ଭୁବନେଶ୍ବର : ଜଣେ ଅଧ୍ୟାପିକା କାର୍ ଋଣ ଆଣି ବ୍ୟାଙ୍କକୁ ଠକିଥିବା ଅଭିଯୋଗ ନେଇ ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଖାରବେଳନଗର ଶାଖା କର୍ତ୍ତୃପକ୍ଷ ଖାରବେଳନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଇଣ୍ଡସଇଣ୍ଡ୍ ବ୍ୟାଙ୍କ୍ ଖାରବେଳନଗର ଶାଖା ମୁଖ୍ୟ ଶିଶିର କୁମାର ଦାସଙ୍କ ଅଭିଯୋଗ ଅନୁସାରେ ରସୁଲଗଡ଼ ବେହେରା ସାହିରେ ରହୁଥିବା ଅଧ୍ୟାପିକା ଜଣକ କାର୍ କିଣିବା ପାଇଁ ୭ଲକ୍ଷ ୧୫ହଜାର ଟଙ୍କାର ଋଣ ପାଇଁ ଆବେଦନ କରିଥିଲେ। ବ୍ୟାଙ୍କ୍ କର୍ତ୍ତୃପକ୍ଷ ଅଧ୍ୟାପିକାଙ୍କ ସମସ୍ତ ରେକର୍ଡପତ୍ର ଯାଞ୍ଚ କରି ଋଣ ମଞ୍ଜୁର କରିଥିଲେ। ମାତ୍ର ପରେ ଅଧ୍ୟାପିକା ଋଣ ଶୁଝିବା ନାଁ ଧରିନଥିଲେ। ବରଂ ପରେ ସେ କାର୍କୁ ଯାଜପୁରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲେ। କାର୍ ବିକ୍ରି ପରେ ଆର୍ଟିଓ-୨ରେ କାର୍ର ମାଲିକାନା ବଦଳା ଯାଇଥିବା ଜଣାପଡ଼ିଛି। କାର୍ରେ ଋଣ ଥିବା ସତ୍ତ୍ବେ ଆର୍ଟିଓ କିଭଳି ବିକ୍ରି ପାଇଁ ଅନୁମତି ଦେଲେ, ତାହାକୁ ନେଇ ସନ୍ଦେହ ଉପୁଜିଛି। ବ୍ୟାଙ୍କକୁ ଠକିଥିବା ଅଧ୍ୟାପିକା ଚଞ୍ଚକତା କରି ଆର୍ଟିଓଙ୍କୁ ମଧ୍ୟ ଭୂଆଁ ବୁଲାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ପୁଲିସ ତଦନ୍ତ ପରେ ସବୁ କିଛି ପଦାକୁ ଆସିବ ବୋଲି କୁହାଯାଉଛି।
କାର୍ ଋଣ କରି ବ୍ୟାଙ୍କକୁ ଠକିଲେ ଅଧ୍ୟାପିକା, ଥାନାରେ ଅଭିଯୋଗ
Advertisment
Follow Us