ଛାତ୍ର ସଙ୍ଗଠନଙ୍କ ପତିଆରା ଲଢ଼େଇ: ‘ଉତ୍କଳ’ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା, ମୁଖ୍ୟ ପ୍ରବେଶ ପଥରେ ତାଲା ପକାଇଲା ବିସିଜେଡି

ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଚାଲିଥିବା ପତିଆରା ଲଢ଼େଇ ଏବେ ଉଗ୍ରରୂପ ଧାରଣ କରିଛି। ଶୋଭାଯାତ୍ରା, ପ୍ରତିବାଦ, ବିକ୍ଷୋଭ, କୁଳପତିଙ୍କ କାର୍ଯ୍ୟାଳୟ ଘେରଉ ପରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ର ସଙ୍ଗଠନ।

fssfsf

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଚାଲିଥିବା ପତିଆରା ଲଢ଼େଇ ଏବେ ଉଗ୍ରରୂପ ଧାରଣ କରିଛି। ଶୋଭାଯାତ୍ରା, ପ୍ରତିବାଦ, ବିକ୍ଷୋଭ, କୁଳପତିଙ୍କ କାର୍ଯ୍ୟାଳୟ ଘେରଉ ପରେ ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ର ସଙ୍ଗଠନ। କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏବିଭିପି ଛାତ୍ରନେତାଙ୍କ ଆମରଣ ଅନଶନ ଜାରି ରହିଥିବା ବେଳେ ୧୦ ଦଫା ଦାବି ନେଇ ବିଶ୍ୱବିଦ୍ୟାଳୟ ପ୍ରବେଶପଥରେ ଆଜି ସନ୍ଧ୍ୟାରେ ତାଲା ପକାଇଥିଲା ବିଜୁ ଛାତ୍ର ଜନତା ଦଳ(ବିସିଜେଡି)। ଦୁଇଘଣ୍ଟା ଧରି ଧାରଣା ଦେବା ସହ ଟାୟାର ଜାଳିବାକୁ ଉଦ୍ୟମ କରିବା ସମୟରେ ପୁଲିସ ଅଟକାଇଥିଲା। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବୁଝାସୁଝା‌ ପରେ ରାତି ୯ଟା ସୁଦ୍ଧା ପ୍ରବେଶପଥ ତାଲା ଖୋଲିଛି। ମାତ୍ର ସଙ୍ଗଠନର ସଦସ୍ୟମାନେ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ଚଳାଇଛନ୍ତି। ଗୋଟିଏ ସ୍ଥାନରେ ଉଭୟ ସଙ୍ଗଠନର ଛାତ୍ରନେତା ଆମରଣ ଅନଶନରେ ବସିଥିବାରୁ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଜାରି ରହିଛି। ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।

କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ଏବିଭିପି-ବି‌ସିଜେଡିର ଅନଶନ
ମୁଖ୍ୟ ପ୍ରବେଶ ପଥରେ ତାଲା ପକାଇଲା ବିସିଜେଡି

ବିସିଜେଡି ଦାବି କରିଛି ଯେ ବିଶ୍ବବିଦ୍ୟାଳୟ ପରିସରରେ ଥିବା ବସ୍ତିଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରାଯାଉ। କାରଣ ବସ୍ତିବାସିନ୍ଦାଙ୍କ ଦ୍ବାରା ବିଭିନ୍ନ ସମୟରେ କ୍ୟାମ୍ପସ୍‌ରୁ ଲୁଟ୍‌, ନିଶା କାରବାର, ଛାତ୍ରୀଙ୍କୁ ଅସଦାଚରଣ ଭଳି ଆପରାଧିକ କାର୍ଯ୍ୟକଳାପ ଘଟୁଛି। କର୍ମଚାରୀ କ୍ବାର୍ଟର୍ସରେ ବାହାର ଲୋକଙ୍କୁ ଭଡ଼ା ଦିଆଯିବାରୁ ନିଶା କାରବାର ବଢ଼ୁଛି। ତେଣୁ ସେଠାରେ ଚଢ଼ଉ ସହ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଉ। ବିଶ୍ବବିଦ୍ୟାଳୟ ପରିସରକୁ ସମ୍ପୂର୍ଣ୍ଣ ପାଚେରି ନିର୍ମାଣ ସହ ବାହାର ଲୋକଙ୍କ ଅବାଧ ପ୍ରବେଶ ଉପରେ କଟକଣା ଲଗାଇବାକୁ ସେମାନେ ଦାବି କରିଛନ୍ତି। ପରିଜା ପାଠାଗାରକୁ ବର୍ଷର ୩୬୫ ଦିନ ଖୋଲା ରଖିବା, ପ୍ରାଶାସନିକ ଭବନ ସମ୍ମୁଖରେ ଥିବା ଜାତୀୟ ପତାକା ବର୍ଷ ସାରା ଲଗାଇବା, ୪୦୦ ଏକର ଜମିରେ ଥିବା ବିଶ୍ବବିଦ୍ୟାଳୟ ପରିସରରେ ସ୍ଥାୟୀ ପୁଲିସ ଫାଣ୍ଡି ନିର୍ମାଣ, ମହାତ୍ମା ଗାନ୍ଧୀ ସ୍ମାରକୀ ପାର୍କର ରକ୍ଷଣାବେକ୍ଷଣ, ଅଧିକ ସୁରକ୍ଷା ପାଇଁ ଅବସରପ୍ରାପ୍ତ ସୈନିକଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି। କ୍ୟାମ୍ପସ୍‌କୁ ସମ୍ପୂର୍ଣ୍ଣ ଆଲୋକୀକରଣ ଓ ସିସିଟିଭି କ୍ୟାମେରା ଲଗାଇବା ଓ ସମସ୍ତ ଛାତ୍ରାବାସରେ ସୁରକ୍ଷା କର୍ମୀ ନିୟୋଜିତ କରିବାକୁ ଦାବି କରାଯାଇଛି।
ହଷ୍ଟେଲ୍‌ରୁ ଅଣଛାତ୍ରଙ୍କୁ ହଟାଇବା ଓ ନିଶାମୁକ୍ତ କ୍ୟାମ୍ପସ୍‌‌ ଦାବିରେ ଏବିଭିପିର ଆମରଣ ଅନଶନ ଆଜି ଜାରି ‌ରହିଛି।

ବିନା ମୂଲ୍ୟରେ ୨୧୦ ପରିବାର ଜାଳୁଛନ୍ତି ବିଜୁଳି
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ବିଦ୍ୟୁତ୍‌ ଚୋରି ହେଉଥିବା ଅଭିଯୋଗ ପରେ ଆଜି କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି। ପୁଲିସ ସୁରକ୍ଷା ସହ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଛାତ୍ରାବାସ ପଛପାର୍ଶ୍ବରେ ଥିବା ବସ୍ତିଗୁଡ଼ିକ ବୁଲି ଦେଖିଛନ୍ତି। କେତେ ପରିବାରକୁ କ୍ୟାମ୍ପସ ବିଦ୍ୟୁତ୍‌ ଖୁଣ୍ଟିରୁ ବିଜୁଳି ସଂଯୋଗ ହୋଇଛି ତାହାର ଯାଞ୍ଚ କରିଛନ୍ତି। ଗସ୍ତ ସମୟରେ ଲୋକଙ୍କ ଘରେ ଫ୍ୟାନ୍‌, ଲାଇଟ୍‌, ଫ୍ରିଜ୍‌, ଗ୍ରାଇଣ୍ଡର ଆଦି ରହିଥିବା ଦେଖିବାକୁ ମିଳିଛି। କୌଣସି ପ୍ରକାର ବିଦ୍ୟୁତ୍‌ ଦେୟ ନଦେଇ ବର୍ଷ ବର୍ଷ ଧରି ସେମାନେ ବିଜୁଳି ବ୍ୟବହାର କରୁଛନ୍ତି। ଗୋଟିଏ ପାର୍ଶ୍ବର ପ୍ରାୟ ୨୧୦ ପରିବାର ବିନା ମୂଲ୍ୟରେ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ବିଦ୍ୟୁତ୍‌ ସଂଯୋଗ ନେଇଥିବା ସୂଚନା ମିଳିଛି। ଆଗାମୀ ଦିନରେ ଏହାକୁ ନେଇ ବ୍ୟାପକ ଚଢ଼ଉ ହେବ ବୋଲି ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର କହିଛନ୍ତି।

ସଙ୍ଗଠନର ସଦସ୍ୟମାନେ ଗତକାଲି ରାତିରେ ମଶାରି ଟାଙ୍ଗି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୋଇଥିଲେ। ସକାଳୁ ପିଜି କାଉନସିଲ୍‌ ଅଧ୍ୟକ୍ଷା, ହଷ୍ଟେଲ ୱାଡେନ୍‌ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ସେମାନେ ହଟି ନ ଥିଲେ। ବରଂ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଥିଲେ। ପୂର୍ବାହ୍ନରେ ଏବିଭିପି ରାଜ୍ୟ ସଭାପତି ଗାର୍ଗୀ ବାନାର୍ଜୀ ଆନ୍ଦୋଳନ ସ୍ଥାନରେ ପହଞ୍ଚିବା ସହ ସମର୍ଥନ ଜଣାଇଛନ୍ତି। ପରିଷଦ ପକ୍ଷରୁ କୁହାଯାଇଛି ଯେ ଅଣଛାତ୍ରମ‌ାନେ କ୍ୟାମ୍ପସ୍‌‌ରେ ଥିବା ଛାତ୍ରାବାସଗୁଡ଼ିକୁ ଅକ୍ତିଆର କରି ରଖିଛନ୍ତି। ସେମାନଙ୍କ ପାଇଁ କ୍ୟାମ୍ପସ୍‌‌ରେ ନିଶା କାରବାର ବୃଦ୍ଧି ପାଇବା ଦ୍ବାରା ‌‌ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। କେତେକ ରାଜନୈତିକ ବ୍ୟକ୍ତି ନିଜର ପତିଆରା ଜାହିର କରିବାକୁ ହଷ୍ଟେଲ୍‌ ରୁମ୍‌ଗୁଡ଼ିକୁ ଜବରଦସ୍ତ ମାଡ଼ି ବସିଛନ୍ତି। ଏହାଦ୍ବାରା ଛାତ୍ରମାନେ ରୁମ୍‌ ପାଉନାହାନ୍ତି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପୁଲିସ ପ୍ରଶାସନ ଏଦିଗରେ ପଦକ୍ଷେପ ନିଅନ୍ତୁ। ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe