ସଙ୍କଟ‌ରେ ଟେଣ୍ଟ୍‌ ବ୍ୟବସାୟୀ : ବାତିଲ୍‌ ହେଉଛି ବୁକିଂ, ଅନିଶ୍ଚିତତାରେ ବ୍ୟବସାୟ

ସଙ୍କଟ‌ରେ ଟେଣ୍ଟ୍‌ ବ୍ୟବସାୟୀ : ବାତିଲ୍‌ ହେଉଛି ବୁକିଂ, ଅନିଶ୍ଚିତତାରେ ବ୍ୟବସାୟ

ଭୁବନେଶ୍ବର : ସଭା ସମିତି ବନ୍ଦ। ଉତ୍ସବ ମହୋତ୍ସବ ବନ୍ଦ। ବାହାଘର ଓ ବ୍ରତଘର ଭଳି ମାଙ୍ଗଳିକ କାର୍ଯ୍ୟକ୍ରମ ବି ବନ୍ଦ। ଠିକ୍‌ ଯେତେବେଳେ ରୋଜଗାର ସମୟ ଆସିଲା, ଲାକ୍‌ଡାଉନ ଯୋଗୁଁ ସବୁଥିରେ ତାଲା ପଡ଼ିଗଲା। ପ୍ରଥମତଃ କାମ ବନ୍ଦ ହେଇଗଲା, ପୁଣି କାମ ପାଇଁ ନେଇଥିବା ବଇନା ଫେରାଇବାକୁ ଲୋକେ ଜିଦ୍‌ କଲେଣି। ଏବେ କାମ ବନ୍ଦ ହୋଇଯାଇଥିବା ନେଇ ଟେଣ୍ଟ୍‌ ବ୍ୟବସାୟୀ ଯେତିକି ଚିନ୍ତିତ ନୁହନ୍ତି, ଜୁଲାଇ ପର୍ଯ୍ୟନ୍ତ ବାହାଘର ଋତୁ ଥିବାରୁ ଏହା ମଧ୍ୟରେ ବିବାହ, ବ୍ରତଘର ଭଳି ଉତ୍ସବ ଆୟୋଜନ ହେବ ନା ନାହିଁ, ତାକୁ ନେଇ ସେମାନଙ୍କ ଚିନ୍ତା ବଢ଼ିଯାଇଛି।

ଟେଣ୍ଟ ବ୍ୟବସାୟୀ ତଥା ଅଲ୍‌ ଓଡ଼ିଶା ଟେଣ୍ଟ ଓ ସପ୍ଲାୟର୍ସ ଆସୋସିଏସନ୍‌ର କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରିୟବ୍ରତ ମଲ୍ଲିକଙ୍କ କହିବା ମୁତାବକ, କେବଳ ଭୁବନେଶ୍ବରରେ ୩ଶହରୁ ଊର୍ଧ୍ବ ଟେଣ୍ଟ୍‌ ଓ ଲାଇଟ୍‌ ବ୍ୟବସାୟୀ ଅଛନ୍ତି। ଓଡ଼ିଶାରେ ଏହି ସଂଖ୍ୟା ୩ ହଜାରରୁ ଊର୍ଧ୍ବ। କରୋନା ପାଇଁ ଉତ୍ସବ ପାଳନ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦେଶ ଦେଇଥିବାରୁ ସେମାନଙ୍କ ରୋଜଗାରକୁ ଶକ୍ତ ଧକ୍କା ଲାଗିଛି। ପ୍ରଥମଥର ଏଭଳି ଦୁର୍ଦିନକୁ ସାମ୍ନା କରିବା ବହୁତ କଷ୍ଟ ଦେଉଛି। ମୋର ବ୍ୟକ୍ତିଗତ ଭାବେ ୧୩ଟି କାମ ରହିଥିଲେ ହେଁ ସବୁ ବାତିଲ୍‌ ହୋଇଯାଇଛି। ହେଲେ ଇତିମଧ୍ୟରେ କାମ କରୁଥିବା ୬ଜଣ କର୍ମଚାରୀଙ୍କ ପରିବାରର ଭାର ପଡ଼ିଥିବାରୁ ଏହା ତୁଲାଇବା କଷ୍ଟ ହେଉଛି। ପୁଣି ଯେଉଁମାନେ କଲ୍ୟାଣ ମଣ୍ଡପ କିମ୍ବା ବିଭିନ୍ନ ଘରୋଇ ମାଙ୍ଗଳିକ ମଣ୍ଡପ ନେଇଛନ୍ତି, ସେମାନଙ୍କୁ ତାହାର ପାଉଣା ଭରିବା ପାଇଁ ପଡ଼ିବ। ଏଣେ ବାହାଘର, ଜନ୍ମଦିନ ଭଳି ଉତ୍ସବରେ ରୋକ୍‌ ଲାଗିଥିବା ବେଳେ ସେପଟେ ମଣ୍ଡପର ଦେୟ ଓ କର୍ମଚାରୀଙ୍କ ପରିବାରର ଦାୟିତ୍ବବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି।

ବିଶେଷକରି ଛୋଟ ‌ଟେଣ୍ଟ ବ୍ୟବସାୟୀ, ସାଉଣ୍ଡ ଓ ଲାଇଟ୍‌ ସଜା ବ୍ୟବସାୟୀମାନଙ୍କ ଅବସ୍ଥା ଦୟନୀୟ ହୋଇଛି। ସେମାନେ ଛୋଟ ଛୋଟ ଉତ୍ସବ‌ରେ ନିଜର ଉପକରଣ ଯୋଗାଇ ରୋଜଗାର ପାଆନ୍ତି। ମାତ୍ର ସବୁ ବନ୍ଦ ହେଇଯିବା ପରେ ଚିନ୍ତା ଘାରିଛି। ଲକ୍‌ଡାଉନ ଖୋଲିବା ପରେ ଯଦି ଅନୁମତି ମିଳିପାରନ୍ତା, ତେବେ ବହୁ ବ୍ୟବସାୟୀ ଉପକୃତ ହୋଇପାରନ୍ତେ ବୋଲି କିଛି ବ୍ୟବସାୟୀ କହିଛନ୍ତି। ମାତ୍ର କରୋନା ମୁକାବିଲା ପାଇଁ ଏତେ ଶୀଘ୍ର ଅନୁମତି ମିଳିବାର ସମ୍ଭାବନା ନଥିବାରୁ ଅନ୍ତତଃ ସେମାନଙ୍କ ନିକଟରେ କାମ କରୁଥିବା କର୍ମଚାରୀଙ୍କୁ ଆର୍ଥିକ ସହାୟତା ଓ ଯେଉଁମାନେ ଲିଜ୍‌ ସୂତ୍ରରେ ବିଭିନ୍ନ ମଣ୍ଡପ ନେଇଛନ୍ତି, ସେମାନଙ୍କୁ ପରବର୍ତୀ ଲିଜ୍‌ରେ କୋହଳ କରିବାକୁ ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe