୨୪ଘଣ୍ଟା ମଧ୍ୟରେ ରାଜଧାନୀରେ ଥାର୍ ଗାଡ଼ି ଦୁର୍ଘଟଣାରେ ୪ଟି ମୁଣ୍ଡ ଗଡ଼ିଲାଣି। ଗତକାଲି କ୍ୟାପିଟାଲ୍ ହସ୍ପିଟାଲ୍ ଛକ ନିକଟରେ ଥାର୍ ଧକ୍କାରେ ଜଣେ ବୁଲେଟ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଆଜି ରାତିରେ ରାଜଧାନୀ ଉପକଣ୍ଠ ପିତାପଲ୍ଲୀ ନିକଟରେ ଗୋଟିଏ ଥାର୍ ଟ୍ରେଲର୍କୁ ଧକ୍କା ଦେବାରୁ ଥାର୍ରେ ଥିବା ତିନିଜଣଙ୍କ ମୃତ୍ୟୁ ଘଟିଛି। ଆଜି ଚନ୍ଦକା-ବାରଙ୍ଗ ରାସ୍ତାରେ ଏକ ଥାର୍ ଧକ୍କାରେ ୨ଟି ଗାଈ ପ୍ରାଣ ହରାଇଛନ୍ତି। ରାଜଧାନୀରେ ବାରମ୍ବାର ଥାର୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଲୋକେ ଭୟଭୀତ ହୋଇପଡ଼ିଲେଣି। ରାସ୍ତାରେ ଥାର୍ ଦେଖୁଦେଖୁ ଲୋକମାନେ ଦୂରରୁ ବାଟ ଭାଙ୍ଗୁଛନ୍ତି। ତେଣୁ ରାଜଧାନୀକୁ ଥାର୍ ଡର ମାଡ଼ିପଡ଼ୁଛି ବୋଲି ଚର୍ଚ୍ଚା ହେଉଛି।
Tobacco: ରାଜ୍ୟରେ ନିଷିଦ୍ଧ ହେଲା ତମାଖୁ, ନିକୋଟିନ୍ଯୁକ୍ତ ସମସ୍ତ ଉତ୍ପାଦ: ପୂର୍ବରୁ ଗୁଟ୍ଖା ଏବେ ତମାଖୁ
ଖଣ୍ଡଗିରି: ଆଜି ରାତିରେ ୧୬ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ନିକଟରେ ଏକ ଟ୍ରେଲର୍କୁ ଥାର୍ ଧକ୍କା ଦେବାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଥାର୍ରେ ଥିବା ତିନିଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମଦନପୁର କାଇମାଟିଆ ଜିନେଷ୍ଟ ଆପାର୍ଟମେଣ୍ଟରେ ରହୁଥିବା ହର୍ଷ, ପୁରୁଣା ଭୁବନେଶ୍ୱର ଅଞ୍ଚଳର ସୁଡୁ ଓ କରନ୍। ଆଲେକ୍ସ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତଦେହଗୁଡ଼ିକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି ଏବଂ ଗୁରୁତର ଆଲେକ୍ସଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଇନ୍ଫୋଭ୍ୟାଲି ଥାନା ପୁଲିସ ଗାଡ଼ିଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଆଜି ରାତି ସାଢ଼େ ୮ଟା ସମୟରେ ଏକ ଥାର୍ରେ(ଓଡି୩୩ଏଭି୯୪୨୦) ୪ଜଣ ଭୁବନେଶ୍ବରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ। ଗଙ୍ଗପଡ଼ା ପୁରୁଣା ଟୋଲ୍ଗେଟ୍ ନିକଟରେ ଥାର୍ ଚାଳକ ଆଗରେ ଯାଉଥିବା ଏକ ଗାଡ଼ିକୁ ଅତିକ୍ରମ କରିବାକୁ ଯାଇ ବେଗ ବଢ଼ାଇଥିଲେ। ମାତ୍ର ସେହି ଗାଡ଼ି ଆଗରେ ଏକ ଟ୍ରେଳର୍ ଥିଲା ବୋଲି ଥାର୍ ଚାଳକ ଦେଖିପାରିନଥିଲେ। ଦ୍ରୁତଗତି ଯୋଗୁ ଥାର୍ ଚାଳକ ନିୟନ୍ତ୍ରଣ ହରାଇ ସମ୍ମୁଖରେ ଯାଉଥିବା ଲୁହାପ୍ଲେଟ୍ ବୋଝେଇ ଟ୍ରେଲର୍(ଏନ୍ଏଲ୍ ୦୧ ଏଏଚ୍୦୬୭୬) ପଛରେ ଗାଡ଼ିକୁ ପିଟିଦେଇଥିଲେ। ଫଳରେ ଥାର୍ଟି ଟ୍ରେଲର୍ ପଛରେ ମୋଡ଼ାମାଡ଼ି ହୋଇ ପଶିଯାଇଥିଲା ଏବଂ ଟ୍ରେଲର୍ ସହ ପାଖାପାଖି ୫୦ମିଟର୍ ଘୋଷାଡ଼ି ହୋଇଯାଇଥିଲା। ଦୁର୍ଘଟଣା ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଥାର୍କୁ କଟର୍ ମେସିନ୍ରେ କାଟି ମୃତାହତଙ୍କୁ ଉଦ୍ଧାର କରିଥିଲେ। ଥାର୍ର ସମ୍ମୁଖ ଭାଗଟି ମୋଡ଼ିମକଚି ହୋଇଯାଇଥିବାରୁ ମୃତାହତଙ୍କୁ ବାହାର କରିବା କଷ୍ଟକର ହୋଇପଡ଼ିଥିଲା।
ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ କଟର୍ ମେସିନ୍ରେ କାଟି ଥାର୍ରୁ ସମସ୍ତଙ୍କୁ ବାହାର କରାଯାଇଥିଲା। ସେତେବେଳକୁ ହର୍ଷ, ସୁଡୁ ଓ କରନ୍ଙ୍କ ମୃତ୍ୟୁ ହୋଇସାରିଥିଲା। ଆଲେକ୍ସଙ୍କ ଅବସ୍ଥା ଦେଖି ଅନ୍ୟମାନେ ବି ବଞ୍ଚିଥିବା ଭାବି ସମସ୍ତଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ପଠାଇ ଦିଆଯାଇଥିଲା। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଦେଖି ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ଯାଇଥିଲା ଏବଂ ପ୍ରାୟ ଏକ ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହୋଇଯାଇଥିଲା। ପୁଲିସ ଦୁଇଗାଡ଼ି ଜବତ କରି ଥାନାକୁ ଆଣିବା ସହିତ ଟ୍ରେଲର୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ। ଥାର୍ଟି ଗତ ୩ ତାରିଖ ଦିନ କିଣା ହୋଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/22/sfhfhfxvbvb-2026-01-22-03-44-30.jpg)