ଚନ୍ଦକାକୁ ଆସୁଛନ୍ତି ତପ୍ତପାଣି ସମ୍ବର: ସ୍ବତନ୍ତ୍ର ଭ୍ୟାନ୍‌ରେ ଆଜି ଆସିବେ ୪

Advertisment

ଅଗଷ୍ଟ ସୁଦ୍ଧା ୩୨ଟି ସ୍ଥାନାନ୍ତର ହେବେ

ଅଗଷ୍ଟ ସୁଦ୍ଧା ୩୨ଟି ସ୍ଥାନାନ୍ତର ହେବେ

ଚନ୍ଦକାକୁ ଆସୁଛନ୍ତି ତପ୍ତପାଣି ସମ୍ବର: ସ୍ବତନ୍ତ୍ର ଭ୍ୟାନ୍‌ରେ ଆଜି ଆସିବେ ୪

ଭୁବନେଶ୍ବର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପୁଣି ଦେଖିବାକୁ ମିଳିବେ ସମ୍ବର। ଦୀର୍ଘ ବର୍ଷ ବ୍ୟବଧାନ ପରେ ଅଭୟାରଣ୍ୟରେ ସମ୍ବର ବଂଶ ପୁନରୁଦ୍ଧାର ଦିଗରେ ବନ ବିଭାଗ ପଦକ୍ଷେପ ନେଇଛି। ପର୍ଯ୍ୟାୟକ୍ରମେ ଏହି ଅଭୟାରଣ୍ୟରେ ୩୨ଟି ସମ୍ବର ଛାଡ଼ିବାକୁ ଯୋଜନା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪ଟି ସମ୍ବର ଅଣାଯାଉଛି। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ)ଙ୍କଠାରୁ ଅନୁମତି ମିଳିବା ପରେ ବନ ବିଭାଗର ଅଧିକାରୀମାନେ ସମ୍ବର ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛନ୍ତି। ବୁଧବାର ବନ ବିଭାଗର ଏକ ଟିମ୍‌ ତପ୍ତପାଣି ଚିଡ଼ିଆଖାନାରୁ ସ୍ବତନ୍ତ୍ର ଭ୍ୟାନ୍‌ ଜରିଆରେ ୪ଟି ସମ୍ବରକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲକୁ ଆଣିବେ। ସେମାନଙ୍କୁ ସଙ୍ଗେସଙ୍ଗେ ଜଙ୍ଗଲରେ ଛଡ଼ାନଯାଇ ଜଙ୍ଗଲୀ ପରିବେଶ ସହ ଖାପ ଖୁଆଇବାକୁ ଏକ ସ୍ବତନ୍ତ୍ର ଏନ୍‌କ୍ଲୋଜରରେ ରଖାଯିବ ବୋଲି ବନ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଆସିବାକୁ ଥିବା ସମ୍ବରଗୁଡ଼ିକୁ ରଖିବାକୁ ଭରତପୁର ଜଙ୍ଗଲରେ ପ୍ରାୟ ୪ ଏକର ପରିମିତ ଏକ ଜଙ୍ଗଲୀ ଏନ୍‌କ୍ଲୋଜର ସୃଷ୍ଟି କରାଯାଇଛି। ସେମାନେ ଚିଡ଼ିଆଖାନାରେ ରହିଥିବାରୁ ହଠାତ୍‌ ଜଙ୍ଗଲୀ ପରିବେଶକୁ ଆପଣାଇ ପାରିବେ ନାହିଁ। ତେଣୁ ପ୍ରଥମେ ସେମାନଙ୍କୁ ଚିଡ଼ିଆଖାନାରେ ଦିଆଯାଉଥିବା ଖାଦ୍ୟ ଖାଇବାକୁ ଦିଆଯିବ। ଧୀରେ ଧୀରେ ଜଙ୍ଗଲରେ ଉପଲବ୍ଧ ହେଉଥିବା ଖାଦ୍ୟ ଦିଆଯିବ ଏବଂ ଚିଡ଼ିଆଖାନାରେ ଦିଆଯାଉଥିବା ଖାଦ୍ୟଗୁଡ଼ିକୁ ସେମାନଙ୍କଠାରୁ ଛଡ଼ାଇ ଦିଆଯିବ। ପରିଣାମ ସ୍ବରୂପ ୬ ମାସ ପରେ ସେମାନେ ଘଞ୍ଚ ଜଙ୍ଗଲକୁ ଯିବା ବେଳକୁ ସେଠାକାର ଖାଦ୍ୟ ଖାଇ ବଞ୍ଚିପାରିବେ। ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିବାକୁ ଏକ ଡାକ୍ତରୀ ଦଳ ରହିବ। ପ୍ରତି ସପ୍ତାହରେ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯିବ।

ଏଠାକାର ପରିବେଶ ସମ୍ବର ରହିବାକୁ ସମ୍ପୂର୍ଣ୍ଣ ଉପଯୁକ୍ତ ହୋଇଥିବାରୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ ବୋଲି ବନ ବିଭାଗ ଆଶା ରଖିଛି। ସୂଚନା ଅନୁଯାୟୀ ଚନ୍ଦକା ଜଙ୍ଗଲରେ ବର୍ତ୍ତମାନ ଆଦୌ ସମ୍ବର ନାହାନ୍ତି। ମାତ୍ର ଏହି ଜଙ୍ଗଲରେ ସମ୍ବର ରହିବା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି। ବଂଶ ବୃଦ୍ଧି ମଧ୍ୟ ‌ହୋଇପାରିବ। ୧୭୫.୭୯ ବର୍ଗ କିମି ବ୍ୟାପୀ ଏହି ଅଭୟାରଣ୍ୟରେ ହାତୀ, ବାର୍‌ହା, ମୟୂର, ହରିଣ, ବିଲୁଆ, କୋକିଶିଆଳି ପରି ବନ୍ୟଜନ୍ତୁ ରହୁଛନ୍ତି। କିଛି ମାସ ତଳେ କଟକ ହରିଣ ପାର୍କରୁ ୨୭୫ରୁ ଅଧିକ ହରିଣଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ଏବେ ଜଙ୍ଗଲ ଭିତରେ ବିନା ବାଧାରେ ବିଚରଣ କରୁଛନ୍ତି। ହରିଣଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସମ୍ବର ଛଡ଼ାଯିବାକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ଉତ୍ସାହିତ ହୋଇଛନ୍ତି। ଆସନ୍ତା ମାସରେ ଗୟଳ ଆଣିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe