ରାଜଧାନୀରେ ଲୁଟେରାଙ୍କ ଆତଙ୍କ: ରାସ୍ତାରେ ମହିଳାଙ୍କ ଗଳା କାଟି‌ଦେଲା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Advertisment
ରାଜଧାନୀରେ ଲୁଟେରାଙ୍କ ଆତଙ୍କ: ରାସ୍ତାରେ ମହିଳାଙ୍କ ଗଳା କାଟି‌ଦେଲା, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ସ୍ପଷ୍ଟ ଦିବାଲୋ‌କରେ ରାଜଧାନୀ ରାଜରାସ୍ତାରେ ପୁଣି‌ଥରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ଜଣେ ମହିଳାଙ୍କ ଗଳାକାଟି ଲୁଟ୍ ଉଦ୍ୟମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତେବେ ଲୁଟ ଉଦ୍ୟମ ବିଫଳ ହେବା ପରେ ଫେରାର ହୋଇ ଯାଇଛି। କିନ୍ତୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ନୟାପଲ୍ଲୀ ଥାନା ସିଆର୍‌ପି ଛକ ନିକଟରେ। ପୂରା ଘଟଣା ସିସିଟିଭିରେ କଏଦ ହୋଇ ରହିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଲକାଡାଉନ୍ ପାଇଁ ରାଜଧାନୀର ଛକ ଛକରେ ଚେକିଂ ଚାଲିଛି। ଚେକ୍‌ପୋଷ୍ଟରେ ପୁଲିସ ଜଗିଛନ୍ତି। କିନ୍ତୁ ଲୁଟେରା ଏକ ପ୍ରମୁଖ ଛକରେ ମହିଳାଙ୍କୁ ଆକ୍ରମଣ କରି ଫେରାର ହେବା ଘଟଣା ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲଗାଇଛି।

publive-image

ମିଳିଥିବା ସୂଚନା ଅନୁସାରେ, ଆକ୍ରମଣର ଶିକାର ମହିଳା ଜଣଙ୍କ ହେଲେ ଏନ-୩ ଅଞ୍ଚଳରେ ରହୁଥିବା ଅଂଶୁ ଗୁପ୍ତା। ସେ ପରିବାର ସହ ଏଠାରେ ରହନ୍ତି। ସୋମବାର ସକାଳ ପ୍ରାୟ ସାଢେ଼ ୬ଟାବେଳେ ସିଆରପିଏଫ କ୍ୟାମ୍ପସ ଆଡୁ ସିଆରପି ଛକ ଆଡକୁ ଅଂଶୁ ଚାଲି ଚାଲି ଆସୁଥିଲେ। ସିଆର୍‌ପି ଛକ ପାଖରୁ ଅଳ୍ପ ଦୂରରେ ଥିବା ୟୁନିକ ଗାଙ୍ଗୁରାମ ପାଖରେ ଜଣେ ଲୁଟେରା ପଛରୁ ଆସି ତାଙ୍କ ମୋବାଇଲ ଛଡ଼ାଇନେବା ପାଇଁ ଉଦ୍ୟମ କରିଥିଲା। ଅଂଶୁ ହଠାତ୍ କିଛି ବୁଝି ପାରି ନ ଥିଲେ। ତେବେ ସେ ଲୁଟେରାକୁ ବାଧା ଦେବାରୁ ଲୁଟେରା ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲା। ଫଳରେ ଅଂଶୁଙ୍କ ଗଳା କଟି ଯାଇ ପ୍ରବଳ ରକ୍ତ ବାହାରିଥିଲା। ଆକ୍ରମଣ କରିବା ପରେ ଲୁଟେରା କିଛି ବାଟ ଦୌଡ଼ି ପଳାଇଥିଲା। କିନ୍ତୁ ପୁଣି ସେ ତାଙ୍କ ଆଡ଼କୁ ଆକ୍ରମଣ ମୁଦ୍ରାରେ ମାଡ଼ି ଆସୁଥିବା ଦେଖି ଅଂଶୁ ଚିତ୍କାର କରିଥିଲେ। ଏହା ପରେ ଲୁଟେରା ଅନ୍ୟ ସହଯୋଗୀଙ୍କ ସହ ବାଇକ୍‌ରେ ବସି ଫେରାର ହୋଇ ଯାଇଥିଲା।

ଆକ୍ରମଣର ଶିକାର ହୋଇଥିବା ଅଂଶୁଙ୍କ ସ୍ୱାମୀ ଅମିତ ଗୁପ୍ତା କହିଛନ୍ତି, ତାଙ୍କ ପତ୍ନୀ ସବୁଦିନ ମର୍ଣ୍ଣିଂୱାକ୍ କରନ୍ତି, ତେଣୁ ସେ ଚାଲି ଚାଲି ବଜାରକୁ ଯାଉଥିଲେ। ଯୁବକ ଜଣକ ପ୍ରଥମେ ହାତରେ ପିନ୍ଧିଥିବା ସୁନା ଚୁଡ଼ି ଓ ମୋବାଇଲ ଫୋନ ମାଗିଥିଲା। ଅଂଶୁ ନ ଦେବାରୁ ଲୁଟେରା ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କ ତଣ୍ଟିରେ ଶକ୍ତ ଆଘାତ ଲାଗିଥିଲା। ଏଭଳି ଘଟଣା ପାଇଁ ପୁଲିସ ପାଟ୍ରୋଲିଂ ହେଉ ନ ଥିବା କହିଛନ୍ତି ସ୍ଥାନୀୟ ଦୋକାନୀ। ନୟାପଲ୍ଲୀ ଥାନା ପୁଲିସ ତଦନ୍ତ ଚଳାଇଥିଲେ ମଧ୍ୟ ଲୁଟେରାର ଟେର୍ ପାଇପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe