ସରିଲା ୧୦ ଦିନିଆ ପୂର୍ବାଞ୍ଚଳ ପ୍ରି-ରିପବ୍ଲିକ ଡେ’ କ୍ୟାମ୍ପ, ନୂଆଦିଲ୍ଲୀ ପରେଡ ପାଇଁ ୪୦ ମନୋନୀତ

Advertisment
ସରିଲା ୧୦ ଦିନିଆ ପୂର୍ବାଞ୍ଚଳ ପ୍ରି-ରିପବ୍ଲିକ ଡେ’ କ୍ୟାମ୍ପ, ନୂଆଦିଲ୍ଲୀ ପରେଡ ପାଇଁ ୪୦ ମନୋନୀତ

ଭୁବନେଶ୍ବର: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ ନିମନ୍ତେ ନ୍ୟାସ୍‌ନାଲ୍ ସର୍ଭିସ ସ୍କିମ୍‌(ଏନ୍‌ଏସ୍‌ଏସ୍‌)ର କଣ୍ଟିଜେଣ୍ଟ ଚୟନ ନିମନ୍ତେ ସୋଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ୧୦ ଦିନିଆ ପୂର୍ବାଞ୍ଚଳ ପ୍ରି-ରିପବ୍ଲିକ୍ ଡେ’ କ୍ୟାମ୍ପ ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସମାଜ ଗଠନ ନିମନ୍ତେ ଏନଏସ୍‌ଏସ୍ ଏକ ସଙ୍ଗଠିତ ଉଦ୍ୟମ। ସାମାଜିକ ସେବା ମାଧ୍ୟମରେ ଏହା ଯୁବପିଢ଼ିଙ୍କ ଚରିତ୍ର ଗଠନରେ ସହାୟକ ହୋଇଥାଏ। ଦେଶରେ ୧୦ରୁ ୨୪ବର୍ଷ ମଧ୍ୟରେ ୩୬କୋଟି ଯୁବପିଢ଼ି ରହିଛନ୍ତି, ଯାହାକି ବିଶ୍ୱର ସବୁଠାରୁ ବୃହତ୍ତମ ଯୁବଶକ୍ତି। ଏମାନେ ଦେଶର ସେବା ନିମନ୍ତେ ଆଗକୁ ଆସିବା ଉଚିତ।

ସୋଆ କୁଳପତି ପ୍ରଫେସର୍‌ ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ ତଥା ନୀତି ଆୟୋଗର ଷ୍ଟାଣ୍ଡିଂ କମିଟି ସଦସ୍ୟ ଜଗଦାନନ୍ଦ ସମ୍ମାନିତ ଅତିଥି ଭା‌ବେ ଯୋଗଦେଇ କହିଲେ, ଠିକ୍ ପ୍ରଶ୍ନ, ଠିକ୍ ସମୟରେ ଓ ଠିକ୍‌ ବାଟରେ ପଚାରିବାର ଆବଶ୍ୟକତା ରହିଛି। ସ୍ୱେଚ୍ଛାସେବୀଙ୍କୁ ସକ୍ରିୟ ନାଗରିକ ଭାବେ ଗଢ଼ି ତୋଳିବାର ଉପଯୁକ୍ତ ମାଧ୍ୟମ ହେଉଛି ଏନ୍‌ଏସ୍‌ଏସ୍। ବର୍ତମାନ ସମାଜରେ ହିଂସା, ଅସମାନତା ଓ କୋଭିଡ୍-୧୯ ମହାମାରୀ ସମସ୍ୟା ସହ ଆମେ ଲଢ଼େଇ କରୁଛୁ। ତେଣୁ ଧର୍ମ, ସଂସ୍କୃତି ଓ ଭାଷାର ବିଭିନ୍ନତାକୁ ଭୁଲି ପରସ୍ପରକୁ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଅନ୍ୟତମ ଅତିଥି ଭାବେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଏସ୍‌ଏସ୍ ଭୁବନେଶ୍ୱର ଶାଖାର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ୍‌, ଏନ୍‌ଏସ୍‌ଏସ୍‌ର ଆସିଷ୍ଟାଣ୍ଟ ପ୍ରୋଗ୍ରାମ୍ ଆଡଭାଇଜର୍ କମଳ କୁମାର କର, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ସୋଆର ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସଂଯୋଜକ ନଚିକେତା କେ. ଶର୍ମା ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। କେନ୍ଦ୍ର କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଏବଂ ସୋଆର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କ୍ୟାମ୍ପରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକିମ୍‌, ଅରୁଣାଞ୍ଚଳ ପ୍ରଦେଶ, ଆସାମ, ମେଘାଳୟ, ତ୍ରିପୁରା, ମଣିପୁର, ମିଜୋରାମ ଓ ନାଗାଲାଣ୍ଡର ୨୦୦ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ। ଏହି କ୍ୟାମ୍ପରୁ ୪୦ଜଣ ସ୍ୱେଚ୍ଛାସେବୀ ସାଧାରଣତନ୍ତ୍ର ଦିବସ ପରେଡ୍‌ ନିମନ୍ତେ ମନୋନୀତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe