ମନଇଚ୍ଛା ଟଙ୍କା କଟୁଥିବା ଅଭିଯୋଗ : ବାଜାଜ ଫିନ୍‌ସର୍ଭରେ ଉତ୍ତେଜନା

Advertisment
ମନଇଚ୍ଛା ଟଙ୍କା କଟୁଥିବା ଅଭିଯୋଗ : ବାଜାଜ ଫିନ୍‌ସର୍ଭରେ ଉତ୍ତେଜନା

businesssandesh.in

ଭୁବନେଶ୍ୱର : ମାସିକ କିସ୍ତି ଦେବାରେ ସାମାନ୍ୟ ବିଳମ୍ବ ହେଲେ ଏକାଧିକବାର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟା ଯାଉଛି। ଏପରିକି କିଛି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମନଇଚ୍ଛା ଟଙ୍କା କଟା ଯାଉଛି। କିନ୍ତୁ ଏ ସଂପର୍କ‌ରେ ଋଣ ଦେଇଥିବା ସଂସ୍ଥା ବଜାଜ ଫିନସର୍ଭ ନା ବ୍ୟାଙ୍କ କର୍ତ୍ତୃପକ୍ଷ; କେହି ବି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି। ଏଭଳି ଅଭିଯୋଗ କରି ଆଜି ୫୦ରୁ ଊର୍ଧ୍ବ ଲୋକ ଖାରବେଳ ନଗରସ୍ଥିତ ବଜାଜ୍‌ ଫିନସର୍ଭ କାର୍ଯ୍ୟାଳୟ ହୋ-ହଲ୍ଲା, ପାଟିତୁଣ୍ଡ କରିଥିଲେ। ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଉପସ୍ଥିତିରେ କମ୍ପାନି କର୍ତ୍ତୃପକ୍ଷ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାଯୋଗ୍ୟ, ମୋବାଇଲ୍‌, ଟିଭି ସମେତ ଘରର ବିଭିନ୍ନ ସରଞ୍ଜାମ କିଣିବା ପାଇଁ ବଜାଜ୍‌ ଫିନସର୍ଭ ଗ୍ରାହକଙ୍କୁ ମାସିକ କିସ୍ତି ଜରିଆ‌ରେ ଋଣ ପ୍ରଦାନ କରିଥାଏ। କମ୍ପାନି ଦ୍ବାରା ନିର୍ଧାରିତ ମାସିକ କିସ୍ତି ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ କଟିଥାଏ। କିନ୍ତୁ କିଛି ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, କିସ୍ତି ଶୁଝିବାରେ ବିଳମ୍ବ ହେବାରୁ ସେମାନଙ୍କ ଆକାଉଣ୍ଟରୁ ନିର୍ଧାରିତ କିସ୍ତି ଟଙ୍କା ସହ ଜରିମାନା ବାବାଦକୁ ୪୫୦ ଟଙ୍କା ଓ ୨୯୫ ଟଙ୍କା ଏକାଧିକବାର କଟିଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା। ତେଣୁ କମ୍ପାନି କର୍ତ୍ତୃପକ୍ଷ ଏହାକୁ ବିଚାରକୁ ନ ନେଲେ ପରିଣାମ ଭୟ‌ାବହ ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ।

ଅପରପକ୍ଷେ ଏ ସଂପର୍କରେ କମ୍ପାନିର ଆଞ୍ଚଳିକ ପରିଚାଳକ ରମେଶ ଚନ୍ଦ୍ର ଜେନା କହିଛନ୍ତି, ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ଧାର୍ଯ୍ୟ କିସ୍ତି ଦାଖଲ କରାଯିବା କଥା। କିନ୍ତୁ ଉକ୍ତ ତାରିଖରେ ଯଦି କୌଣସି ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପରିମାଣର ଅର୍ଥ ନଥାଏ, ତେବେ ପରେ କମ୍ପାନି ଉକ୍ତ ଗ୍ରାହକଙ୍କଠାରୁ ଜରିମାନା ବାବାଦକୁ ୪୫୦ ଟଙ୍କା ଆଦାୟ କରିଥାଏ। ସେହିଭଳି ବ୍ୟାଙ୍କ ମଧ୍ୟ ୨୯୫ଟଙ୍କାର ବାଉନ୍ସ ଚାର୍ଜ ନେଇଥାଏ। ଫାଇନ୍‌ ବାଜାଜ ଥରେ ନେଉଥିବା ବେଳେ ଯେତେଥର ତାରିଖ ଗଡ଼ିବ, ସେତେ ଥର ବ୍ୟାଙ୍କ୍‌ ୨୯୫ ଟଙ୍କା କାଟିବ। ଏହାକୁ ବୋଧ ହୁଏ ଲୋକ ବୁଝି ପାରିନାହାନ୍ତି। ବାଜାଜ୍‌ କୌଣସି ଠକାମି କରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe