ଗୋଚର ଓ ଜଙ୍ଗଲ ଜମିକୁ ବି ଛାଡ଼ିଲେନି ବିଲ୍‌ଡର

Advertisment

ଚନ୍ଦକାରେ ଚାପା ଉତ୍ତେଜନା

ଚନ୍ଦକାରେ ଚାପା ଉତ୍ତେଜନା

ଗୋଚର ଓ ଜଙ୍ଗଲ ଜମିକୁ ବି ଛାଡ଼ିଲେନି ବିଲ୍‌ଡର

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ଚନ୍ଦକା ଗ୍ରାମପଞ୍ଚାୟତରେ ଏକ ବିଲ୍‌ଡର ସଂସ୍ଥାର କାରନାମାକୁ ନେଇ ଚାପା ଉତ୍ତେଜନା ଦେଖା ଦେଇଛି। ଉକ୍ତ ବିଲ୍‌ଡର ସଂସ୍ଥା ଗ୍ରାମର ଗୋଚର ଜମି ଓ ଜଙ୍ଗଲ ଜମିକୁ କବ୍‌ଜାକୁ ନେଇ ଏକ ଆବାସିକ ପ୍ରକଳ୍ପ କାମ ଆରମ୍ଭ କରିବାକୁ ଯାଉଛି। ଏହାର ପ୍ରତିବାଦ କରି ଆଜି ପଞ୍ଚାୟତ ଲୋକ ଓ ସରପଞ୍ଚ ଡିସିପିଙ୍କ କାର୍ଯ୍ୟାଳୟକୁ ଆସି ସଂପୃକ୍ତ ବିଲଡର ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏହାଛଡ଼ା ଗ୍ରାମବାସୀମାନେ ଚନ୍ଦକା ଥାନା, ଚନ୍ଦକା ରାଜସ୍ୱ ନିରୀକ୍ଷକ, ଭୁବନେଶ୍ୱର ଉପଜିଲ୍ଲାପାଳ, ବିଡିଏ, ହାଉସିଂବୋର୍ଡ କର୍ତୃପକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପତ୍ର ଲେଖି ଅଭିଯୋଗ କରି ସାରିଛନ୍ତି। କିନ୍ତୁ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହାକୁ ନେଇ ସରପଞ୍ଚ ଓ ପଞ୍ଚାୟତ ବାସିନ୍ଦା ତୀବ୍ର ଅସନ୍ତୋଷ ପ୍ରକଟ କରିଛନ୍ତି।

ମହିଳା ସରପଞ୍ଚ ରାଜଶ୍ରୀ ସାମନ୍ତରାୟଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତମାସ ୨ ତାରିଖରେ ପଞ୍ଚାୟତବାସୀମାନେ ଲିଖିତ ଭାବେ ଅଭିଯୋଗ କଲେ କି, ସୁନ୍ଦରପୁର (ନମ୍ବର ୪୧) ମୌଜାର ଜମିକୁ ଡିଏନ୍‌ ହୋମ୍ସ ନାମକ ଏକ ବିଲଡର ସଂସ୍ଥା ହଠାତ୍‌ କବ୍‌ଜା କରି ପାଚେରି ନିର୍ମାଣ କରୁଛି। ଏହା ଏକ ସରକାରୀ ଜଙ୍ଗଲ, ଅନାବାଦି ଓ ପତିତ କିସମର ଜମି। ଏହି ଜମିରେ କେଉଁ ପୂର୍ବ କାଳରୁ ଗୃହପାଳିତ ପଶୁମାନେ ଚାରଣ ଭୂମି ଭାବେ ବ୍ୟବହାର କରିଥାନ୍ତି। ଏବେ ଏହି ଜମିକୁ ପାଚେରି ଅବରୋଧ କରିଥିବାରୁ ଗୃହ ପାଳିତ ପଶୁମାନେ ଚାରଣ କରିବାରେ ସମସ୍ୟା ସୃଷ୍ଟି ହେଉଛି।

ପଞ୍ଚାୟତବାସୀଙ୍କଠାରୁ ଏଭଳି ଅଭିଯୋଗ ପାଇବା ପରେ ପଂଚାୟତରେ ବୈଠକ ବସିଥିଲା। ବୈଠକରେ ବିଲଡର ସଂସ୍ଥାର ଏଭଳି କାରନାମକୁ ବିରୋଧ କରାଯାଇଥିଲା। ଏହା ପରେ ଉକ୍ତ ବିଲଡର ସଂସ୍ଥାକୁ ମଧ୍ୟ ପଂଚାୟତ ପକ୍ଷରୁ ନୋଟିସ୍‌ କରାଯାଇଥିଲା ନିଜ ମତ ରଖିବାକୁ। କିନ୍ତୁ ସଂସ୍ଥା ପକ୍ଷରୁ କୌଣସି ଉତ୍ତର ଏଯାଏ ରଖାଯାଇ ନାହିଁ। ଓଲଟି ଗ୍ରାମର କେତେକ ଯୁବକଙ୍କ ବିରୋଧରେ ଉକ୍ତ ବିଲଡର ସଂସ୍ଥା ଅଭିଯୋଗ କରୁଛି। ତେଣୁ ଏହାର ବିରୋଧ କରି ଆଜି ପଞ୍ଚାୟତର ମହିଳା ସରପଞ୍ଚ ଶ୍ରୀମତୀ ସାମନ୍ତରାୟ ଓ ତାଙ୍କ ସମର୍ଥର୍କମାନେ ଡିସିପିଙ୍କୁ ଭେଟି ବିଲଡର ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗ୍ରାମବାସୀଙ୍କୁ ତାଙ୍କ ଗୋଚର ଜମି ଫେରାଇବାକୁ ଦାବି କରିଛନ୍ତି। ନ ହେଲେ ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବା ସହିତ ପଞ୍ଚାୟତ ବାସିନ୍ଦାମାନେ ହାଇକୋର୍ଟ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe