ଜନ୍ମଦିନରେ ୪ ଗରିବ ପିଲାଙ୍କ ପଢ଼ା ଦାୟିତ୍ବ ନେଲେ ତପନ ଚାନ୍ଦ

Advertisment
ଜନ୍ମଦିନରେ ୪ ଗରିବ ପିଲାଙ୍କ ପଢ଼ା ଦାୟିତ୍ବ ନେଲେ ତପନ ଚାନ୍ଦ

ଭୁବନେଶ୍ବର: କିଏ ମୂଲ ଲାଗୁଥିଲା ତ କିଏ ଦୟନୀୟ ଆର୍ଥିକ ଅବସ୍ଥା ଯୋଗୁଁ ପଢ଼ିବା ଆଶା ଛାଡ଼ି ଦେଇଥିଲା। କୋମଳମତି ପିଲାଙ୍କ ଜୀବନ ଅନ୍ଧାର ଆଡ଼କୁ ଠେଲି ହୋଇଯାଉଥିବା ବେଳେ ସେମାନଙ୍କ ପାଇଁ ଆଶାର ଆଲୋକ ସାଜି ଛିଡ଼ା ହୋଇଛନ୍ତି ନାଲ୍‌କୋର ପୂର୍ବତନ ସିଏମ୍‌ଡି ତଥା ‘ସୁଯୋଗ’ ଅନୁଷ୍ଠାନର ଅଧ୍ୟକ୍ଷ ଡ.ତପନ କୁମାର ଚାନ୍ଦ। ନିଜ ଜନ୍ମଦିନରେ ଡ.ଚାନ୍ଦ କେକ୍‌ କାଟି, କ୍ୟାଣ୍ଡେଲ୍‌ ଜାଳି ପାର୍ଟି କରି ଅର୍ଥ ବ୍ୟୟ କରିବା ଅପେକ୍ଷା ୪ ଜିଲ୍ଲାର ୪ ଜଣ ଗରିବ ମେଧାବୀ ଛାତ୍ରଙ୍କ ପଢ଼ା ଦାୟିତ୍ବ ବହନ କରି ଉପହାର ଭେଟି ଦେଇଛନ୍ତି। ଶିବାନନ୍ଦ ଶତ ବାର୍ଷିକ ଉଚ୍ଚ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ବିଦ୍ୟାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବ‌େଳେ ସେ ମାଲକାନଗିରିର ମୁନା ‌ସଉଲାମି, ଗଞ୍ଜାମର ନୀଲେଶ ନାୟକ, କନ୍ଧମାଳର ଆଶିଷ ପଲେଇ ଓ ସୁନ୍ଦରଗଡ଼ର ଲକି ବେହେରାଙ୍କ ହଷ୍ଟେଲ୍‌ ସହ କଲେଜ୍‌ରେ ପଢ଼ିବା ଖର୍ଚ୍ଚ ଉଠାଇବେ।

ମଙ୍ଗଳବାର ବିଦ୍ୟାଳୟର ସମ୍ପାଦକ ସ୍ବା‌ମୀ ଶିବ ଚିଦାନନ୍ଦ ସରସ୍ବତୀ, ଯୁଗ୍ମ ସମ୍ପାଦକ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀଙ୍କ ତତ୍ତ୍ବାବଧାନରେ ଏକା‌ଦଶ ଶ୍ରେଣୀରେ ବିଦ୍ୟାଦାନ କାର୍ଯ୍ୟକ୍ରମ ଆରମ୍ଭ ପରିପ୍ରେକ୍ଷୀରେ ଶ୍ରୀ ଚାନ୍ଦ ଏହି ଘୋଷଣା କରିବା ସହ କହିଲେ, ଜନ୍ମଦିନରେ କେକ୍‌ କାଟି ଖୁସି ମନେଇବା ଅପେକ୍ଷା ଯଦି କିଛି ପିଲାଙ୍କ କ୍ୟାରିୟର ଗଢ଼ିବା ପାଇଁ ଅଂଶୀଦାର ହୋଇପାରିଲି ତାହା ମୋ ପାଇଁ ସବୁଠୁ ବଡ଼ ଆଶୀର୍ବାଦ। ଏହା ବ୍ୟତୀତ ଆହୁରି ବହୁ ବଦାନ୍ୟ ବ୍ୟକ୍ତିମାନେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସହଯୋଗର ହାତ ବଢାଇଛନ୍ତି। ଏହି ଅବସରରେ ଡ. ଚାନ୍ଦଙ୍କ ଧର୍ମପତ୍ନୀ ପ୍ରୀତି ଚାନ୍ଦ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସୁଯୋଗ’ର ସମ୍ପାଦକ ତ୍ରିନାଥ ଲେଙ୍କା, ବିଦ୍ୟାଳୟର ଉପ ସଭାପତି ଚୌଧୁରୀ ଗୌରହରି ମିଶ୍ର, ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe