ବସ୍ତି ଉଚ୍ଛେଦ ନେଇ ବଢ଼ୁଛି ଅସନ୍ତୋଷ : ଯାଞ୍ଚ ବେଳେ ଉତ୍ତେଜନା ଯୋଗୁଁ ଫେରିଲେ ବିଡିଏ ଓ ବିଏମ୍‌ସି ଅଧିକାରୀ

Advertisment
ବସ୍ତି ଉଚ୍ଛେଦ ନେଇ ବଢ଼ୁଛି ଅସନ୍ତୋଷ : ଯାଞ୍ଚ ବେଳେ ଉତ୍ତେଜନା ଯୋଗୁଁ ଫେରିଲେ ବିଡିଏ ଓ ବିଏମ୍‌ସି ଅଧିକାରୀ

ଭୁବନେଶ୍ୱର : ଆଉ କିଛି ଦିନ ପରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ହକି ବିଶ୍ୱକପ୍‌। ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଚାରିପଟେ ଥିବା ବସ୍ତିିଗୁଡ଼ିକୁ ଉଚ୍ଛେଦ ପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଗେଟ୍‌ ନଂ-୯ରେ ଥିବା ଜଗନ୍ନାଥ ବସ୍ତି ଉଚ୍ଛେଦ ପାଇଁ ବିଡିଏ, ବିଏମ୍‌ସି ଓ ରେ କର୍ତୃପକ୍ଷଙ୍କୁ ନାକେଦମ ହେବାକୁ ପଡ଼ିଛି। ବସ୍ତି ଉଚ୍ଛେଦ ନେଇ ଏକ ସ୍ଥାନୀୟ କର୍ପୋରେଟଙ୍କଠାରୁ ଆରମ୍ଭ କରି ମେୟର ପର୍ଯ୍ୟନ୍ତ ସମସ୍ତେ ବସ୍ତିବାସିନ୍ଦାଙ୍କ ସହ ଏକପ୍ରକାର କସରତ କରିବାକୁ ପଡ଼ିଛି। ଗତ କିଛି ଦିନ ତଳେ ବସ୍ତି ଉଚ୍ଛେଦ ନେଇ ବିଡିଏ, ବିଏମ୍‌ସି ବିଭାଗର ଅଧିକାରୀ ବସ୍ତିକୁ ଯାଞ୍ଚ ପାଇଁ ଆସିଥିବା ବେଳେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତି ଅଣାୟତ୍ତ ହେବାରୁ ଅଧିକାରୀମାନଙ୍କୁ ବିନା ଯାଞ୍ଚରେ ଫେରିବାକୁ ପଡ଼ିଥିଲା। ତେବେ ଏହି ଘଟଣା ପ୍ରଘଟ ହେବା ପରଠାରୁ ବସ୍ତି ଉଚ୍ଛେଦ ନେଇ ଅଡ଼ୁଆରେ ପଡ଼ିଛି ବିଏମ୍‌ସି ଓ ବିଡିଏ। ଦେଢ଼ ହଜାରରୁ ଊର୍ଦ୍ଧ୍ୱ ଲୋକ ୩ଶହରୁ ଊର୍ଦ୍ଧ୍ୱ ଘର ଥିବା ଏହି ବସ୍ତିକୁ ଭାଙ୍ଗିବା କାଠିକର ପାଠ ହୋଇପଡ଼ିଛି।

ଅନ୍ୟପଟେ ଉଚ୍ଛେଦ ନେଇ ବସ୍ତିବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ବସ୍ତି ନ ଛାଡ଼ିବାକୁ ଏକପ୍ରକାର ଜିଦରେ ଅଟଳ ଅଛନ୍ତି। ଏମିତିକି ବସ୍ତି ଉଚ୍ଛେଦ ପାଇଁ ଚାପ ପକାଇଲେ ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛୁ ବୋଲି ରୋକଠୋକ୍‌ ଶୁଣାଇଛନ୍ତି। ସେମାନେ କହିଛନ୍ତି ଯେ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସମୟରେ ଆମକୁ ଥଇଥାନା କରିବାକୁ କହି ବସ୍ତିର ୮୦ଟି ଘର ଭଙ୍ଗା ଯାଇଥିଲା। ଘର ଭାଙ୍ଗି ଦେବା ପରେ ଆଉ କେହି ଧରାଛୁଆଁ ଦେଲେ ନାହିଁ। ଆମେ ମାସ ମାସ ଧରି ଖୋଲା ଆକାଶ ତଳେ ଖରା, ବର୍ଷା ଓ କାକରରେ ପଡ଼ି ରହିଥିଲେ ମଧ୍ୟ କେହି ଶୁଣିଲେ ନାହିଁ। ବାଧ୍ୟ ହୋଇ ଟଙ୍କା ଉଧାର ଆଣି ଘର କରିଛୁ। ଏବେ ଘର କରି ୨ ମାସ ହେବ ନ ରହୁଣୁ ପୁଣି ବସ୍ତି ଭାଙ୍ଗିବାକୁ କହୁଛନ୍ତି। ଆମକୁ ଥଇଥାନା ନକରିବା ଯାଏ ଆମେ ବସ୍ତି ଛାଡ଼ିବୁ ନାହିଁ ବୋଲି ଜିଦରେ ଅଟଳ ଅଛନ୍ତି ବସ୍ତିବାସିନ୍ଦା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe