ଭୁବନେଶ୍ବର: ଓମଫେଡ୍ ବୁଥ ଆଗରେ ଥୁଆ ହୋଇଛି କ୍ଷୀର ଟ୍ରେ। କିନ୍ତୁ ଭିତରେ ତିଆରି ଚାଲିଛି ଚା, କଫି। ଆଉ ବୁଥ୍ ନିକଟରେ ହାତରେ ଚା’ କପ୍ ଧରି ଚାଲିଛି ଯୁବକଙ୍କ ଖଟି। କରୋନା ଭୟାବହ କଥା ଆଲୋଚନା ଚାଲିଛି। କିଏ କେମିତି ଭୁଲ୍ କରି ଜୀବନ ହରାଇଲା ସେ କଥା ମଧ୍ୟ ପଡ଼ୁଛି। କିନ୍ତୁ ନିଜ କଥା ପରବାଏ ନାହିଁ। ଯାହା ହେଉଛି ହେଉ ଚା’ ପିଆ ଚାଲୁ, ଖଟି ଜମୁ। ରାଜଧାନୀର ଗୋଟିଏ କି ଦୁଇଟି ନୁହେଁ ଶତାଧିକ ଓମଫେଡ୍ରେ ଏମିତି ସବୁଦିନ ଖଟି ଜମୁଛି। ନାଁ କୁ ଖାଲି କ୍ଷୀର ବିକ୍ରି ହେଉଛି, ନ ହେଲେ ଚା’, ଗୁଟ୍ଖା ସବୁ ମିଳୁଛି। ଆଜି କମିସନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ୍ ଝାରପଡ଼ା ଜେଲ୍ ନିକଟରେ ଏହିଭଳି ଏକ ଓମଫେଡରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଚା’ ବିକ୍ରି ହେଉଥିବା ଜାଣିବାକୁ ପାଇଥିଲେ। ଦୋକାନକୁ ସିଲ୍ କରିବା ସହ ୧ ହଜାର ଟଙ୍କା ଜରିମାନା କରାଯାଇଥିଲା। ଅନ୍ୟ ଯେଉଁ ସବୁ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ନାଁରେ ଯେଉଁ ଦୋକାନ ଆଇନ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।
ଓମଫେଡ୍ରେ ଜମୁଛି ଖଟି, ସିଲ୍ କଲା ପୁଲିସ; କ୍ଷୀର ବିକ୍ରି ନାଁରେ ଚା’ ଆସର
Advertisment
Follow Us