ଭୁବନେଶ୍ୱର: ରାଜଧାନୀରେ ଦୁଗ୍ଧଜାତ ଦ୍ରବ୍ୟ ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି।ଏହାର ସୁଯୋଗ ନେଇ ବେପାରୀମାନେ ଅପମିଶ୍ରଣର ଆଶ୍ରୟ ନେଲେଣି। ନିମ୍ନମାନର କ୍ଷୀର ପାଉଡର୍ ସାଙ୍ଗକୁ ଭେଜିଟେବଲ୍ ଫ୍ୟାଟ୍ ମିଶ୍ରଣ କରି ଛେନା, ପନିର୍ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି। ବିଶେଷ କରି ରାଜଧାନୀ ବଜାରକୁ ସିନ୍ଥେଟିକ୍ ପନିର କବ୍ଜା କରି ସାରିଥିବା ଅଭିଯୋଗ ହେଉଛି। ଲୋକଙ୍କୁ ଆବଶ୍ୟକ ପରିମାଣର କ୍ଷୀର ମିଳୁ ନଥିବା ବେଳେ ପ୍ରଚୁର ପରିମାଣର ପନିର ଏପରି ସନ୍ଦେହ ପାଇଁ ବାଧ୍ୟ କରୁଛି। ଏହି ଅପମିଶ୍ରିତ କ୍ଷୀର, ଛେନା, ପନିର ଆଦି ଓଡ଼ିଶାକୁ ଆସିବା ପଛରେ ଏକ ଅନ୍ତଃରାଜ୍ୟ ରୢାକେଟ୍ କାମ କରୁଥିବା ଅଭିଯୋଗ ହୋଇଛି। ଯେଉଁମାନେ କି ପଶ୍ଚିମବଙ୍ଗ, ୟୁପି, ମଧ୍ୟପ୍ରଦେଶ, ଛତିଶଗଡ଼ରୁ ଏହି କ୍ଷୀର ପାଉଡର୍ ଆଣି ଓଡ଼ିଶାରେ ପନିର ଓ ଛେନା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏହି ଛେନା, ପନିର ଶସ୍ତା ଓ ଲାଭଜନକ ହୋଇଥିବାରୁ ଓଡ଼ିଶାର କେତେକ ବେପାରୀ ଏହାକୁ ସେମାନଙ୍କ ବୃତ୍ତି କରିସାରିଲେଣି। ରାଜଧାନୀ ଉପକଣ୍ଠରେ ଥିବା ପୁରୀ ଜିଲ୍ଲା ପିପିଲି ଅଞ୍ଚଳ ଏଭଳି ପାଉଡର୍ର ପେଣ୍ଠସ୍ଥଳ ପାଲଟିଛି। ଏବେ ଓଡ଼ିଶାରେ ବି ଏହି ପାଉଡର ପ୍ରସ୍ତୁତ ହେଲାଣି।
Women Empowerment: ମହିଳା ସଶକ୍ତ ଓ ଆତ୍ମନିର୍ଭର ହେଲେ ଦେଶ ୧ନମ୍ବରେ ପରିଣତ ହେବ
ଶସ୍ତା କ୍ଷୀରପାଉଡର୍ରେ ହେଉଛି ଛେନା, ପନିର
ଏବେ କୃତିମ ମିଲ୍କ ପାଉଡର ବଜାରରେ ହାଉଯାଉ ହେଲାଣି। ସ୍କିମ୍ଡ ମିଲ୍କ ପାଉଡର(ଏସ୍ଏମ୍ପି) କୁହାଯାଉଥିବା ଏହି ସାମଗ୍ରୀରେ ମିଲ୍କ ଫ୍ୟାଟ୍ ବଦଳରେ ଭେଜିଟେବଲ୍ ଫ୍ୟାଟ୍ ମିଶାଯାଉଛି। ନକଲି ଛେନା, ପନିର ପ୍ରସ୍ତୁତ ପାଇଁ ନାଇଟ୍ରିକ୍ ଏସିଡ୍ ବ୍ୟବହାର ହେଉଛି। ଏହାକୁ ଖାଇଲେ ଶରୀରରେ ହରମୋନ୍ଜନିତ ଅସନ୍ତୁଳନ ଭଳି ରୋଗ ଦେଖାଦିଏ। ନିମ୍ନମାନର ମିଲ୍କ ପାଉଡର ବଜାରରେ ୨୫ କିଲୋଗ୍ରାମ, ୫ କିଲୋଗ୍ରାମର ପ୍ୟାକେଟ୍ ଉପଲବ୍ଧ ହେଉଛି। ଯେଉଁଥିରୁ ମିଠା, ଛେନା ଓ ପନିର ପ୍ରସ୍ତୁତ ହୋଇଥାଏ। ଯେହେତୁ ଶସ୍ତା, ପୂଜା ଓ ବିବାହ ଆଦି ଭୋଜିରେ ଏହାର ପ୍ରବଳ ବ୍ୟବହାର ହୋଇଥାଏ।
ଡ.ଆଲୋକ ଅଗ୍ନିବେଶ, ମାର୍କେଟିଂ ମୁଖ୍ୟ, ଓମ୍ଫେଡ୍
ଚାଷୀ ନୁହନ୍ତି, ବେପାରୀ ଠକୁଛନ୍ତି
ଚାଷୀ କ୍ଷୀରରେ ଅପମିଶ୍ରଣ କରୁନାହିଁ। ବରଂ ଚାଷୀଙ୍କୁ ବଦନାମ କରିବା ପାଇଁ ରୀତିମତ ଏକ ଷଡ୍ଯନ୍ତ୍ର ଚାଲିଛି। କେତେକ ବେପାରୀ କୋଲକାତାରୁ ସିନ୍ଥେଟିକ୍ ପନିର ଆଣି ରାଉରକେଲା, କଟକ ଓ ଭୁବନେଶ୍ବରକୁ ଯୋଗାଉଛନ୍ତି। ବିଶେଷ କରି ପର୍ବପର୍ବାଣୀ ଓ ବାହାଘର, ବ୍ରତଘର ଆଦି ସାମାଜିକ କାର୍ଯ୍ୟକ୍ରମରେ ଏ ପ୍ରକାର ପନିର ବେଶି ବ୍ୟବହାର ହେଉଛି। କେବଳ ସେତିକି ନୁହେଁ, କେତେକ ବେପାରୀ ରାଜ୍ୟ ବାହାରୁ ନିମ୍ନମାନର ମିଲ୍କ ପାଉଡର ଆଣି ଏଥିରେ ଛେନା, ପନିର କରି ବିକ୍ରି କରୁଛନ୍ତି। ଏହାଦ୍ବାରା ସ୍ଥାନୀୟ ଚାଷୀ ହଇରାଣ ହେଉଛନ୍ତି। ଲୋକଙ୍କ ଜୀବନ ସହ ଏପରି ଖେଳ ଖେଳୁଥିବା ବେପାରୀମାନଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।
ରବି ବେହେରା, ଅଧ୍ୟକ୍ଷ, ରାଜ୍ୟ ଦୁଗ୍ଧଚାଷୀ ମହାସଂଘ
Tradition: କୃଷିଭିତ୍ତିକ ପର୍ବ ‘ଦିଆଲି’ ପାଇଁ ଝରିଗାଁରେ ଚାଷୀଙ୍କ ମନରେ ଉତ୍ସାହ
‘ଚାଷୀ କେବେ ଠକେନି’
ଅପମିଶ୍ରିତ କ୍ଷୀର, ଛେନା, ପନିର୍ ଆଦି ଦୁଗ୍ଧଜାତ ଦ୍ରବ୍ୟର ଯାଞ୍ଚ ଓ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପ୍ରଶାସନର ଦାୟିତ୍ବ। ଆମ ପାଖକୁ ଯେଉଁଠୁ ବି ଅଭିଯୋଗ ଆସୁଛି, ଆମେ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ଅବଗତ କରୁଛୁ । କ୍ଷୀରରେ ମିଶୁଥିବା ଏହି ପାଉଡର ବାହାର ରାଜ୍ୟରୁ ଆସୁଛି। ତେବେ ସମିତି ସଂଗ୍ରହ କରୁଥିବା କ୍ଷୀରର ମାନ ତ୍ରିସ୍ତରୀୟ ବ୍ୟବସ୍ଥାରେ ପରୀକ୍ଷା କରାଯାଉଛି। କିନ୍ତୁ ପାଉଡର କଥା ସଂପୂର୍ଣ୍ଣ ଭିନ୍ନ। ଚାଷୀ କେବେ କାହାକୁ ଠକେନି କି ସମିତି କାହାକୁ ଠକେନି। ବେପାରୀମାନେ ଏଭଳି ଠକାମି କରୁଛନ୍ତି। ଯେଉଁମାନେ ଚାଷୀଙ୍କଠାରୁ କ୍ଷୀର ଆଣି ପାଉଡର ମିଶାଉଛନ୍ତି ଓ ଏହାକୁ ନିଜେ ଛେନା, ପନିର୍କରି ବିକ୍ରି କରୁଛନ୍ତି, ସେମାନଙ୍କ କଥା ଭିନ୍ନ କଥା।
ଡ. ଦିଗମ୍ବର ନାୟକ ସାଧାରଣ ପରିଚାଳକ, କଟକ ଦୁଗ୍ଧ ସମବାୟ ସମିତି
‘ନିୟମିତ ଚଢ଼ଉ ହେଉଛି’
ଅପମିଶ୍ରିତ କ୍ଷୀର, ଛେନା, ପନିର ଆଦି ଦୁଗ୍ଧଜାତ ଦ୍ରବ୍ୟ ଉପରେ ଯେଉଁଠୁ ବି ଅଭିଯୋଗ ଆସୁଛି, ଆମେ ଚଢ଼ଉ କରୁଛୁ। ନିୟମିତ ବି ଏହି ଚଢ଼ଉ ଜାରି ରହିଛି। କିନ୍ତୁ ସଂଗୃହିତ ନମୁନାକୁ ଲାବୋରେଟୋରିରେ ପରୀକ୍ଷା କରିଛୁ, ସେଥିରୁ କୌଣସିଥିରେ ଏଭଳି ଅପମିଶ୍ରଣ ଚିହ୍ନଟ ହୋଇନି। ତଥାପି ନିର୍ଦ୍ଦିଷ୍ଟ କୌଣସି ଅଭିଯୋଗ ଥିଲେ ଆମେ ଚଢ଼ଉ କରିବୁ। ପିପିଲି, କୋଣାର୍କ, ଗୋପ ଆଦି ଅଞ୍ଚଳରୁ ଅପମିଶ୍ରଣ ନେଇ ଯେଉଁ ଅଭିଯୋଗ ଆସୁଛି, ସେ ସଂପର୍କରେ ସ୍ଥାନୀୟ ଅଞ୍ଚଳର ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ଅବଗତ କରାଯିବ।
ସତ୍ୟଜିତ ପଟେଲ୍ ଖାଦ୍ୟ ନିରାପତ୍ତା ଅଧିକାରୀ, ଭୁବନେଶ୍ବର ମହାନଗର ନିଗମ
ସିନ୍ଥେଟିକ୍ ପନିର କ୍ଷତିକାରକ
ନକଲି ଛେନା, ପନିର ଆଦି ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ପାଉଡର୍ ସହ ମାଇକ୍ରୋ ପ୍ଲାଷ୍ଟିକ୍ କ୍ଷୀରରେ ମିଶ୍ରଣ କରାଯାଉଛି। ଏହା ଶରୀରରେ ଜମା ହୋଇ ନାନାଦି ରୋଗ ସୃଷ୍ଟି କରେ। କ୍ୟାନସର ଓ କିଡ୍ନି ଜନିତ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି। କୋଲେଷ୍ଟ୍ରଲ୍ ବୃଦ୍ଧି ସହ ହୃଦ୍ଘାତର ଆଶଙ୍କା ବଢ଼ିଯାଏ। ଆଇସିଏମ୍ଆର୍ ତଥ୍ୟ କହୁଛି, ଦେଶରେ ଉତ୍ପାଦିତ କ୍ଷୀର ମୁଣ୍ଡପିଛା ମାତ୍ର ୧୨୦ରୁ ୧୩୦ ଗ୍ରାମ। କିନ୍ତୁ ଲୋକେ ଖାଉଛନ୍ତି ୩୦୦ରୁ ୩୨୦ ଗ୍ରାମ। ୧ ଲିଟର କ୍ଷୀରରେ ସାଧାରଣତଃ ୮୦ ପ୍ରତିଶତ ପାଣି। ଏହାସତ୍ତ୍ବେ ଏତେ ପରିମାଣର ଦୁଗ୍ଧଜାତ ଦ୍ରବ୍ୟ ବିଶେଷ କରି ପନିର, ଛେନା ବଜାରରେ ବିକ୍ରି ପାଇଁ କୁଆଡ଼ୁ ଆସୁଛି? ପନିର ଖାଇବା ପରେ ୩ରୁ ୬ ଘଣ୍ଟା ଭିତରେ ନିଃଶ୍ବାସପ୍ରଶ୍ବାସ କଷ୍ଟ, ଝାଡ଼ାବାନ୍ତି, ପେଟ କାଟିବା, ପରିଶ୍ରା ନହେବା ଲକ୍ଷଣ ଦେଖାଗଲେ, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଡାକ୍ତର ସୌମ୍ୟରଂଜନ ଷଡ଼ଙ୍ଗୀ, ସ୍ବାସ୍ଥ୍ୟ ବିଶେଷଜ୍ଞ
Follow Us