Update Odisha
ଭୁବନେଶ୍ବର : ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ୭ମ ବେତନ କମିସନଙ୍କ ଆଧାରରେ ଅନୁଦାନ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇ ଗତ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ ଏଥିରେ ଅସଙ୍ଗତି ଦେଖିବାକୁ ମିଳିଛି। ୩୯୯ ଓ ୨୨୬ ବିଦ୍ୟାଳୟଗୁଡ଼ିକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ୭ମ ବେତନରୁ ବାଦ୍ ପଡ଼ିଥିବା ଏହି ବର୍ଗର ବିଦ୍ୟାଳୟଗୁଡ଼ିକୁ ସାମିଲ ଦିଗରେ ପଦକ୍ଷେପ ନେବାକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଅନୁରୋଧ କରିଛନ୍ତି।
ରାଜ୍ୟରୁ ବ୍ଲକ୍ଗ୍ରାଣ୍ଟ ଉଚ୍ଛେଦ ହେଲା ଏବଂ ଐତିହାସିକ ଅନୁଦାନ ଆଇନ ଲାଗୁ ହେଲା ବୋଲି ୨୦୧୭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏବେ ୨୦୧୮ ଜାନୁଆରି ପହିଲାରୁ ନୋସ୍ନାଲି ହିସାବ କରି ୨୦୨୨ ଜାନୁଆରି ୧ରୁ ଶିକ୍ଷକ ଓ କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସ୍ୱଳ୍ପ ବେତନରେ କାର୍ଯ୍ୟ କରୁଥିବା ଶିକ୍ଷକ ଓ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ମାତ୍ର କିଛି ବିଦ୍ୟାଳୟ ସପ୍ତମ ବେତନ ପାଇବାରୁ ବଞ୍ଚିତ ହୋଇଛନ୍ତି। କେନ୍ଦ୍ରୀୟ ବେତନ ହାରରେ ରାଜ୍ୟ ସରକାର ଯେତେବେଳେ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ହାରର ପରିବର୍ତ୍ତନ କରିଥା’ନ୍ତି, ସେତେବେଳେ ଏହା ସବୁ ବର୍ଗଙ୍କ ପାଇଁ ଲାଗୁ ହୋଇଥାଏ। କିନ୍ତୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କର୍ମଚାରୀ ଦୀର୍ଘବର୍ଷ ବିନା ଦରମାରେ କାମ କଲା ପରେ ସେମାନଙ୍କୁ ଅନୁଦାନ ମିଳିଛି। ସେମାନଙ୍କ କ୍ଷେତ୍ରରେ ସପ୍ତମ ବେତନ ଲାଗୁ ନ କରିବା ସବୁଠାରୁ ଦୁଃଖର ବିଷୟ। ମିଳିତ ମଞ୍ଚ ସହ ଆଲୋଚନା ବେଳେ ସମସ୍ତଙ୍କୁ ସପ୍ତମ ବେତନ ପ୍ରଦାନ ପାଇଁ ବାରମ୍ବାର ଦାବି ହୋଇଥିଲେ ମଧ୍ୟ ଶେଷ ସମୟରେ ୬୦% ଓ ୭୫% ଦରମା ପାଉଥିବା ଶିକ୍ଷକ କର୍ମଚାରୀଙ୍କୁ ଏଥିରୁ ବାଦ୍ ଦେବା ଠିକ୍ ନିଷ୍ପତ୍ତି ନୁହେଁ ବୋଲି ଓଷ୍ଟା ପକ୍ଷରୁ ଅଭିଯୋଗ କରାଯାଇଛି। ଏହା ଚଞ୍ଚକତାର ଏକ ନଗ୍ନ ଉଦାହରଣ। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କୁ ୭ମ ବେତନ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ଓଷ୍ଟା ପକ୍ଷରୁ ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ ପ୍ରମୁଖ ଅନୁରୋଧ କରିଛନ୍ତି।
Follow Us