ଶେଷ ଦର୍ଶନ ବେଳେ ଭାବପ୍ରବଣ ହେଲେ ସାମ୍ବାଦିକ, ଶୁଭେଚ୍ଛୁ
‘ଅରିନ୍ଦମ ଅମର ରହେ ଧ୍ବନି’ରେ କମ୍ପିଲା ସଚିବାଳୟ ମାର୍ଗ
ଭୁବନେଶ୍ବର : ବିପଦସଂକୁଳ ଇଲାକାରୁ ନିର୍ଭୀକ ଭାବେ ସମ୍ବାଦ ପରିବେଷଣ କରିବାରେ ସେ ଥିଲେ ଆଗୁଆ। ଦୁଃସାହସିକ ଅଭିଯାନରେ ଯାଇ ଅଜଣା ଓ ଅପହଞ୍ଚ ଇଲାକାରୁ ଖବର ସଂଗ୍ରହ କରିବାରେ ଥିଲେ ଓସ୍ତାଦ୍। ଖାଲି ସେତିକି ନୁହେଁ, ମାଓଗଡ଼ଠୁ ଆରମ୍ଭ କରି ବନ୍ୟା ପ୍ରପୀ଼ଡିତ ଅଞ୍ଚଳ, ବାତ୍ୟା ବେଳେ ବନ୍ଦର ବା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରୁ ଲାଇଭ୍ ଖବର ପରିବେଷଣ କରିବାକୁ ସେ ସଦାବେଳେ ଆଗଭର ହେଉଥିଲେ। ଯେଉଁ ଦୁର୍ଗମ ଅଞ୍ଚଳକୁ ଅନ୍ୟମାନେ ଯିବାକୁ ଭୟ କରୁଥିଲେ, ସେ ତାକୁ ଏକ ଆହ୍ବାନ ଭାବେ ଗ୍ରହଣ କରୁଥିଲେ। ଏପରିକି ପ୍ରତିକୂଳ ପରିସ୍ଥିତିରେ ବି ତାଙ୍କ ମୁହଁରୁ ‘ନା’ ଶବ୍ଦ କେବେ ଶୁଣିବାକୁ ମିଳୁ ନଥିଲା। ଆଜି ମୁଣ୍ଡଳି ନିକଟରେ ହାତୀ ଉଦ୍ଧାର ଅଭିଯାନର ଲାଇଭ୍ କଭରେଜ୍ କରିବାକୁ ଯାଇ ମହାନଦୀରେ ବୁଡ଼ି ଅକାଳରେ ପ୍ରାଣ ହରାଇଥିବା ଓ’ଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ନେଇ ରାଜଧାନୀର ସଚିବାଳୟ ମାର୍ଗରେ ଏମିତି ଲାଗି ରହିଥିଲା ଚର୍ଚ୍ଚା। ଏମିତି ଭାବେ ଅରିନ୍ଦମଙ୍କ ଦୁଃସାହସିକ ସମ୍ବାଦ ପରିବେଷଣ ସମୟର ଅନୁଭୂତି ବଖାଣୁବଖାଣୁ ଅନେକ ସାଥୀ ସାମ୍ବାଦିକଙ୍କ ଆଖି ଅଜାଣତରେ ଓଦା ହୋଇଯାଉଥିଲା। ନିଜର ଜଣେ ଅନ୍ତରଙ୍ଗ ଭାଇକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ରିପୋର୍ଟର, କ୍ୟାମେରାମ୍ୟାନ୍।
/sambad/media/post_attachments/wp-content/uploads/2021/09/m14.jpg)
ଓ’ଟିଭି କାର୍ଯ୍ୟାଳୟରୁ ଅରିନ୍ଦମଙ୍କ ମରଶରୀର ଜୟଦେବ ଭବନ ଅଭିମୁଖେ ଆସୁଥିବା ଖବର ପାଇ ଅରିନ୍ଦମଙ୍କୁ ଭଲ ପାଉଥିବା ଶତାଧିକ ସାମ୍ବାଦିକ ଓ ଶୁଭେଚ୍ଛୁ ଜୟଦେବ ଭବନ ଆଗରେ ରୁଣ୍ଡ ହୋଇ ଅପେକ୍ଷା କରିଥିଲେ ଶେଷ ଦର୍ଶନ ଲାଗି। ମରଶରୀର ସେଠାରେ ପହଞ୍ଚିବା ମାତ୍ରେ ‘ଅରିନ୍ଦମ ଅମର ରହେ ଧ୍ବନି’ରେ କମ୍ପି ଉଠିଥିଲା ସଚିବାଳୟ ମାର୍ଗ। ଅନେକ ଯୁବ ସାମ୍ବାଦିକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଥିବା ଅରିନ୍ଦମଙ୍କ ଏଭଳି ଅଚାନକ ବିଦାୟକୁ ସତେ ଯେମିତି କେହି ଗ୍ରହଣ କରିବାକୁ ମାନସିକ ଭାବେ ପ୍ରସ୍ତୁତ ନଥିଲେ। ବରିଷ୍ଠ କନିଷ୍ଠ ନିର୍ବିଶେଷରେ ସାମ୍ବାଦିକମାନେ ଜୟଦେବ ଭବନ ସମ୍ମୁଖରେ ଅରିନ୍ଦମଙ୍କ ଶବାଧାରକୁ କାନ୍ଧେଇ ଗାଡ଼ିରୁ ଓହ୍ଲାଇ ଆଣିଲା ବେଳେ ସେମାନଙ୍କ ଆଖିରେ ଲୁହ ଢଳଢଳ ହେଉଥିଲା, କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା। ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ବରିଷ୍ଠ ସାମ୍ବାଦିକ, ରାଜନେତା, ସମାଜସେବୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କଲା ବେଳେ ଭାବପ୍ରବଣ ହୋଇ ପଡ଼ିଥିଲେ। ଫଳରେ ସେଠାରେ ଏକ ଶୋକକୁଳ ବାତାବରଣ ସୃଷ୍ଟି ହୋଇଥିଲା। ବାଟରେ ଯାଉଥିବା ଲୋକେ ମଧ୍ୟ କିଛି ସମୟ ପାଇଁ ଅଟକି ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଭୁଲି ନ ଥିଲେ। ବିଧାୟକ ସୁର ରାଉତରାୟ, ଅନନ୍ତ ନାରାୟଣ ଜେନା, ବିଜେପି ନେତା ଜଗନ୍ନାଥ ପ୍ରଧାନ ପ୍ରମୁଖ ବହୁ ନେତୃବୃନ୍ଦ ମଧ୍ୟ ତାଙ୍କ ମରଶରୀରରେ ପୁଷ୍ପାର୍ଘ୍ୟ କରିଥିଲେ।
/sambad/media/post_attachments/wp-content/uploads/2021/09/m16.jpg)
ଛାତ୍ର କଂଗ୍ରେସ ପକ୍ଷରୁ ମହମବତି ଶୋଭାଯାତ୍ରା
ବନ୍ୟଜନ୍ତୁ ରିପୋର୍ଟିଂରେ ବିଶେଷ ରୁଚି ରଖୁଥିବା ଅରିନ୍ଦମ ଦାସ ଗାନ୍ଧୀ ମାର୍ଗରେ ମଧ୍ୟ ବିକ୍ଷୋଭକାରୀ ଓ ବିରୋଧୀ ଦଳଙ୍କ ସମସ୍ୟା ସମ୍ପର୍କିତ ଖବର ପରିବେଷଣ କରୁଥିଲେ। ଅନେକ ସମୟରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ଖବର ଦେଇଥିବା ଅରିନ୍ଦମଙ୍କ ମୃତ୍ୟୁରେ ବିଧାୟକ ସୁରେଶ ରାଉତରାୟ, ଛାତ୍ର କଂଗ୍ରେସ ସଭାପତି ୟାସିର୍ ନଵାଜଙ୍କ ସମେତ ବହୁ କଂଗ୍ରେସ ସମର୍ଥକ ମହମବତି ଶୋଭାଯାତ୍ରା କରିଥିଲେ।
ଶ୍ରଦ୍ଧାଞ୍ଜଳି ଜଣାଇଲା ଓକିଲ ସଂଘ
ପୁରୁଣା ଭୁବନେଶ୍ବର : ହାତୀ ଉଦ୍ଧାର ଅପରେସନ୍ର ରିପୋର୍ଟିଂ ବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ଭୁବନେଶ୍ବର ଓକିଲ ସଂଘ। ସଂଘର ସଭାପତି ନିର୍ମଳ କିଶୋର ରଥ, ଉପସଭାପତି ଦେବୀଦତ୍ତ ବାରିକ, ସଂପାଦକ ରାଜକିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହସଂପାଦକ ଶିବନାରାୟଣ ସାହୁ ପ୍ରମୁଖ ତାଙ୍କ ସଦ୍ଗତି କାମନା କରିଥିଲେ। ରାଜ୍ୟ ଜଣେ ସାହସୀ ସାମ୍ବାଦିକଙ୍କୁ ହରାଇଲା ବୋଲି ମତପ୍ରକାଶ ପାଇଥିଲା।
/sambad/media/post_attachments/wp-content/uploads/2021/09/lingaraj-mandira.jpg)
ଲିଙ୍ଗରାଜ ମନ୍ଦିର ନିକଟରେ ଶ୍ରଦ୍ଧାଞ୍ଜଳି
ପୁରୁଣା ଭୁବନେଶ୍ବର : ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଲିଙ୍ଗରାଜ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ବଳନ କରି ସ୍ବର୍ଗତଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରୋଜ ମିଶ୍ର, ଗୋପୀନାଥ ପ୍ରଧାନ, ମାନସ ରଞ୍ଜନ ପତି, ରାଜେଶ ମିଶ୍ର, ବିଜୟ ଭଟ୍ଟାଚାର୍ଯ୍ୟ, ଗୋପାଳ ମକଦ୍ଦମ, ଦିବ୍ୟକାନ୍ତ ସୁବୁଦ୍ଧି, ସୁଲତା ସାହାଣୀ, ସ୍ବପ୍ନାରାଣୀ ସାମଲ ଓ ଅନ୍ୟ ଯୁବ ସଦସ୍ୟମାନେ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2021/09/m12.jpg)
ଏବିଭିପିର ଶୋକସଭା
ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କ ବିୟୋଗ ଓଡ଼ିଶାର ସାମ୍ବାଦିକ ଜଗତ ଏବଂ ଜନସାଧାରଣ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ପରିଷଦର ମିଲନ ମହାପାତ୍ର କହିଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ମହମବତି ଜାଳି ଅରିନ୍ଦମଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏଥିରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା କବିତା କହଁର, ରାଜ୍ୟ ସହସମ୍ପାଦକ ସୁଧାଂଶୁ ସାହୁ, ରାଜ୍ୟ ଜନଜାତି ଆୟାମ ସହ ସଂଯୋଜକ ଦେବରାଜ ମାଝୀ, ମହାନଗର ଆଇନ ଆୟାମ ସଂଯୋଜକ ନିଖିଳ ତ୍ରିପାଠୀ ଏବଂ ଚନ୍ଦନ ନାୟକ, ଜ୍ୟୋତିଶକ୍ତି ପରିଡ଼ା, ସଂଧ୍ୟା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2021/09/cha-khati.jpg)
ଚା’ ଖଟି ପକ୍ଷରୁ ଶୋକସଭା
ଭୁବନେଶ୍ବର : ଚା’ ଖଟି ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ଶୋକସଭା ବମିଖାଲ ଦୁର୍ଗାମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ବରେ ଅନୁଷ୍ଠାନର ବହୁ ସଦସ୍ୟଙ୍କ ସମେତ ସ୍ଥାନୀୟ ଲୋକ ଉପସ୍ଥିତ ରହି ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
Follow Us