Resolver News
ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଆଇନକୁ ଫୁ’ କରିଦେଇଛନ୍ତି ରାଜଧାନୀର ମିଠା ଦୋକାନୀମାନେ। ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ସେମାନଙ୍କୁ ବାସି ମିଠା ବିକିବାକୁ ମଉକା ଦେଇ ଆସୁଛି। କେହି ତଦାରଖ କରିବାକୁ ନଥିବାରୁ ମିଠା ଦୋକାନୀମାନେ ବଡ଼ ସହଜରେ ବାସି ମିଠା ବିକି ପାରୁଛନ୍ତି। ରାଜଧାନୀର ପ୍ରାୟ ସବୁ ବଡ଼ବଡ଼ ମିଠା ଦୋକାନରେ ମିଳୁଥିବା ମିଠାରେ ଏକ୍ସପାରି ତାରିଖ ନଥିବା ଦେଖିବାକୁ ମିଳୁଛି। ଖୋଲା ବଜାରରେ ଖାଦ୍ୟ ସୁରକ୍ଷା ଆଇନକୁ ବେଖାତିର କରାଯାଉଛି, ଅଥଚ କେହି ପ୍ରତିବାଦ କରୁନାହାନ୍ତି। ସଚେତନତା ଅଭାବରୁ ଗ୍ରାହକମାନେ ପ୍ରତିବାଦ କରୁ ନଥିବା ବେଳେ ବିଭାଗୀୟ ଅଧିକାରୀମାନେ ବି ଏଥିପ୍ରତି ନଜର ଦେଉନାହାନ୍ତି।
ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍ଏସ୍ଏସ୍ଏଆଇ) ନିୟମ ଅନୁସାରେ, ମିଠା ସାମଗ୍ରୀର ଏକ୍ସପାରି ତାରିଖ ରହିଛି। କିଛି ମିଠା ୨ ଦିନ ପର୍ଯ୍ୟନ୍ତ ବିକ୍ରି ହେବାକୁ ଥିବା ବେଳେ କିଛି ମିଠା ୪ଦିନ ଓ କିଛି ମିଠା ୭ ଦିନ ପର୍ଯ୍ୟନ୍ତ ବିକ୍ରି ହୋଇପାରିବ। କିଛି ମିଠା ତିଆରି ଦିନ ହିଁ ଖାଇବା ଉପଯୋଗୀ ହୋଇଥିବା ବେଳେ ଆଉ କିଛି ଅତିବେଶିରେ ୩୦ ଦିନ ରହିପାରିବ। ବଟର୍ ସ୍କଚ୍, ରୋଜ୍, ଚକୋଲେଟ୍ ଓ କାଲାକନ୍ଦ ଭଳି ମିଠା ପ୍ରସ୍ତୁତି ହୋଇଥିବା ଦିନ ହିଁ ଖାଇବାଯୋଗ୍ୟ। ଗୋଟିଏ ଦିନ ଅଧିକ ରହିଲେ, ସେସବୁ ବାସି ହୋଇଯାଏ।
ସେହିପରି କ୍ଷୀରରୁ ତିଆରି ବିଭିନ୍ନ ମିଠା ଯଥା ବାଦାମ ମିଲକ୍, ରସଗୋଲା, ରସମଲେଇ, ରାବିଡ଼ି ରସମଲାଇ, ଶାହି ଟୋଷ୍ଟ, ରାଜଭୋଗ, ଚାମ, ସନ୍ଦେସ, ମଲାଇ ରେଲ୍, ବଙ୍ଗାଳି ରାବିଡ଼ି, ହିରାମଣି, ସନ୍ଦେଶ, ରସକଦମ, ଖିରମୋହନ, ରସଖଟା ଇତ୍ୟାଦି ମିଠାର ଅବଧି ଦୁଇଦିନ। ୨ ଦିନ ପରେ ଏହା ବାସି ଭାବେ ପରିଗଣିତ ହୁଏ ଓ ଏହାକୁ ବିକ୍ରି କରିବା ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ବେଆଇନ। ବିଭିନ୍ନ ପ୍ରକାର ଲଡ଼ୁ ଜାତୀୟ ମିଠା ଯଥା ମିଲ୍କ କେକ୍, ମଥୁରା ପେଡ଼ା, ପେଡ଼ା, ପ୍ଲେନ୍ ବର୍ଫି, ମିଲକ୍ ବର୍ଫି, ପିଷ୍ଟା ବର୍ଫି, ନଡ଼ିଆ ଲଡୁ, ଲାଲ୍ ଲଡୁ, ଖୁଆ ବାଦାମ, ଫ୍ରୁଟ୍ କେକ୍, କେଶର ନଡ଼ିଆ ଲଡୁ ଆଦି ୪ ଦିନିଆ ମିଠା। ୪ ଦିନ ପରେ ଏସବୁ ବିକିବା ବେଆଇନ। ଘିଅ ଓ ଡ୍ରାଏଫ୍ରୁଟ୍ରୁ ତିଆରି ମିଠାର ଯଥା ଡ୍ରାଏଫ୍ରୁଟ୍ ଲଡୁ, କାଜୁ କାଠି, ସକ୍କର ପାରା, ଶାହି ଲଡ଼ୁ, ମୁଗ ବର୍ଫି, କାଜୁ ଜୁଆଣି ରୋଲ୍, ଚନ୍ଦ୍ରକଳା, କେଶର ଗୁଜିଆ, ମଇଦା ଗୁଜିଆ, କାଜୁ ସିଙ୍ଗଡ଼ା, କାଜୁ କେଶର, କାଜୁ ରୋଲ୍, କାଜୁ ଲଡୁ, ବେସନ ବର୍ଫି ଭଳି ମିଠାକୁ ୭ଦିନ ଭିତରେ ଖାଇବା ସ୍ବାସ୍ଥ୍ୟ ପକ୍ଷେ ନିରାପଦ। ଏହା ପରେ ତାହା ସୁସ୍ଥ ଖାଦ୍ୟ ହୋଇ ରହେ ନାହିଁ। ତେବେ ଅଟା ଲଡୁ, ବେସନ ଲଡୁ, ଚଣା ଲଡୁ, କରାଚି ହାଲୁଆ ଭଳି ମିଠାକୁ ୩୦ ଦିନ ପର୍ଯ୍ୟନ୍ତ ଖାଇ ହୁଏ।
ଏଫ୍ଏସ୍ଏସ୍ଏଆଇ ନିୟମ ଅନୁଯାୟୀ, ଅନ୍ୟ ପ୍ୟାକେଟ୍ ଖାଦ୍ୟ ଭଳି ମିଠାର ପ୍ରସ୍ତୁତି ତାରିଖ ଓ ଏକ୍ସପାରି ତାରିଖ ଲେଖିବା ନିୟମ ରହିଛି। ମାତ୍ର ଏହାକୁ ମିଠା ଦୋକାନୀ ଓ ବେକରି ବା କେକ୍ ଦୋକନୀମାନେ ମାନୁନାହାନ୍ତି। କୌଣସି ମିଠାରେ ‘ବେଷ୍ଟ ବିଫୋର୍ ଡେଟ୍’ ଲେଖା ରହୁନାହିଁ। ୨୦୨୦ ଫେବ୍ରୁଆରି ୨୪ରେ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ପକ୍ଷରୁ ଦେକାନୀମାନଙ୍କୁ କଡ଼ା ତାଗିଦ୍ କରାଯାଇଥିଲା। ମିଠାରେ ଏକ୍ସପାରି ତାରିଖ ଓ ପ୍ରସ୍ତୁତି ତାରିଖ ବା ‘ବେଷ୍ଟ ବିଫୋର୍ ଡେଟ୍’ ଲେଖିବା ପାଇଁ ନିୟମ କରଯାଇଥିଲା। ୨୦୨୦ ଜୁନ୍ ୧ରୁ ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଯୋଜନା କରାଯାଇଥିଲା। ସେସମୟରେ ବହୁ ସ୍ଥାନରେ ଚଢ଼ଉ କରାଗଲା ଓ ଜରିମାନା ମଧ୍ୟ ଆଦାୟ କରାଗଲା। ତେଣୁ ଭୟରେ ଦୋକାନୀମାନେ ମିଠା ଉପରେ ‘ବେଷ୍ଟ ବିଫୋର୍ ଡେଟ୍’ ତାରିଖ ଉଲ୍ଲେଖ କଲେ। ମାତ୍ର କିଛି ଦିନ ପରେ ଏହି ନିୟମ ଚୁଲିକି ଚାଲିଗଲା। ଛୋଟ, ବଡ଼ କୌଣସି ମିଠା ଦୋକାନୀ ଏକ୍ସପାରି ତାରିଖ ଲେଖୁ ନାହାନ୍ତି।
ଏ ବାବଦରେ ଏଫ୍ଏସ୍ଏସ୍ଏଆଇ ଅଧିକାରୀ ସତ୍ୟଜିତ୍ ପଟେଲଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବିଭିନ୍ନ ସମୟରେ ମିଠା ଦୋକାନରେ ଚଢ଼ଉ କରାଯାଉଛି। ବାସି ମିଠା ବିକ୍ରି ହେଉଥିବା ଅଭିଯୋଗ ପାଇବା ମାତ୍ରେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
Follow Us