଭୂଷିତ କରାଯାଇଥିଲା। ଦୀର୍ଘ ୧ ଘଣ୍ଟା କାଳ ମନ୍ଦିର ପହଡ଼ ପଡ଼ିଥିଲା। ବିଶ୍ରାମ ପରେ ସଂଧ୍ୟା ୬ଟାରେ ବିଚିତ୍ର କୁମାର ପଣ୍ଡା ଓ ଅନ୍ୟ ପଣ୍ଡାମାନେ ଆଳତି କରିଥିଲେ। ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଦିଅଁଙ୍କ ଦିବ୍ୟ ଦର୍ଶନ କରି ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ୧୦ ହଜାର ଲୋକ ପ୍ରସାଦ ସେବନ କରିଥିଲେ। ପ୍ରତ୍ୟୁଷରେ ଶୋଭାଯାତ୍ରା ଯିବା ରାସ୍ତାରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସୂଚନାଯୋଗ୍ୟ ୧୯୮୫ ମସିହାରେ ସଂପୃକ୍ତ ମନ୍ଦିରରୁ ଐତିହ୍ୟ ସଂପନ୍ନ କାରୁକାର୍ଯ୍ୟପୂର୍ଣ୍ଣ ଉପରୋକ୍ତ ମୂର୍ତ୍ତି ଚୋରିଯାଇଥିଲା। ଏହାପରେ ଏହି ମନ୍ଦିରରେ ନୂତନ ମୂର୍ତ୍ତି ପ୍ରତିଷ୍ଠା କରିବାକୁ ନେଇ ମନୋମାଳିନ୍ୟ ଓ ମତାନ୍ତର ସୃଷ୍ଟି ହେବାରୁ ଚଳନ୍ତି ବିଗ୍ରହ ଏକପ୍ରକାର ନିର୍ବାସନ ଦଣ୍ଡ ଭୋଗିଥିଲେ। ଦେବୋତ୍ତର ବିଭାଗ ଅଧୀନରେ ଥିବା ଏହି ମନ୍ଦିରର ସାମଗ୍ରିକ ବିକାଶ କାର୍ଯ୍ୟ ନବଗଠିତ ଟ୍ରଷ୍ଟ ପ୍ରସ୍ତାବକ୍ରମେ ସରକାରୀ ଅର୍ଥ ମଂଜୁର ହେବ ବୋଲି ବିଭିଗୀୟ ଡିଆଇ ନିରୋଦ ଛୋଟରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe