ଭୁବନେଶ୍ବର: ବିଳମ୍ବ ହେଲେ ବି କଳାକାରଙ୍କ କଥା ବୁଝିଛନ୍ତି ରାଜ୍ୟ ସରକାର। ଦୀର୍ଘ ୪ ବର୍ଷ ପରେ ୩ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉଦ୍ୟମରେ ପୁଣି ଥରେ ଓଲିଉଡ୍ ଜଗତରେ ଉତ୍ସାହ ଭରି ଯାଇଛି। ଆଜି ମେ’ଫେୟାର୍ କନଭେନସନ୍ରେ କଳାକାର, ପ୍ରଯୋଜକ, ନିର୍ଦ୍ଦେଶକ ଓ ଟେକ୍ନିସିଆନ୍ ଏକାଠି ହୋଇ ଏହି ଉତ୍ସବରେ ରଙ୍ଗ ଭରିଛନ୍ତି। ସେପଟେ ରାଜ୍ୟପାଳ ରଘୁବର ଦାସ ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ସରକାର ସବ୍ସିଡି ପ୍ରଦାନ କରିବାକୁ ପରାମର୍ଶ ଦେବା ପରେ ସରକାର ବି ସକରାତ୍ମକ ଆଭିମୁଖ୍ୟ ଦେଖାଇଥିବାରୁ ନିର୍ମାତା, ନିର୍ଦ୍ଦେଶକ ଓ କଳାକାରଙ୍କ ଖୁସୀ ଦୁଇଗୁଣା ପରିଲକ୍ଷିତ ହୋଇଛି।
କାହାଣୀର ଗୁରୁତ୍ବ ରହିଲେ ମନୋରଂଜନ ହେବ: ଅନନ୍ତ ମହାପାତ୍ର
ବିଶିଷ୍ଟ ନାଟ୍ୟକାର, କାହାଣୀକାର, ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ୨୦୨୦ ମସିହାର ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’ ପ୍ରଦାନ କରାଯାଇଛି। ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ରରେ ଯଦି କାହାଣୀ ଗୁରୁତ୍ବ ରଖିବ ତାହାଲେ ମନୋରଂଜନ ସହ ସାମାଜିକ ସଚେତନତା ଆସିବ। ପୁଣି ଥରେ ସିନେମା ଇତିହାସର ପୁନରାବୃତ୍ତି ହେବ। ସମାଜକୁ ପରିବର୍ତ୍ତନ କରିବାକୁ ସେଥିପାଇଁ ଚଳଚ୍ଚିତ୍ର ଗୋଟିଏ ମାଧ୍ୟମ। ଯେହେତୁ ବର୍ତ୍ତମାନ ନେଟ୍ଫ୍ଲିକ୍ସ ଭଳି ଓଟିଟି ଆସିଲାଣି ତେଣୁ ଓଡ଼ିଆ ଫିଲ୍ମ ମଧ୍ୟ ପୁରା ବିଶ୍ବରେ ଦେଖାଯାଇପାରିବ। ମୋର ଯୁବଗୋଷ୍ଠୀକୁ ଆହ୍ବାନ ନିଷ୍ଠା, ତ୍ୟାଗ ଓ ସମ୍ପୂର୍ଣ୍ଣ ଭାବରେ ନିଜକୁ ନିୟୋଜିତ କରି ଭଲ ଫିଲ୍ମ ନିର୍ମାଣ କରନ୍ତୁ।
ସଂସ୍କୃତିକୁ ନେଇ ଚଳଚ୍ଚିତ୍ର ନିର୍ମାଣ ହେଉ: ଶ୍ରୀନିବାସ ମହାପାତ୍ର
୨୦୨୧ ମସିହା ପାଇଁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’ ପାଇଥିବା ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର କହିଛନ୍ତି, ସାମାଜିକ ଫିଲ୍ମ ତ ବହୁତ ଅଛି। ବିଷୟ ଓ ଲେଖକ ବହୁତ ଅଛନ୍ତି। ହେଲେ ସଂସ୍କୃତିକୁ ନେଇ ଫିଲ୍ମ ତିଆରି ହେଉନି। ମୁଁ ଭକ୍ତ ସାଲବେଗ ଫିଲ୍ମ କରିଥିଲି। ତା ପାଇଁ ବଡ଼ ଦାଣ୍ଡ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଥିଲା। ଭଲ ଫିଲ୍ମ ପାଇଁ ଚେଷ୍ଟା କରାଯାଇଥିଲା। ଆଉ ସେ ଫିଲ୍ମ ଓଡ଼ିଆ ସଂସ୍କୃତିର ପ୍ରଚାର ପ୍ରସାରରେ ସହାୟକ ହେଲା। ଆଉ କେତେ ଦିନ ଭଲ ପାଇବା, ଚୋରି, ଡକାୟତ ଲୋକଙ୍କୁ ଦେଖାଇବା। ଓଡ଼ିଆ ଲୋକଙ୍କର ହୃଦୟର ଭଲ ପାଇବା କରିବା ଦରକାର। ଗୁଣାତ୍ମକ ଫିଲ୍ମ ପାଇଁ ଭିଜନ ଦରକାର। ଆଗରୁ ନାୟକ ନାୟିକାଙ୍କୁ ମିଳୁଥିଲା ଏବେ ପୂରା ସିନେମା ଜଗତକୁ ପୁରସ୍କାର ମିଳୁଥିବାରୁ ସେ ବିଭାଗକୁ ଧନ୍ୟବାଦ ଦେଇଥିଲେ।
ଯେତେବେଳେ ମୁଁ ପୁରସ୍କାର ପାଇବା କଥା ପାଇନି: ଜୟୀରାମ ସାମଲ
ଓଡ଼ିଆ ସିନେମା ଜଗତର ବର୍ଷୀୟାନ କଳାକାର ଜୟୀରାମ ସାମଲଙ୍କୁ ୨୦୨୨ ମସିହାର ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ସେ କହିଛନ୍ତି, ଦୀର୍ଘ ବର୍ଷ ପରେ ମୋତେ ଏହି ପୁରସ୍କାର ମିଳିଛି। ସେଥିପାଇଁ ଯେମିତି କୁହନ୍ତି କେତେ ଭାତ ଗଲାଣି ସେଇ ହାଣ୍ଡି ପଡ଼ିଛି। କେତେ ପୁଲିସ ଗଲାଣି ସେଇ ଫାଣ୍ଡି ପଡ଼ିଛି। ଆମେ ସେମିତି ପଡ଼ିଥିଲୁ, ଆଜି ଲୋକଲୋଚନକୁ ଆସିଲୁ। ଏ ଅଗଣିତ ଦର୍ଶକ ମୋର ପ୍ରଶଂସକ। ତାଙ୍କରି କରତାଳିରେ ମୁଁ ଉତ୍ସାହିତ ହୋଇ ଅଭିନୟ କରି ଚାଲିଥିଲି। ଆଜି ପୁରସ୍କାର ପାଇବା ପରେ ସେମାନେ ବି ବହୁତ ଖୁସି ହେଉଥିବେ।
୩୩ଟି ବିଭାଗରେ ୧୦୬ ଜଣଙ୍କୁ ପୁରସ୍କାର
ଶ୍ରେଷ୍ଠ ଚଳଚ୍ଚିତ୍ର, କାହାଣୀ, ଅଭିନେତା, ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ରୂପସଜ୍ଜା ପର୍ଯ୍ୟନ୍ତ ମୋଟ ୩୩ଟି ବିଭାଗରେ ଆଜି ପୁରସ୍କାର ପ୍ରଦାନ କରାଯାଇଥିଲା। ୩ ବର୍ଷ ପାଇଁ ୧୦୬ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୦ରେ କରୋନା ପାଇଁ ମାତ୍ର ୭ଟି ଚଳଚ୍ଚିତ୍ର ପୁରସ୍କାର ପାଇଁ ଆବେଦନ କରିଥିଲେ। ସେଥିରୁ ଜୁରି କମିଟି ୪ଟି ଚଳଚ୍ଚିତ୍ରକୁ ଚୟନ କରିଥିଲେ। ୨୦୨୧ରେ ଆବେଦନ କରିଥିବା ୧୮ଟି ଚଳଚିତ୍ରରୁ ୧୪ଟି ପୁରସ୍କାର ପାଇଛନ୍ତି। ୨୦୨୨ରେ ଆବେଦନ କରିଥିବା ୨୧ଟି ଚଳଚ୍ଚିତ୍ରରୁ ୧୨ଟି ୩୧ଟି ବିଭାଗରେ ବିଭିନ୍ନ ପୁରସ୍କାର ପାଇଛନ୍ତି।
ସହିଦ ରଘୁ ସର୍ଦ୍ଦାର, ପ୍ରତୀକ୍ଷା, ଡାଲଚିନି ଓ ଦମନ ଶ୍ରେଷ୍ଠ ଚଳଚ୍ଚିତ୍ର
୨୦୨୦ରେ ବିଶ୍ବନାଥ ପଟ୍ଟନାୟକଙ୍କ ଫିଲ୍ମ ‘ସହିଦ ରଘୁ ସର୍ଦ୍ଦାର’, ୨୦୨୧ପାଇଁ ଅନୁପମ ପଟ୍ଟନାୟକଙ୍କ ‘ପ୍ରତୀକ୍ଷା’ ଓ ଅତିଶ କୁମାର ରାଉତଙ୍କ ‘ଡାଲଚିନି’ ଏବଂ ୨୦୨୨ ପାଇଁ ଦୀପେନ୍ଦ୍ର ସାମଲଙ୍କ ‘ଦମନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ୨ ଲକ୍ଷ ଟଙ୍କା ଅର୍ଥରାଶି ସହିତ ମାନପତ୍ର, ଟ୍ରଫି ଓ ଉପଢୌକନ ଦିଆଯାଇଛି। ‘ସହିଦ୍ ରଘୁ ସର୍ଦ୍ଦାର’ ଏହା ସହ ସର୍ବାଧିକ ୧୦ଟି ବର୍ଗରେ ପୁରସ୍କାର ହାସଲ କରିଛି।
ଚର୍ଚ୍ଚାରେ ପ୍ରାଶାସନିକ ଅଧିକାରୀ
ପେଶାରେ ପ୍ରାଶାସନିକ ଅଧିକାରୀ। ହେଲେ ନିଶା କିନ୍ତୁ ଚଳଚ୍ଚିତ୍ର ନିର୍ଦ୍ଦେଶନା। ସରକାରୀ ଦାୟିତ୍ବ ତୁଲାଇବା ବେଳେ ସେ ସାମ୍ନା କରୁଥିବା ପ୍ରତିଟି ସାମାଜିକ ସମସ୍ୟା ତଥା ସାଧାରଣ ଲୋକର ଭାବନାକୁ ସେ ଅତି ନିପୁଣତାର ସହ ଚଳଚ୍ଚିତ୍ରରେ ଦେଖାଇବାକୁ ଚାହାନ୍ତି। ସେ ହେଉଛନ୍ତି ୩ ବର୍ଷ ପାଇଁ ଘୋଷିତ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ଅଣଫିଚର ବା କ୍ଷୁଦ୍ର ଚଳଚ୍ଚିତ୍ର ଶ୍ରେଣୀରେ ବାଜିମାତ କରିଥିବା ନିର୍ଦ୍ଦେଶକ ଡ. ଶ୍ୱେତ କୁମାର ଦାଶ। ତାଙ୍କ ନିର୍ଦ୍ଦେଶିତ ‘ମାସ୍କ’ ଓ ‘ଦି ହିଲଙ୍ଗ୍ ଟଚ୍’ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ଶ୍ରେଣୀରେ ସ୍ଥାନ ପାଇଛି। ଉଭୟ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ନୀଳା ମହାପାତ୍ର। ଏବେ ଉଭୟ ‘ମାଇଁ ନାସନାଲ ଫ୍ଲାଗ’ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।
Follow Us