ABC News
ଚନ୍ଦ୍ରଶେଖରପୁର: କରୋନା ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ବାହାନାରେ ଆଜି ଜଣେ ଠକ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ୧ ହଜାର ଟଙ୍କା ନେଇ ଛୁ’ ମାରିଛି। ଠକାମୀର ଶିକାର ହୋଇଥିବା ଯୁବକ ହେଲେ ଜଗତସିଂହପୁରର ଜ୍ଞାନପ୍ରସାଦ ମହାନ୍ତି। ଠକକୁ ନପାଇ ଜ୍ଞାନପ୍ରସାଦ ପୁଲିସରେ ଅଭିଯୋଗ କରିବା ପରେ ବି ତା'ର ସନ୍ଧାନ ନମିଳିବାରୁ କାନମୁଣ୍ଡା ଆଉଁସି ଘରକୁ ଫେରିଛନ୍ତି। ଜ୍ଞାନପ୍ରସାଦଙ୍କର ଦାଦା ଡମଣାସ୍ଥିତ ଏକ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। କରୋନା ମୃତ୍ୟୁ ପ୍ରମାଣପତ୍ର ପାଇଁ ଜ୍ଞାନପ୍ରସାଦ ଉକ୍ତ ହସ୍ପିଟାଲକୁ ଆସିଥିବା ବେଳେ ଠକ ହାବୁଡ଼ରେ ପଡ଼ିଥିଲେ। ନିଜକୁ ବିଏମ୍ସି କର୍ମଚାରୀ ବୋଲି ପରିଚୟ ଦେଇ ସେ ଡାକ୍ତରଙ୍କଠାରୁ ମୃତ ପ୍ରମାଣପତ୍ର ନେଇଆସିବ ବୋଲି କହିବା ସହ ଏକ ହଜାର ଟଙ୍କା ଦାବି କରିଥିଲ। ଜ୍ଞାନପ୍ରସାଦ ତାକୁ ହଜାରେ ଟଙ୍କା ଗଣି ଦେଇଥିଲେ। ଟଙ୍କା ନେଇ ଠକ ହସ୍ପିଟାଲ ଭିତରକୁ ଯାଇ ଆଉ ଫେରିନଥିଲା। କିଛି ସମୟ ଅପେକ୍ଷା କରିବା ପରେ ଜ୍ଞାନ ଠକାମୀର ଶିକାର ହୋଇଥିବା ଜାଣିଥିଲେ ଓ କମିସନରେଟ୍ ପୁଲିସର ସହଯୋଗ ଲୋଡ଼ିଥିଲେ।
ସୂଚନାଯୋଗ୍ୟ ଯେ କରୋନା ମୃତ୍ୟୁ ପ୍ରମାଣପତ୍ର ଥିଲେ, ଆଗକୁ ବିଭିନ୍ନ ସରକାରୀ ଯୋଜନାରୁ ଲାଭ ମିଳିବ ବୋଲି ଲୋକେ ଆଶା କରିଛନ୍ତି। ଏହି ମଉକାରେ ଠକମାନେ ସରଳ ଲୋକଙ୍କୁ ଠକୁଥିବା ଜଣାପଡ଼ିଛି। ମୃତ୍ୟୁ ପ୍ରମାଣପତ୍ର କୌଣସି ଡାକ୍ତରଖାନାରୁ ମିଳିବା ନିୟମ ନାହିଁ ବୋଲି ବହୁ ଲୋକ ଜାଣିନଥିବାରୁ ଠକମାନେ ଏହାର ଫାଇଦା ଉଠାଉଛନ୍ତି। ସେହିଭଳି ୟୁନିଟ୍-୩ ସ୍ଥିତ ବିଏମ୍ସି ଜନ୍ମ ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ମଧ୍ୟ କିଛି ଦଲାଲ ଲୋକଙ୍କୁ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ଦେବାକୁ କହି ଠକୁଥିବା ଜଣାପଡ଼ିଛି। ଗତ ଗୁରୁବାର ଦିନ ଜଣେ ଦଲାଲକୁ ଖୋର୍ଦ୍ଧାରୁ ଆସିଥିବା କିଛି ଲୋକ କାବୁ କରିଥିଲେ। ମାତ୍ର ଧୂର୍ତ୍ତ ଦଲାଲ ଗୋଡ଼ାହାତ ଧରି ସେଠାରୁ ଖସି ପଳାଇଥିଲା। ତେଣୁ କରୋନା ମୃତ୍ୟୁ ପ୍ରମାଣପତ୍ର ବାବଦରେ ସାଧାରଣ ଲୋକଙ୍କ ଅବଗତି ପାଇଁ ସରକାର ସ୍ପଷ୍ଟ ସୂଚନା ଜାରି କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।
Follow Us